ସରିଲା ନୂଆଖାଇ: ବାସୀ ପର୍ବର ଖୁସିରେ ମସଗୁଲ ଜନତା 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭାଦ୍ର ଶୁକ୍ଲ ପଞ୍ଚମୀ ତିଥିରେ ଅବିଭକ୍ତ କଳାହାଣ୍ଡି (ଅଂଶ), ବଲାଙ୍ଗିର, କୋରାପୁଟ(ଅଂଶ), ସମ୍ବଲପୁର, ବୌଦ, ସୁନ୍ଦରଗଡ ସମେତ ପଡ଼ୋଶୀ ଛତିଶଗଡ ଓ ଝାରଖଣ୍ଡର କେତେକ ଅଞ୍ଚଳରେ ମହାପାର୍ବଣ ନୂଆଖାଇ ସମ୍ପନ୍ନ ହୋଇଯାଇଛି ଓ ଶୁକ୍ରବାର ନୂଆଖାଇ ବାସି ପାଳିତ ହେଉଛି। ତେବେ କଳାହାଣ୍ଡିର ଭବାନୀପାଟଣା, ଦାଦପୁର, ଲାଞ୍ଜିଗଡ, ବିଶ୍ବନାଥପୁର, ମଦନପୁର ରାମପୁର, କର୍ଲାପାଟ, ଥୁଆମୂଳ ରାମପୁର, ଜୟପାଟଣା ଆଦି ଗଡଜାତ ଅଞ୍ଚଳମାନଙ୍କରେ ଦଶମୀ ତିଥିରେ ନୂଆଖାଇ ପାଳିତ ହେବ।ରାଜାରାଜୁଡ଼ା ଅମଳରୁ କଳାହାଣ୍ଡିର ଗଡ଼ଜାତ ଅଞ୍ଚଳରେ ଦଶମୀ ତିଥିରେ ମା’ ମାଣିକେଶ୍ଵରୀଙ୍କ ଠାରେ ନବାନ୍ନ ଲାଗି ହୋଇଥାଏ। ଏହାସହ ମଦନପୁର ରାମପୁରର ଇଷ୍ଟଦେବୀ ଡୋକରୀ, ଥୁଆମୁଲ ରାମପୁରରର ଆଦିପୀଠ ମାଣିକେଶ୍ଵରୀ ଆଦି ଶକ୍ତିପୀଠ ମାନଙ୍କରେ ଶାକ୍ତ ତନ୍ତ୍ର ଓ ଅଭିଚାର ବିଧି ମତେ ବିଭିନ୍ନ ନବାନ୍ନ ବିଧି ସଂପନ୍ନ ହୋଇଥାଏ। ଏହା ପୂର୍ବରୁ ପଶ୍ଚିମ ଓଡ଼ିଶା ସାରା ପଞ୍ଚମୀ ତିଥିରେ ନୂଆଖାଇ ପାଳିତ ହୋଇଯାଇଛି। କୃଷିଜୀବୀ ସମାଜ ବ୍ୟବସ୍ଥାର ଏହି ମହାନ ପର୍ବ ସଂପୃକ୍ତ ଅଞ୍ଚଳର ପାରମ୍ପରିକ ବିଧିବିଧାନ ତଥା କୂଳାଚାର ରିତି ଅନୁସାରେ ସଂପନ୍ନ ହୋଇଛି। ପ୍ରାକୃତିକ ଦୁର୍ବିପାକ ସତ୍ୱେ ମଧ୍ୟ ଜନ ସାଧାରଣ ବର୍ଷକୁ ଥରେ ଆସୁଥିବା ଏହି ପର୍ବକୁ ଉତ୍ସାହ ଉଦ୍ଦୀପନା ଓ ସମ୍ମାନର ସହ ପାଳନ କରୁଥିବା ଦେଖାଯାଇଛି। ମରୁଡ଼ି, ବନ୍ୟା, ମହାମାରୀ ତ ଅଚାନକ ଭାବେ ଯିବ ଆସିବ କିନ୍ତୁ ନୂଆଖାଇ ତା’ର ନିର୍ଦ୍ଧିଷ୍ଟ ସମୟରେ ଆସିବ ଓ ଭାଇଚାରାର ବାର୍ତ୍ତା ଦେଇ ଚାଲିଯିବ। ପୁଣି ସେ ଆସିବାର ପଥକୁ ବର୍ଷକ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିବ। ତେଣୁ ନୂଆଖାଇ ପରେ ବାସୀ ପର୍ବରେ ମସଗୁଲ ହୋଇଉଠିଛି ଗ୍ରାମ୍ୟ ପରିବେଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.