ମହାପାର୍ବଣ ନୂଆଖାଇରେ ଗଣଚେତନାର ବାର୍ତ୍ତା 

ସୁନୀଲ କୁମାର ଧଙ୍ଗଡାମାଝୀ

ସଂପାଦକ, ଓଡ଼ିଆ ବାର୍ତ୍ତା 

ଓଡ଼ିଶାରେ ପାଳିତ ହେଉଥିବା ବିଭିନ୍ନ ପର୍ବପର୍ବାଣୀ ମଧ୍ୟରୁ ନୂଆଖାଇ ଏପରି ଏକ ପର୍ବ ଯାହାର ତତ୍ବ ଅନ୍ନକୁ କେନ୍ଦ୍ର କରି ଆରମ୍ଭ ହୋଇଥିବା ବେଳେ ଏହା ଗଣଚେଚନାର ବାର୍ତ୍ତା ନେଇ ବିଶ୍ବ ପ୍ରସାରି ହୋଇ ପାରିଛି। ପ୍ରାଗ୍ଐତିହାସିକ ଯୁଗର ଶିକାରଜୀବୀ ମନୁଷ୍ୟର ମାନସତତ୍ତ୍ୱ ବିଭିନ୍ନ ସ୍ତରରେ ବିବର୍ତ୍ତିତ ହୋଇ ଅନ୍ନ ତତ୍ତ୍ୱ ମଧ୍ୟରେ ନିହିତ ହୋଇଥିଲା।

Omkar Vasthu
Omkar Vasthu

ଆଦିମ ସମାଜର ପିତୃପୁରୁଷ ପୂଜା, ଡଙ୍ଗର ପୂଜା ଓ ଧର୍ମଦେବତା ପୂଜାରୁ ପରବର୍ତ୍ତି ସମୟରେ ସମସ୍ତ ଦେବତାମାନଙ୍କ ବିବର୍ତ୍ତନ ସମ୍ଭବ ହୋଇଛି। ଧର୍ନୀ ଦେବୀ ବା ଭୂଦେବୀଙ୍କ ଦ୍ୱାରା ଅନ୍ନ ସମ୍ଭବ ହେଉଥିବାରୁ କୃତଜ୍ଞତା ସ୍ୱରୂପ କୃଷିଜୀବୀ ସମାଜ ଶସ୍ୟଦାୟିନୀ ଧର୍ନୀଦେବୀଙ୍କଠାରେ ପ୍ରଥମ ଅମଳଯୋଗ୍ୟ ଶସ୍ୟକୁ ଆନୁଷ୍ଠାନିକ ଧର୍ମାଚାର ମାଧ୍ୟମରେ ଅର୍ପଣ ପୂର୍ବକ ଭକ୍ଷଣ କରିବାର ବିଧିବିଧାନରୁ ନବାନ୍ନ ପାର୍ବଣର ସୃଷ୍ଟି ହୋଇଥିବା ଅନୁମାନ କରାଯାଏ।

Pearl dental clinic
Near Ashish Medical Store, Bhawanipatna

ଆଦିମ ପରମ୍ପରାରେ ଅନ୍ନପୂଜା କ୍ରମରେ ପିତୃପୂଜା ଓ ପିତୃପୂଜା କ୍ରମରେ ଅନ୍ନପୂଜାର ପ୍ରାଧାନ୍ୟ ରହିଛି। ଯାହାର ଏକ ସୁନ୍ଦର ଉଚ୍ଚ ର୍କୃପକ୍ଷଙ୍କ ଅନେକ ଅଂଚଳରେ ଏହା ଏକ ମହାନ ଗଣଚେତନାର ପର୍ବ ରୂପ ନେଇ ସାମାଜିକ ସଂହତିର ଶ୍ରେଷ୍ଠ ଲୋକ ଅନୁଷ୍ଠାନ ‘ନୂଆଖାଇ’ ଭାବେ ପାଳିତ ହୋଇଆସୁଛି। 

Udyog Nursery
Udyogi Nursery

ଜ୍ୟୋତିଷ ଶାସ୍ତ୍ର ସହ ଭାରତୀୟ କୃଷକ ସମାଜର ଅଭିନ୍ନ ସମ୍ପର୍କ ଥବା ଦୃଷ୍ଟିରୁ ସିଂହ ରାଶିରେ ସୂର୍ଯ୍ୟ ବଳବାନ୍ ଥିବା ଭାଦ୍ର ଶୁକ୍ଳପକ୍ଷର ଯେକୌଣସି ପାର୍ବଣ ତିଥିରେ ନୂଆଖାଇ ପର୍ବ ପାଳନ କରାଯାଏ। ନୂଆଖାଇ ପ୍ରାଚୀନ କାଳରୁ ଅନୁସୃତ କେତେକ ପ୍ରଥା ଓ ପରମ୍ପରାକୁ ନେଇ ପରିପୁଷ୍ଟ ହୋଇଥାଏ। ଏହି ପ୍ରଥା ଓ ପରମ୍ପରା ମଧ୍ୟରେ ରହିଛି ରୁଗୀବଲା ଓ ପନାପାଏନ୍ ଢଲା, ଖେଡ଼ଶୁଆ, ଜୁଗାର୍ ଭାର୍ ଇତ୍ୟାଦି।

