ଦର୍ଶକ ହୃଦୟରେ ଅଲିଭା ଛାପ ଛାଡ଼ିଲା କାରୁଣ୍ଡ କଳାମଞ୍ଚର ନାଟକ ‘ଭିନ୍ନ ଏକ ପଥ’

ଓଡ଼ିଆ ବାର୍ତ୍ତା/ ଭୁବନେଶ୍ଵର: କାରୁଣ୍ଡ କଳାମଞ୍ଚ, ଭବାନୀପାଟଣାର ନାଟକ ‘ଭିନ୍ନ ଏକ ପଥ’ ଦର୍ଶକଙ୍କ ହୃଦୟରେ ଗଭୀର ସ୍ପନ୍ଦନ ସୃଷ୍ଟି କରିଛି। ଜୀବନର ନୈସର୍ଗିକ ଛବିକୁ ଅତ୍ୟନ୍ତ ସୂକ୍ଷ୍ମ ଓ ସଜୀବ ରୂପେ ଉପସ୍ଥାପନ କରିଛନ୍ତି କଳାହାଣ୍ଡିର ପ୍ରତିଭାବାନ କଳାକାରମାନେ।

ବିଦ୍ୟାକନକ ସୃଜନାନୁଷ୍ଠାନ ଆୟୋଜିତ ଚତୁର୍ଦ୍ଦଶୀୟ ନାଟ୍ୟ ମହୋତ୍ସବ ଭୁବନେଶ୍ୱରର ଐତିହ୍ୟମଣ୍ଡିତ ଭଞ୍ଜକଳା ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟସ୍ତରୀୟ ଏହି କଳାମେଳାରେ ବିଭିନ୍ନ ଅନୁଷ୍ଠାନ ସୃଜନଶୀଳ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। 

ଏହି ମହୋତ୍ସବରେ କାରୁଣ୍ଡ କଳାମଞ୍ଚର କଳାକାରମାନେ ‘ଭିନ୍ନ ଏକ ପଥ’ ନାଟକ ପରିବେଷଣ କରି ସମସ୍ତଙ୍କ ମନୋରଞ୍ଜନ କରିଥିଲେ। ଏକ ନାରୀର ଜୀବନସଂଘର୍ଷ ଓ ଅନ୍ତର୍ନିହିତ ଦ୍ୱନ୍ଦ୍ୱକୁ ଏହି ନାଟକ ଏଭଳି ହୃଦୟସ୍ପର୍ଶୀ ଭାବେ ଚିତ୍ରଣ କରିଥିଲା ଯେ, ସମ୍ପୂର୍ଣ୍ଣ ଭଞ୍ଜକଳା ମଣ୍ଡପ ଦର୍ଶକଙ୍କ ଅବିରାମ କରତାଳିରେ ମୁଖରିତ ହୋଇ ଉଠିଥିଲା।

ଏହି ନାଟକର ରଚନା ଓ ନିର୍ଦ୍ଦେଶନାରେ ଥିଲେ ନାଟ୍ୟଭୂଷଣ ପ୍ରଦୀପ ଡି. ମାଝୀ, ଯାହାଙ୍କ ସୃଜନଶୀଳ ଦୂରଦୃଷ୍ଟି ନାଟକଟିକୁ ଏକ ଅନୁପମ ରୂପ ଦେଇଥିଲା। 

ସଂଗୀତରେ ଜୀବନ ସଞ୍ଚାର କରିଥିଲେ ଗୁରୁ ଦେବେନ୍ଦ୍ର ବାଗ ଓ ଗୁରୁ ଅଜୟ ଗୋପାଳ।

ଅଭିନୟରେ ଜୀବନ୍ତ ଚରିତ୍ର ସୃଷ୍ଟି କରିଥିଲେ ଆର୍ତ୍ତତ୍ରାଣ ସାହୁ, କାହ୍ନୁଚରଣ ଗଉଡ଼, ଦୀପ୍ତିମୟୀ ସିଂହ, ବିଜେତା ବାଗ ଓ କେ. ଗୋପୀ ନାୟର, ଯାହାଙ୍କ ଅଭିନୟ ଦର୍ଶକଙ୍କ ହୃଦୟରେ ଅନୁଭବର ଅଲିଭ ଛାପ ଛାଡ଼ିଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.