ତାମିଲନାଡୁରେ ଦାଦନ ଶ୍ରମିକଙ୍କ ମୃତ୍ୟୁ: ଭିଟାମାଟିକୁ ଶବ ଆଣିବା ଚିନ୍ତାରେ ପରିବାର ବର୍ଗ

ଓଡ଼ିଆ ବାର୍ତ୍ତା/ ବାଲିଗୁଡା (ସଞ୍ଜୟ କୁମାର ପାଣିଗ୍ରାହୀ): ରାଜ୍ୟ ବାହାରକୁ ରୋଜଗାର ପାଇଁ ଯାଇ କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡି ପଞ୍ଚାୟତର ଜଣେ ଯୁବକଙ୍କ ପ୍ରାଣ ଚାଲିଯାଇଛି। ଏଭଳି ଘଟଣା ଶୁଣିବା ପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ମୃତକ ହେଲେ ରଘୁନାଥ ନାୟକ ଓରଫ ଦାସିଆ। ସୂଚନାନୁଯାୟୀ, ଗ୍ରୀନବାଡିର ରଘୁନାଥ ନିଜ ପରିବାର ପ୍ରତିପୋଷଣ ହେବା ପାଇଁ ତାମିଲନାଡୁର ତ୍ରିପୁର ଅଞ୍ଚଳରେ ରହି ଏକ କମ୍ପାନୀରେ କାର୍ଯ୍ୟ କରୁଥିଲେ। ତେବେ ଗତ ସପ୍ତାହରେ ସେ ବାଇକରେ ଯାଉଥିବା ବେଳେ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ସେ ଗୁରୁତର ଅବସ୍ଥାରେ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିଲା। ତାଙ୍କ ମୁଣ୍ଡକୁ ଶକ୍ତ ଧକ୍କା ଲାଗିଥିବାରୁ ସେ କୋମାକୁ ଚାଲିଯାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମଙ୍ଗଳବାର ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକେ କହିଛନ୍ତି। ବର୍ତ୍ତମାନ ସେଠାରୁ ତାଙ୍କ ଗ୍ରାମକୁ କିଭକି ମୃତଦେହ ଅଣାଯିବ ସେନେଇ ପରିବାର ଲୋକ ଚିନ୍ତାରେ ଅଛନ୍ତି। ମୃତ ରଘୁନାଥଙ୍କ ପରିବାର ରେ ବିଧବା ମା’ଙ୍କ ସହ ତାଙ୍କ ପତ୍ନୀ ଜନପ୍ରିୟା ମଲିକ ଏବଂ ଦୁଇ ବର୍ଷର ପୁତ୍ର ସନ୍ତାନ ରହିଛନ୍ତି l ପ୍ରକାଶଯୋଗ୍ୟ, ରଘୁନାଥଙ୍କ ବାପା କାଳିଦାସ ନାୟକଙ୍କ ଗତ ୩ ବର୍ଷ ତଳେ ମୃତ୍ୟୁ ହୋଇଥିଲା। ଏଥିଯୋଗୁ ଘରର ଆର୍ଥିକ ପରିସ୍ଥିତି ଜଟିଳ ହୋଇପଡ଼ିଥିଲା। ତେଣୁ ରଘୁନାଥ ରୋଜଗାର କରିବାକୁ ରାଜ୍ୟ ବାହାରକୁ ଯିବାକୁ ନିଷ୍ପତ୍ତି ନେଇ ତାମିଲନାଡୁ ଯାଇ ସେଠାରେ କମ୍ପାନୀରେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଏବେ ଗାଁରେ ବିଧବା ମା’ଜାନକୀ ନାୟକ ପୁଅର ମରଣ ଖବର ଶୁଣି ସମ୍ପୂର୍ଣ୍ଣ ଭାଙ୍ଗି ପଡିଛନ୍ତି। ତାଙ୍କ ଆଖିର ଲୁହ ଶୁଖୁନଥିବା ବେଳେ ବନ୍ଧୁ, ସମ୍ପର୍କୀୟ, ସାହି ବାସିନ୍ଦା ସମସ୍ତେ ମୃତ ରଘୁନାଥଙ୍କ ଗ୍ରୀନବାଡି ବାସଭାବନରେ ଭିଡ଼ ଜମାଇଥିବା ଦେଖାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.