ଓଡ଼ିଆ ବାର୍ତ୍ତା/ ଜୁନାଗଡ଼ (ସ୍ବାସ୍ତିଦୀପ ଆଦିତ୍ୟ): ଜୁନାଗଡ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସଫେଇ ପାଇଁ ବ୍ୟବହାର ହେଉଥିବା ଚାରିଗୋଟି ଗାଡ଼ି ବିନା ନମ୍ବର ପ୍ଲେଟ ରେ ଚାଲିଛି। ବର୍ଷେରୁ ଅଧିକ ହୋଇଯିବ ନିତିଦିନ ଏହି ଚାରିଟି ଗାଡ଼ି ଏନଏସି ସଫେଇ କାର୍ଯ୍ୟରେ ବ୍ୟବହୃତ ହୋଇ ଆସୁଅଛି। ସରକାରଙ୍କ ନିୟମ ଅନୁଯାୟୀ ବିନା ରେଜିଷ୍ଟ୍ରେସନରେ ସୋରୁମରୁ କୌଣସି ଗାଡ଼ି ବାହାରିବା ନିୟମ ନ ଥିବା ବେଳେ, ଗୋଟିଏ ସରକାରୀ ଅଫିସରେ ବର୍ଷେରୁ ଅଧିକ ହୋଇଯିବ ବିନା ନମ୍ବର ପ୍ଲେଟର ଚାରିଟି ଗାଡ଼ି ଚାଲିଛି। ହେଲେ, ଜୁନାଗଡ଼ ପୋଲିସ ଓ କଳାହାଣ୍ଡି ଆରଟିଓଙ୍କ ନଜରରେ ଏହା ପଡ଼ି ପାରୁନାହିଁ। ପୋଲିସ ଓ ଆରଟିଓ ସାଧାରଣ ନାଗରିକଙ୍କ ଟିକେ ଭୁଲ୍ ଧରିଲେ ସେମାନଙ୍କ ଠୁ ଫାଇନ ଆଦାୟ କରୁଛନ୍ତି। କିନ୍ତୁ ସରକାରୀ ଅଫିସ ଗାଡ଼ିକୁ ନଜର ପଡୁନାହିଁ। ଏ ସଂକ୍ରାନ୍ତରେ ଏନ୍ଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୋଦ କୁମାର ଖୀଲୋଙ୍କୁ ପଚାରିବାରୁ ସେ ବହୁତ ଶୀଘ୍ର ନମ୍ବର ପ୍ଲେଟ ଲଗେଇବା ପାଇଁ ବ୍ୟବସ୍ଥା କରିବୁ ବୋଲି ପ୍ରକାଶ କରିଛନ୍ତି।





