ଦେବଦାସ ଛୋଟରାୟ ପାଇବେ ୪୬ତମ ଶାରଳା ପୁରସ୍କାର

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ଶ୍ରେଷ୍ଠ ସାହିତ୍ୟ କୃତି ପାଇଁ ପ୍ରତି ବର୍ଷ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ (ଇମ୍ପାକ୍ଟ) ପକ୍ଷରୁ ପ୍ରଦାନ କରାଯାଉଥିବା ମର୍ଯ୍ୟାଦାଜନକ ‘ଶାରଳା ପୁରସ୍କାର’ ଚଳିତ ବର୍ଷ ସୁଖ୍ୟାତ କବି ଓ କଥାକାର ଦେବଦାସ ଛୋଟରାୟଙ୍କୁ ପ୍ରଦାନ କରାଯିବ। ୨୦୨୩ ମସିହାରେ ଟାଇମପାସ୍ ପ୍ରକାଶନୀ ଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’ ପାଇଁ ସେ ଏହି ପୁରସ୍କାର ଲାଭ କରିବେ। ଆଗାମୀ ଅକ୍ଟୋବର ୨୬ ତାରିଖରେ ଏକ ବର୍ଣ୍ଣାଢ୍ୟ ସାରସ୍ଵତ ସମାବେଶରେ ଲେଖକଙ୍କୁ ଉତ୍ତରୀୟ, ସମ୍ମାନପତ୍ର, ସମ୍ମାନ ଫଳକ ସହିତ ସାତ ଲକ୍ଷ ଟଙ୍କାର ନଗଦ ଅର୍ଥରାଶି ପ୍ରଦାନ କରାଯିବ ବୋଲି ଶାରଳା ପୁରସ୍କାର କମିଟିର ଏକ ପ୍ରେସ ବିଜ୍ଞପ୍ତିରୁ ପ୍ରକାଶ। ଏଥର ଶାରଳା ପୁରସ୍କାର ପାଇଁ ଚୂଡ଼ାନ୍ତ ପର୍ଯ୍ୟାୟର ପୁସ୍ତକଗୁଡ଼ିକ ଥିଲା ଦେବଦାସ ଛୋଟରାୟଙ୍କ ଗଳ୍ପ ସଂକଳନ ‘ମ୍ୟାଟିନି ସୋ’, ଅପର୍ଣ୍ଣା ମହାନ୍ତିଙ୍କ କବିତା ସଂକଳନ ‘ଅପର୍ଣ୍ଣା ମହାନ୍ତିମାନଙ୍କ ପାଇଁ କବିତା’, ମମତା ଦାଶଙ୍କ କବିତା ସଂକଳନ ‘ଭୂମି ସ୍ପର୍ଶ’, ପଦ୍ମଜ ପାଳଙ୍କ ଉପନ୍ୟାସ ‘ସୀତା ମୁଁ ସୀତା’, ପଦ୍ମଜ ପାଳଙ୍କ ଗଳ୍ପ ସଂକଳନ ‘ଡାହାଣ ପାଦ ବାମ ପାଦ’, ଆଶୁତୋଷ ପରିଡ଼ାଙ୍କ କବିତା ସଂକଳନ ‘ବିଶ୍ଵାସ ଦେ ପୃଥ୍ବୀ’, ବିଜୟ କୁମାର ଶତପଥୀଙ୍କ ନାଟକ ‘ଅନ୍ଧାରର ବିଭୀଷିକା’। ପ୍ରାଥମିକ ପୁସ୍ତକ ଚୟନ ମଣ୍ଡଳୀରେ ଦୁର୍ଗାପ୍ରସାଦ ପଣ୍ଡା, କୃଷ୍ଣ କୁମାର ମହାନ୍ତି, ପବିତ୍ର ମୋହନ ଦାଶ, ଶ୍ରୀଦେବ, ଶକ୍ତି ମହାନ୍ତି ବିଚାରକ ଥିଲା ବେଳେ ଚୂଡ଼ାନ୍ତ ପର୍ଯ୍ୟାୟର ବିଚାରକମାନେ ଥିଲେ ପ୍ରକାଶ ମହାପାତ୍ର, ପବିତ୍ର ପାଣିଗ୍ରାହୀ, ଧନଞ୍ଜୟ ସ୍ୱାଇଁ, ପାରମିତା ଶତପଥୀ, ସୁସ୍ମିତା ବାଗ୍‌ଚୀ, ପ୍ରବୀଣା ମହାନ୍ତି ଏବଂ ସୂର୍ଯ୍ୟ ମିଶ୍ର।