କଳାହାଣ୍ଡିରେ ମାଟ୍ରିକ ପରୀକ୍ଷା ପାଇଁ ୪୦୦ ଛାତ୍ରଛାତ୍ରୀଙ୍କୁ ସ୍ଵତନ୍ତ୍ର ଦିଗଦର୍ଶନ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଅଧିକ ସଂଖ୍ୟାରେ ଏ ୱାନ- ଗ୍ରେଡ ହାସଲ ଓ ଉତ୍ତମ ପରୀକ୍ଷା ଫଳାଫଳ ପାଇଁ ହାତକୁ ନିଆଯାଇଥିବା କାର୍ଯ୍ୟକ୍ରମ ପ୍ରକାଶ-୨୦୨୬ ଅନ୍ତର୍ଗତ ଛାତ୍ରଛାତ୍ରୀଙ୍କ ପାଇଁ ଏକ ସ୍ବତନ୍ତ୍ର ଦିଗଦର୍ଶନ କାର୍ଯ୍ୟକ୍ରମ ଆଜି ଆୟୋଜିତ ହୋଇଯାଇଛି।

କଳାହାଣ୍ଡି ଜିଲ୍ଲାପାଳ ପାୱାର ସଚିନ ପ୍ରକାଶଙ୍କ ମାର୍ଗ ଦର୍ଶନ, ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ ଓ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମ, ଜିଲ୍ଲାର ସମସ୍ତ ୧୩ଟି ବ୍ଲକରେ ଗୋଷ୍ଠୀ ଶିକ୍ଷା ଅଧିକାରୀମାନଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା।

ଏହି ଶିବିରରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୪୦୦ ଜଣ ଛାତ୍ରଛାତ୍ରୀ, ତାଙ୍କ ପିତାମାତା – ଅଭିଭାବକ, ବିଷୟ ଶିକ୍ଷକ ଓ ସମସ୍ତ ପ୍ରଧାନଶିକ୍ଷକ/ ଶିକ୍ଷୟତ୍ରୀ ଅଂଶଗ୍ରହଣ କରିଥିଲେ।

ଜିଲ୍ଲା ତଥା ବ୍ଲକର ସାଧନକର୍ମୀ ଶିକ୍ଷକ ଶିକ୍ଷୟିତ୍ରୀ ଏହି ଶିବିରରେ ପରୀକ୍ଷା ପାଇଁ ପ୍ରସ୍ତୁତି ଓ ଉତ୍ତମ ଫଳାଫଳ ପାଇବା ପାଇଁ ବିଭିନ୍ନ ଉପାଦେୟ ବିଷୟବସ୍ତୁ ଉପରେ ଛାତ୍ରଛାତ୍ରୀଙ୍କୁ ଦିଗଦର୍ଶନ ଦେଇଥିଲେ।

ଉତ୍ତମ ପରୀକ୍ଷା ଫଳାଫଳ ନିମନ୍ତେ ସମସ୍ତଙ୍କ ଦାୟିତ୍ବ ଓ କର୍ତ୍ତବ୍ୟ, ସ୍କୁଲ ୱାରୀ ରିଜଲ୍ଟ ର ବିଶ୍ଳେଷଣ ଓ ଉନ୍ନତି ଯୋଜନା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା।

ଆସନ୍ତା ୧୬ ଓ ୧୭ ତାରିଖରେ ମଧ୍ୟ ଛାତ୍ରଛାତ୍ରୀଙ୍କ ବିଭିନ୍ନ ବିଷୟରେ ସନ୍ଦେହ ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

ଏହି କାର୍ଯ୍ୟକ୍ରମରେ ସମସ୍ତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ- ଶିକ୍ଷୟିତ୍ରୀ, ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଦୁଷ୍ମନ୍ତ ପାଢ଼ୀ, ବିରେନ୍ଦ୍ର ଆଚାର୍ଯ୍ୟ ଓ ପ୍ରଶାନ୍ତ କୁମାର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.