ନୂଆଖାଇର ପୂର୍ବ ଦିବସକୁ ‘ଉପାସ୍ ଦିନ୍’ ବୋଲି କୁହାଯାଇଥାଏ। ଏହି ଦିନ ଧର୍ନୀ ପୀଠରେ ଖେଡ଼ଶୁଆ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଗୌନ୍ତିଆ ଏହି ଦିନ ନିଜ ଶସ୍ୟକ୍ଷେତ୍ରକୁ ଯାଇ ବର୍ଷର ପ୍ରଥମ ଅମଳଯୋଗ୍ୟ ଛେଟକା ଧାନ କ୍ଷେତରେ କ୍ଷୀର ଢାଳି ଭୂଦେବୀଙ୍କ ଉଦ୍ଦେଶ୍ୟରେ ପ୍ରଣିପାତ କରିଥାନ୍ତି ଓ କ୍ଷେତରୁ କିଛି ଧାନ କେଣ୍ଡା ଆଣିଥାନ୍ତି। ପୂର୍ବରୁ ଧର୍ନୀ ଦେବୀଙ୍କ ଆସ୍ଥାନକୁ ସଫାସୁତୁରା କରାଯାଇଥାଏ।

କ୍ଷେତରୁ ଆଣିଥିବା ଧାନକୁ ଗୌନ୍ତିଆ ଓ ଜାନୀ ଧର୍ନୀ ଦେବୀଙ୍କ ପାଖରେ ରଖି ପାରମ୍ପରିକ ବିଧାନରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ଦିନ ଧର୍ନୀ ଦେବୀଙ୍କ ପାଖରେ ମଦ୍ୟ ଅର୍ପଣ କରାଯାଇଥାଏ ଏବଂ ଏହାକୁ ଗୌନ୍ତିଆ, ଜାନୀ, ଝାଙ୍କର ଓ ଗଣା ପ୍ରସାଦ ଜ୍ଞାନରେ ସେବନ କରିଥାନ୍ତି। ଏହିଦିନ ଗୃହକର୍ତ୍ତାମାନେ ଓପାସ ରହି ସନ୍ଧ୍ୟା ପରେ ନିଜନିଜ ମଶାନକୁନା ବା ପିଦରରେ ଆସନ୍ତା କାଲି ନୂଆ ଖାଇବା ବୋଲି ଗୃହର ଇଷ୍ଟ ଦେବାଦେବୀ ଓ ପିତୃପୁରୁଷଙ୍କୁ ନିମନ୍ତ୍ରଣ କରିଥାନ୍ତି।

ବିଭିନ୍ନ ଜାତିର ଲୋକଙ୍କ ମଧ୍ୟରେ ନୂଆଖାଇକୁ ନେଇ ଭିନ୍ନ ଭିନ୍ନ ପରମ୍ପରା ଦେଖିବାକୁ ମିଳିଥାଏ। ଅଧିକାଂଶ ଜାତିର ଲୋକ କୁରେ ପତ୍ରରେ ନୂଆ ଖାଉଥିବା ବେଳେ କିଛି ଜାତିର ଲୋକ ମହୁଲ ପତ୍ରରେ, ସାରୁପତ୍ର, ସାହାଜ ପତ୍ର ଆଦି ବିଭିନ୍ନ ପତ୍ରରେ ଖାଇଥାନ୍ତି। ସେହିପରି ସ୍ଥଳ ବିଶେଷରେ ନୂଆଖାଇର ତିଥିକୁ ନେଇ ବି ଭିନ୍ନତା ରହିଛି। ପୂର୍ବରୁ ଲୋକେ ନିଜ ଗ୍ରାମର ନିର୍ଣ୍ଣୟ ଅନୁଯାୟୀ ଭାଦ୍ରବ ମାସର ଭିନ୍ନ ଭିନ୍ନ ତିଥିରେ ନୂଆ ଖାଉଥିବା ବେଳେ ଆଜିକାଲି ଅଧିକାଂଶ ପଞ୍ଚମୀ ତିଥିରେ ନୂଆ ଖାଉଛନ୍ତି।

