ଭାନପୁର ପେକ୍ସରେ ସାର ପାଇଁ ଚାଷୀଙ୍କ ଭିଡ

ହୋ ହାଲ୍ଲା ଯୋଗୁଁ ହୋଇପାରିଲା ନାହିଁ ସାର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ୟୁରିଆ ସାରର ଅଭାବ ଦେଖା ଦେଇଛି। ଚାଷୀ ତୁଳନାରେ ସାର ପର୍ଯ୍ୟାପ୍ତ ଆସି ପାରୁନି। ଫଳରେ ୟୁରିଆ ସାର ପାଇଁ ଚାଷୀଙ୍କ ମଧ୍ୟରେ ବାଡ଼ିଆ ପିଟା ହେଉଥିବା ମଧ୍ୟ ଜାଣିବାକୁ ମିଳୁଛି। ନର୍ଲା ରେ ରହିଥିବା ୭ ଗୋଟି ସମବାୟ ସମିତି ମଧ୍ୟରୁ ୬ ଗୋଟି ସମିତି ରେ ସୋମବାର ଦ୍ଵିତୀୟ ପର୍ଯ୍ୟାୟ ସାର ବଣ୍ଟନ ହୋଇଛି। ମଙ୍ଗଳବାର ଭାନପୁର ସକାଳ ୮ ଘଣ୍ଟା ସମୟରୁ ସାର ବଣ୍ଟନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ହେଲେ ପେକ୍ସ୍ ସମ୍ମୁଖରେ ପ୍ରବଳ ଚାଷୀ ସମାଗମ ଏବଂ ହଟ୍ଟଗୋଳ ଯୋଗୁଁ ପୋଲିସ ଡ଼ାକି ସାର ବଣ୍ଟନ ପାଇଁ ପେକସ କତ୍ତୃପକ୍ଷ ଚେଷ୍ଟା କରିଥିଲେ ମଧ୍ୟ ୟୁରିଆ ସାର ବଣ୍ଟନ ରେ ବ୍ୟାଘାତ ଉପୁଜିବା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିବା ଜଣାପଡିଛି। ଆଜି ମଙ୍ଗଳବାର ସକାଳୁ ଭାନପୁର ପେକ୍ସ ସମ୍ମୁଖରେ ହଜାର ହଜାର ଚାଷୀଙ୍କ ଭିଡ଼ ଦେଖି ପ୍ୟାକ୍ସ ର ଭାରପ୍ରାପ୍ତ ସମ୍ପାଦକ ସୁଧୀର ନାଏକ ପୋଲିସ ସାହାଯ୍ୟ ଲୋଡ଼ିଥିଲେ। ହେଲେ ମଧ୍ୟ ଚାଷୀମାନେ ପ୍ରବଳ ହଟ୍ଟଗୋଳ କରିବାରୁ କଥାଯାଇ ଜିଲ୍ଲାପାଳଙ୍କ ପାଖରେ ପହଞ୍ଚିଥିଲା। ଭାନପୁର ଓ ତୁଳାପଡ଼ା ଏହି ଦୁଇଗୋଟି ପ୍ୟାକ୍ସ ର ୨୦୦୦ ରୁ ଉର୍ଦ୍ଧ୍ବ ଚାଷୀଙ୍କ ପାଇଁ ମାତ୍ର ୮୦୦ ବ୍ୟାଗ ୟୁରିଆ ସାର ରହିଥିବାରୁ ଏହା ବାଣ୍ଟିବା ମଧ୍ୟ ସମ୍ଭବ ନୁହଁ। ଏଣୁ ଜିଲ୍ଲାପାଳଙ୍କ ନିର୍ଦ୍ଧେଶ କ୍ରମେ ସାର ବଣ୍ଟନ ବନ୍ଦ କରିଛନ୍ତି ବିଭାଗୀୟ ଅଧିକାରୀ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ପରେ ତଥା ପର୍ଯ୍ୟାପ୍ତ ସାର ଆସିବା ପରେ ଉପରୋକ୍ତ ଦୁଇଗୋଟି ପ୍ୟାକ୍ସ ର ଚାଷୀଙ୍କୁ ସାର ବଣ୍ଟନ କରାଯିବ ବୋଲି ଜଣାପଡ଼ିଛି। ଅନ୍ୟପକ୍ଷେ ୟୁରିଆ ସାରର ଅଭାବରେ ଆମ ବିଲର ଧାନ ଗଛ ସବୁ ନଷ୍ଟ ହେବାକୁ ବସିଲାଣି। ଆମକୁ ଶୀଘ୍ର ସାର ଦରକାର ପଡ଼ୁଥିବା ବେଳେ ପ୍ୟାକ୍ସ୍ କତ୍ତୃପକ୍ଷ ଓ ପ୍ରଶାସନ ସମୟ ଗଡ଼େଇ ଚାଲିଛନ୍ତି ବୋଲି ଅଞ୍ଚଳର ଚାଷୀ ମତବ୍ୟକ୍ତ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.