ଗଣପର୍ବ ନୂଆଖାଇ ଓ ସାମାଜିକ ବନ୍ଧନ 

ପ୍ରାଚୀନ କାଳରୁ ଆଦି ସଂସ୍କୃତିର ଧାରାକୁ ନେଇ ପରିପୃଷ୍ଟ ହୋଇଥିବା ମହାପାର୍ବଣ ନୂଆଖାଇ ପାରିବାରିକ ଓ ସାମାଜିକ ବନ୍ଧନ ଦୃଢ଼ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଥାଏ। ଏହି ପର୍ବ ଭାଇ, ପାଖ ପଡିଶା, ଗାଁର ବନ୍ଧୁ ଆଦିଙ୍କୁ ଏକତା ସୁତ୍ରରେ ବାନ୍ଧିଥାଏ। ଏହାସହ ବୈବାହିକ ସଂପର୍କୀୟ ମାନେ ନୂଆଖାଇ ସାରିବା ପରେ ଜଣେ ଅନ୍ୟଜଣକର ଘରକୁ ଯାଇଥାନ୍ତି। ପୁଅ ପାଇଁ ବୋହୂ ଠିକ୍ ହୋଇ ମଦପିଆ କାର୍ଯ୍ୟକ୍ରମ ସରିଯାଇଥିଲେ ଶ୍ୱଶୁର ବୋହୁ ଘରକୁ ଶାଢ଼ୀ, ପିଠା, ଚୁଡ଼ି, ମାଳି ଆଦି ଅନେକ ଜିନିଷ ନୂଆଖାଇ ପୂର୍ବରୁ ପଠାଇଥାନ୍ତି। ସେହିପରି ଗାଁରେ ମିତ ମାର୍ସାଦ, ମକର, ସମକଟା, ଗଜାମୁଙ୍ଗ ଆଦି ବସିଥିବା ଲୋକ ନିଜ ନିଜ ଭିତରେ ଜୁଗାର ଭାର ଦିଆନିଆ ହୋଇଥାନ୍ତି। ଜୁଗାର୍ ଭାର୍ ମୈତ୍ରୀ ବନ୍ଧନର ଏକ ଅନନ୍ୟ ପରମ୍ପରା ଭାବେ ପରିଗଣିତ ହୋଇଥାଏ। ଗୃହକର୍ତ୍ତାମାନେ ଗୌନ୍ତିଆ, ଜାନୀ, ଝାଙ୍କର, ଗଣା ଆଦିଙ୍କୁ ମଧ୍ୟ ସାଧ୍ୟ ମୁତାବକ ଭାତିଆ ପ୍ରଦାନ କରିଥାନ୍ତି। ନୂଆଖାଇ ସନ୍ଧ୍ୟାରେ ହଲିଆ ତୁଲିଆ ଓ ବୟୋବୃଦ୍ଧମାନେ ଗ୍ରାମର ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କ ଘରକୁ ଯାଇ ନୂଆଖାଇ ଟଙ୍କା ଆଣି ମଦ ପିଇଥାନ୍ତି। ନୂଆଖାଇ ପରଦିନକୁ ବାସି ଭାବେ ପାଳନ କରାଯାଏ। ଏହା ହେଉଛି ମଉଜ ମଜଲିସର ଦିନ। ଘରେ ଘରେ ମାଂସ ରନ୍ଧାଯାଇ ସମସ୍ତେ ଖୁସି ମନରେ ଖାଇଥାନ୍ତି। ଚାଷୀ, ଖଟିଖିଆ ଓ ବିଭିନ୍ନ କର୍ମଜୀବୀ ଏହି ଅବସରରେ ସମସ୍ତ ଦୁଃଖ କଷ୍ଟ ଭୁଲି ଯାଇଥାନ୍ତି।‌ ନୂଆଖାଇର ସପ୍ତାହେ ମଧ୍ୟରେ ଗୃହକର୍ତ୍ତା କିମ୍ବା ପରିବାରର ସଦସ୍ୟମାନେ ଝିଅଜ୍ୱାଇଁ, ବନ୍ଧୁବାନ୍ଧବ ଘରକୁ ବୁଲିଯିବାର ମଧ୍ୟ ପରମ୍ପରା ରହିଛି। ନୂଆଖାଇ ପରେ ଘରକୁ କୁଣିଆ ଆସିଲେ ତାଙ୍କୁ ପରିବାର ପକ୍ଷରୁ  ବିଶେଷ ଭାବେ ଚର୍ଚ୍ଚା କରାଯାଏ। ଲୋକେ ଏହି ସମୟରେ ଝିଅ ଜ୍ବାଇଁଙ୍କ ଘରେ ଅତି କମରେ ଦୁଇ ତିନି ଦିନ ବିତାଇ ନିଜ ଘରକୁ ଫେରିଥାନ୍ତି। ଏହାପରେ ଝିଅ ଜ୍ବାଇଁ/ ସମୁଦି ସମୁଦୁଣି ମଧ୍ୟ ଆସି ଦୁଇ ତିନି ଦିନରୁ ଆରମ୍ଭ କରି ସପ୍ତାହେ ପର୍ଯ୍ୟନ୍ତ କଟାଇଥାନ୍ତି। କେଉଁଏକ ଆବାହମାନ କାଳରୁ ଚଳିଆସିଥିବା ନୂଆଖାଇ ପାର୍ବଣ ମାଧ୍ୟମରେ ସମାଜରେ ଏକ ସୁସ୍ଥ ବାତାବରଣ ତିଆରି ହୋଇଥାଏ। ନିଜନିଜ ମଧ୍ୟରେ ଥିବା ମନୋମାଳିନ୍ୟ, ରାଗରୁଷା, ମାନ ଅଭିମାନ, ଏହି ପର୍ବରେ ପାଣି ଫୋଟକା ପରି ମିଳାଇଯାଏ।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.