ଏନଏସି ଏବଂ ସବ୍-ଡିଭିଜନ ମାନ୍ୟତା ଦାବିରେ ମଦନପୁର ରାମପୁର ବନ୍ଦ 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଜ୍ଞାପିତ ଅଞ୍ଚଳ ପରିଷଦ ଏପରିକି ରାଜସ୍ବ ଉପଖଣ୍ଡ ପାଇଁ ଦରକାର ହେଉଥିବା ସମସ୍ତ ମାନଦଣ୍ଡ ପୂରଣ କରିଥିବା ସତ୍ତ୍ୱେ କଳାହାଣ୍ଡି ଜିଲ୍ଲାର ମଦନପୁର ରାମପୁରକୁ ଏନଏସି ଘୋଷଣା କରିନାହାନ୍ତି ରାଜ୍ୟ ସରକାର। ସ୍ୱାୟତ୍ତ ଶାସନ ଦିବସ ଅବସରରେ ରାଜ୍ୟରେ ୧୬ ଗୋଟି ନୂଆ ଏନଏସି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କିନ୍ତୁ ମଦନପୁର ରାମପୁର ଏହି ତାଲିକାରୁ ବାଦ୍ ପଡ଼ିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳ ଏପରିକି ଜିଲ୍ଲାସାରା ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତେଣୁ ମଦନପୁର ରାମପୁରକୁ  ଏନଏସି, ରାଜସ୍ବ ଉପଖଣ୍ଡ ଘୋଷଣା ଦାବିରେ ଗୁରୁବାର ବନ୍ଦ ପାଳନ କରିଛନ୍ତି ଅଞ୍ଚଳବାସୀ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଗତ ସରକାରଙ୍କ ସମୟରେ ମଦନପୁର ରାମପୁର ଏନଏସି ମାନ୍ୟତା ଘୋଷିତ ହୋଇଥିଲା। କିନ୍ତୁ ବର୍ତ୍ତମାନର ସରକାର ଏହାକୁ ଏନଏସି ଘୋଷଣା କରିନାହାନ୍ତି। ତେବେ ଆଜିର ବନ୍ଦ କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ଭାରତୀୟ ଜନତା ପାର୍ଟିର ମଣ୍ଡଳ ସଭାପତି ଯଜ୍ଞସେନ ପଣ୍ଡା, ସିପିଏମ୍‌ ନେତା ସତ୍ୟଜିତ ଚାଟାର୍ଜୀ, ବାର ଆସୋସିଏସନ ସଭାପତି ଜୟ ସିଂହଦେଓ, ସମାଜସେବୀ ବିକାଶ ସିଂହଦେଓ, ଶ୍ରୀକାନ୍ତ ହୋତା, ନୀଳମାଧବ ସିଂଦେଓ, କିଶୋର ପ୍ରହରାଜ, ଜିବେଶ ପଣ୍ଡା, ଚିତ୍ତ ବାଗ, ସତ୍ୟ ସାହୁ, ଚମରା ବଗର୍ତ୍ତି, ପ୍ରକାଶ ମାଝୀ, ଚିରାଗ ସିଂହ ଦେଓ ପ୍ରମୁଖଙ୍କ ନେତୃତ୍ୱରେ  ଶତାଧିକ ଲୋକ ଆନ୍ଦୋଳନରେ ସାମିଲ ହୋଇଥିଲେ। ମଦନପୁର ରାମପୁର ସହରର ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ଅନୁଷ୍ଠାନ ସମ୍ପୂର୍ଣ୍ଣ ବନ୍ଦ ରହିଥିଲା। ମଦନପୁର ରାମପୁରକୁ ଏନଏସି, ରାଜସ୍ବ ଉପଖଣ୍ଡ ମାନ୍ୟତା ନ ହେବା ଯାଏ ଅଭିଯାନ ଜାରି ରହିବ କୁହାଯାଇଛି। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.