ଏଥିସହିତ କଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନାର ଉତ୍କର୍ଷ ପାଇଁ ପ୍ରତିବର୍ଷ ଇମ୍ଫା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପ୍ରଦାନ କରାଯାଉଥିବା ‘ଇଲା-ବଂଶୀଧର ପଣ୍ଡା କଳା ସମ୍ମାନ’ ମଧ୍ୟ ୨୦୨୫ ମସିହା ପାଇଁ ଘୋଷିତ ହୋଇଛି। ବିଶିଷ୍ଟ ଚିତ୍ରଶିଳ୍ପୀ ବଳଦେବ ମହାରଥା ଏବଂ ସଂଗୀତଗୁରୁ ରାମହରି ଦାସଙ୍କୁ ଚଳିତ ବର୍ଷ ଏହି ପୁରସ୍କାର ପ୍ରଦାନ କରାଯିବ। ପୁରସ୍କାର ବାବଦରେ ଉଭୟଙ୍କୁ ଦୁଇ ଲକ୍ଷ ପଚାଶ ହଜାର ଟଙ୍କାର ଅର୍ଥରାଶି ସହ ମାନପ‌ତ୍ର ଓ ଫଳକ ପ୍ରଦାନ କରାଯିବ। ସଙ୍ଗୀତ ବିଭାଗରେ ଆଦ୍ୟାଶା ଦାସ, ସୁଜାତା ମହାପାତ୍ର, ସଙ୍ଗୀତା ପଣ୍ଡା ଏବଂ ଚିତ୍ରକଳା ବିଭାଗରେ ପଞ୍ଚମୀ ମାନୁ ଉକିଲ, ସୁଦର୍ଶନ ପଟ୍ଟନାୟକ ଓ ପ୍ରଦୋଷ ସ୍ଵାଇଁ ବିଚାରକ ଥିଲେ। ଏଠାରେ ସୂଚନାଯୋଗ୍ୟ ଯେ ବିଶିଷ୍ଟ ଶିଳ୍ପପତି ବୈଜ୍ଞାନିକ ଡ. ବଂଶୀଧର ପଣ୍ଡା ଓ ତାଙ୍କର ସହଧର୍ମିଣୀ କଳାବିଦୂଷୀ ଇଲା ପଣ୍ଡାଙ୍କର କଳାତ୍ମକ ଚେତନାର ଫଳଶ୍ରୁତି ହେଉଛି ଶାରଳା ପୁରସ୍କାର ଉତ୍ସବ। ୧୯୮୦ ମସିହାରୁ ପ୍ରଦାନ କରାଯାଇ ଆସୁଥିବା ଶାରଳା ପୁରସ୍କାର ୪୫ ବର୍ଷ ଧରି ଏହାର ଅଭିଯାତ୍ରା ଜାରି ରଖିଛି। ପରବର୍ତ୍ତୀ ସମୟରେ ଇଲା–ବଂଶୀଧର ପଣ୍ଡା କଳା ସମ୍ମାନ ଏହି ଗୌରବମୟ ପରମ୍ପରାରେ ସାମିଲ ହୋଇଛି। ଇମ୍ପାକ୍ଟର ଅନ୍ୟ ଏକ ପ୍ରମୁଖ କାର୍ଯ୍ୟକ୍ରମ ମଧ୍ୟରେ ରହିଛି ‘ଏକଲବ୍ୟ ପୁରସ୍କାର’, ଯାହାକି ପ୍ରତିବର୍ଷ ଓଡ଼ିଶାର ଯୁବ କ୍ରୀଡ଼ାବିତମାନଙ୍କୁ ସେମାନଙ୍କ ଉତ୍କର୍ଷ ପାଇଁ ପ୍ରଦାନ କରାଯାଇ ଆସୁଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.