ନୂଆଖାଇ ପର୍ବର ଅନ୍ୟଏକ ଆକର୍ଷଣ ହେଉଛି ଜୁଗାର୍ ଭାର୍। ଗ୍ରାମର ପୂଅଝିଅମାନେ ନିଜନିଜ ଭିତରେ ମିତ, ମାର୍ସାଦ୍, ମକର, ଗଜାମୁଙ୍ଗ, ସମକଟା, ସାଇ, ଫୁଲ, ମଡ଼ା, ଭାଏଲୋକ୍ ଆଦି ବସିଥାନ୍ତି। ଏମୋନେ ନୂଆଖାଇ ଦିନ ଜୁଗାର ଭାର ଦିଆନିଆ ହୁଅନ୍ତି।

ଏହି ଜୁଗାରରେ ଥାଏ ଚାଉଳ, ଡାଲି, ପନିପରିବା ସହ ସାବୁନ, ଅତର, ଧୋତି, ଶାଢ଼ୀ ଇତ୍ୟାଦି। ମିତ ବସିଥିବା ଯୁବତୀମାନେ ଉପରୋକ୍ତ ସାମଗ୍ରୀ ସବୁ ମୁଣ୍ଡରେ ମୁଣ୍ଡାଇ ସେମାନଙ୍କ ମିତ ଘରକୁ ନୂଆଖାଇ ପୂର୍ବରୁ ଯାଇଥାନ୍ତି। ମିତ ଘରେ ତାଙ୍କୁ ପାଛୋଟି ନେବାସହ ଆଦର ସତ୍କାର କରାଯାଏ।

ସେହିପରି ପୁଅ ପାଇଁ ବୋହୂ ଠିକ୍ ହୋଇ ମଦପିଆ କାର୍ଯ୍ୟକ୍ରମ ସରିଯାଇଥିଲେ ଶ୍ୱଶୁର ବୋହୁ ଘରକୁ ଶାଢ଼ୀ, ପିଠା, ଚୁଡ଼ି, ମାଳି ଆଦି ଅନେକ ଜିନିଷ ପଠାଇଥାଏ। ଜୁଗାର୍ ଭାର୍ ମୈତ୍ରୀ ବନ୍ଧନର ଏକ ଅନନ୍ୟ ପରମ୍ପରା ଭାବେ ପରିଗଣିତ ହୋଇଥାଏ। ଗୃହକର୍ତ୍ତାମାନେ ଗୌନ୍ତିଆ, ଜାନୀ, ଝାଙ୍କର, ଗଣା ଆଦିଙ୍କୁ ମଧ୍ୟ ସାଧ୍ୟ ମୁତାବକ ଭାତିଆ ପ୍ରଦାନ କରିଥାନ୍ତି।

ଗ୍ରାମ ମୁଖ୍ୟମାନଙ୍କ ଦ୍ୱାରା ଧାର୍ଯ୍ୟ ହୋଇଥିବା ତିଥି ଅନୁସାରେ ଗ୍ରାମବାସୀମାନେ ନିଜନିଜ ଘରେ ନୂଆଖାଇର ପ୍ରସ୍ତୁତି ଚଲାଇଥାନ୍ତି। ଗୃହକର୍ତ୍ତା ସକାଳୁ କ୍ଷେତକୁ ଯାଇ ପୂଜାର୍ଚ୍ଚନା କରି ଧାନ କେଣ୍ଡା ଆଣିଥାନ୍ତି। ପରିବାରର ମହିଳାମାନେ ଏହାକୁ ପାହାରୁନ୍ କିମ୍ବା ଢେଙ୍କି ସାହାଯ୍ୟରେ କୁଟି ଚୁଡ଼ା ବାହାର କରିଥାନ୍ତି। ମଶାନକୁନାକୁ ସୁନ୍ଦର ଭାବେ ଝୋଟି ଦେଇ ସଜାଇ ଦିଆଯାଇଥାଏ।

ଘରେ ସ୍ୱତନ୍ତ୍ର ଭାବେ ପିଠା ଓ କ୍ଷୀରି ତିଆରି କରି ମଶାନ୍କୁନାରେ ପିତୃପୁରୁଷ ଓ ଇଷ୍ଟଦେବୀଙ୍କ ପାଖରେ ରଖାଯାଏ। ପୂର୍ବରୁ ପ୍ରସ୍ତୁତ ନୂଆ ଧାନର ଚୁଡ଼ାରେ ନବାତ, କ୍ଷୀର, ଘିଅ ଆଦି ଦେଇ ସୁନ୍ଦର ଭାବେ ନବାନ୍ନ ତିଆରି କରାଯାଏ। ଏହି ନବାନ୍ନକୁ କୁରେ ପତ୍ରରେ ମଶାନକୁନାରେ ବଢ଼ାଯାଏ ଓ ପାରମ୍ପରିକ ରୀତିରେ କୁଳାଚାର ଭାବରେ ପୂଜାର୍ଚ୍ଚନା କରାଯାଇଥାଏ। ଏହାପରେ ଗୁହାଳ ଘରକୁ ମଧ୍ୟ ନବାନ୍ନ ଯାଏ। ଏହାପରେ ପରିବାରର ସମସ୍ତେ ବଡ଼ରୁ ସାନ କ୍ରମରେ ନବାନ୍ନ ଭକ୍ଷଣ କରିଥାନ୍ତି।

