ଖଡ଼ିଆଳରେ ସମାଜବାଦୀ ପାର୍ଟିର କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ

ନୂଆପଡ଼ା ରାଜନୀତିରେ ସୃଷ୍ଟି ହେବ ନୂତନ ସମିକରଣ

ବିଜେପି ଓ ବିଜେଡ଼ି ଛାଡ଼ି ସ.ପା.ରେ ଯୋଗଦେଲେ ୨୦୦ କର୍ମୀ

ଓଡ଼ିଆ ବାର୍ତ୍ତା/ ଖଡ଼ିଆଳ: ନୂଆପଡ଼ା ଜିଲ୍ଲାର ଖଡ଼ିଆଳ କୌଶଲ୍ୟା ମଣ୍ଡପ ଠାରେ ସମାଜବାଦୀ ପାର୍ଟି ପକ୍ଷରୁ ଜିଲାସ୍ତରୀୟ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି।

ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲ୍ଲା ସଭାପତି ବେଣୁଧର ଗହୀରଙ୍କ ଅଧ୍ୟକ୍ଷତାରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ତଥା ଓଡ଼ିଶା ପ୍ରଭାରୀ ସୁନିଲ ସିଂ ଯାଦବ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ।

‘ବିଜେପିର ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ପ୍ରତିଟି କ୍ଷେତ୍ରରେ ଉପେକ୍ଷା କରିଛି। ଡବଲ ଇଞ୍ଜିନ ନୁହେଁ ବିଜେପି ଡବଲ ଲୁଟ୍ କରୁଛି। ଦେଶର ପଛୁଆ, ଆଦିବାସୀ ଓ ଦଳିତ ବର୍ଗଙ୍କ ଉତଥାନ ପାଇଁ ସମାଜବାଦୀ ପାର୍ଟି ହିଁ ଏକମାତ୍ର ବିକଳ୍ପ’ ବୋଲି ରାଜ୍ୟ ପ୍ରଭାରୀ ମତବ୍ୟକ୍ତ କରିଥିଲେ।

ସମାଜବାଦୀ ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ରାଜ୍ୟରେ ଦେଖା ଦେଇଥିବା ସାର ସଙ୍କଟ ଉପରେ ଉଦ‌ବେଗ ପ୍ରକାଶ କରିଥିଲେ। ତାଙ୍କ ଦଳ କୃଷକଙ୍କ ହିତରେ ସବୁବେଳେ ଲଢ଼େଇ କରିବ ବୋଲି ରାଜ୍ୟ ସଭାପତି କହିଥିଲେ।

ଓଡ଼ିଶା ପ୍ରଦେଶ ସାଧାରଣ ସମ୍ପାଦକ ପ୍ରତାପ କିଶୋର ବାରିକ, ପ୍ରଦେଶ ମିଡ଼ିଆ ସେଲ୍ ସଭାପତି ପ୍ରଦୀପ ମିଶ୍ର, ପଛୁଆବର୍ଗ ରାଜ୍ୟ ସଭାପତି ସୁଫଳ କରୁଆଁ, ଯୁବ ଜନସଭା ରାଜ୍ୟ ସଭାପତି ପ୍ରଦୀପ ଥପା, ବଲାଙ୍ଗୀର ଜିଲ୍ଲା ସଭାପତି ଜୟଦେବ ଜାଲ, ଭୁବନେଶ୍ୱର ସଭାପତି ପ୍ରବୀଣ ନାୟକ ପ୍ରମୁଖ ମଞ୍ଚାସୀନ ରହି ନୂଆପଡ଼ା ଜିଲ୍ଲାରେ ସମାଜବାଦୀ ପାର୍ଟିକୁ ଅଧିକ ଶଶକ୍ତ ଓ ସୁସଂଗଠିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି ଅବସରରେ ଦିଗପାଲ ନାଗ ଓ ବଛା ବାବୁଙ୍କ ନେତୃତ୍ଵରେ ୨୦୦ ରୁ ଉର୍ଦ୍ଧ୍ବ ବିଜେପି ଓ ବିଜେଡି କର୍ମୀ ଦଳଛାଡି ସମାଜବାଦୀ ପାର୍ଟିରେ ଯୋଗ ଦେଇଥିଲେ। ଏହାସହ ବଙ୍ଗୋମୁଣ୍ଡାର ଦଳିତ ନେତା ତଥା ବିଶିଷ୍ଟ ଆଇନଜୀବୀ ଜଗଦୀଶ ସୁନା, କଣ୍ଟାବାଞ୍ଜିରୁ ବିଜେପି ନେତା ଚୈତନ୍ୟ ହଂସ ପ୍ରମୁଖ ସମାଜବାଦୀ ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଯାଦବ ଏବଂ ରାଜ୍ୟ ସଭାପତି ଶିବ ହାତୀ ଯାଦବଙ୍କ ନିତି ଆଦର୍ଶରେ ଅନୁପ୍ରାଣୀତ ହୋଇ ସମାଜବାଦୀ ପାର୍ଟିରେ ଯୋଗ ଦେଇଥିବା ପ୍ରକାଶ କରିଛନ୍ତି।

ଦଳ ପକ୍ଷରୁ ଓଡ଼ିଶା ପ୍ରଦେଶ ପ୍ରଭାରୀ ସୁନୀଲ ସିଂ ଯାଦବ, ରାଜ୍ୟ ସଭାପତି ଶିବ ହାତୀ ଯାଦବ ଓ ଦଳୀୟ ନେତୃବୃନ୍ଦ ସମସ୍ତଙ୍କୁ ସ୍ବାଗତ କରିଥିଲେ। ଏହି ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ସମାଜବାଦୀ ପାର୍ଟିର ନୂଆପଡ଼ା ଜିଲ୍ଲା ସମ୍ପାଦକ ଗଙ୍ଗାଧର ବନଛୋର, ଦଳିତ ନେତା ବୁଧାରୁ ବିଭାର, କାହ୍ନୁ ଜଗତ, କିଶୋର କଠାର ପ୍ରମୁଖ ଉପସ୍ଥିତ ଥିଲେ।

 

ନୂଆପଡ଼ା ଉପନିର୍ବାଚନରେ ସମାଜବାଦୀ ପାର୍ଟିର ପ୍ରାର୍ଥୀ ପ୍ରତିଦ୍ଵନ୍ଦିତା କରିବା ଉପରେ ବିଚାର କରାଯାଉଥିବା ଦଳ ପକ୍ଷରୁ କୁହାଯାଇଛି। ଯାହା ନୂଆପଡ଼ା ରାଜନୀତିରେ ନୂତନ ସମିକରଣ ସୃଷ୍ଟି କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.