ନୂଆଖାଇବା ପରେ ସମସ୍ତେ ବଡ଼ମାନଙ୍କୁ ମୁଣ୍ଡିଆ ମାରନ୍ତି। ପରିବାରର ଛୋଟ ଛୋଟ ଶିଶୁମାନଙ୍କୁ ଏକାଠି ବସାଇ ସେମାନଙ୍କୁ ଘରର ପୁରୁଷ ଓ ମହିଳାମାନେ ଚାଉଳ, ଫୁଲ, ଚନ୍ଦନ ଦେଇ ବନ୍ଦାଇଥାନ୍ତି ଓ ଗୋରସରେ ପାଦ ପ୍ରକ୍ଷାଳନ କରିଥାନ୍ତି। ଏହାପରେ ସମସ୍ତେ ଏକାଠି ବସି ଘରେ ପ୍ରସ୍ତୁତ ହୋଇଥିବା ନାନା ପ୍ରକାର ବ୍ୟଞ୍ଜନ ଭୋଜନ କରି ବାହାରକୁ ବାହାରି ପାଖ ପଡ଼ୋଶୀମାନଙ୍କୁ ଜୁହାର୍ ଭେଟ୍ କରିଥାନ୍ତି।

ନୂଆଖାଇ ସନ୍ଧ୍ୟାରେ ହଲିଆ ତୁଲିଆ ଓ ବୟୋବୃଦ୍ଧମାନେ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଘରକୁ ଯାଇ ନୂଆଖାଇ ଟଙ୍କା ଆଣି ମଦ ପିଇଥାନ୍ତି। ଅପରାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ବୟସ୍କ ବ୍ୟକ୍ତିମାନେ ତାସ୍ ଖେଳିବା ସହ ଢାପ୍, ଘୁଡ଼କା, ବାଡିଖେଲ, ଘୁମରା ଆଦି ମନୋରଞ୍ଜନଧର୍ମୀ ପାରମ୍ପରିକ ଲୋକନୃତ୍ୟ ପରିବେଷଣ କରିଥାନ୍ତି। ନୂଆଖାଇ ପରଦିନକୁ ବାସି ଭାବେ ପାଳନ କରାଯାଏ। ଏହା ହେଉଛି ମଉଜ ମଜଲିସର ଦିନ।

ଏହି ଦିନ ନୂଆ ଧାନ ଆସିବା ଖୁସିରେ ସମସ୍ତେ ମସଗୁଲ ହୋଇଯାଆନ୍ତି। ଘରେ ଘରେ ମାଂସ ରନ୍ଧାଯାଇ ସମସ୍ତେ ଖୁସି ମନରେ ଖାଇଥାନ୍ତି। ଚାଷୀ, ଖଟିଖିଆ ଓ ବିଭିନ୍ନ କର୍ମଜୀବୀ ଏହି ଅବସରରେ ସମସ୍ତ ଦୁଃଖ କଷ୍ଟ ଭୁଲି ଯାଇଥାନ୍ତି।‌ ନୂଆଖାଇର ସପ୍ତାହେ ମଧ୍ୟରେ ଗୃହକର୍ତ୍ତା କିମ୍ବା ପରିବାରର ସଦସ୍ୟମାନେ ଝିଅଜ୍ୱାଇଁ, ବନ୍ଧୁବାନ୍ଧବ ଘରକୁ ବୁଲିଯିବାର ମଧ୍ୟ ପରମ୍ପରା ରହିଛି।

କେଉଁଏକ ଆବାହମାନ କାଳରୁ ଚଳିଆସିଥିବା ନୂଆଖାଇ ପାର୍ବଣ ମାଧ୍ୟମରେ ସମାଜରେ ଏକ ସୁସ୍ଥ ବାତାବରଣ ତିଆରି ହୋଇଥାଏ। ପାରିବାରିକ ଓ ସାମାଜିକ ବନ୍ଧନ ଦୃଢ଼ କରିବାରେ ଏହି ପାର୍ବଣ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ନିଜନିଜ ମଧ୍ୟରେ ଥିବା ମନୋମାଳିନ୍ୟ, ରାଗରୁଷା, ମାନ ଅଭିମାନ, ଏହି ପର୍ବ ଦିନ ପାଣି ଫୋଟକା ପରି ମିଳାଇଯାଏ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.