ବାଲେଶ୍ଵର ଜିଲ୍ଲା ସମେତ ରାଜ୍ୟରେ ଅଧିକ ସଂଖ୍ୟକ ବି.ଏଡ଼୍. କଲେଜ ଖୋଲିବା ପାଇଁ ବିଧାନସଭାରେ ଦାବି କଲେ ବସ୍ତା ବିଧାୟିକା ସୁବାସିନୀ ଜେନା

ହଜାର ହଜାର ପିଲା ବି.ଏଡ଼୍. ପଢ଼ିବାକୁ ବାହାରକୁ ଯାଉଛନ୍ତି

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି): ବସ୍ତା ବିଧାୟିକା ସୁବାସିନୀ ଜେନା ବିଧାନସଭାରେ ଏକ ତାରକା ପ୍ରଶ୍ନ ଉଠାଇ ସମଗ୍ର ରାଜ୍ୟରେ ବି.ଏଡ଼ ପଢ଼ିବା ପାଇଁ କେତୋଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅଛି ଏବଂ ପ୍ରତିବର୍ଷ ଆମ ରାଜ୍ୟରୁ ହଜାର ହଜାର ପିଲା ବି.ଏଡ଼୍ ପଢ଼ିବା ପାଇଁ ଅନ୍ୟ ରାଜ୍ୟକୁ ଯାଉଛନ୍ତି ଜାଣିବାକୁ ଚାହିଁଥିଲେ। ରାଜ୍ୟରେ ସମସ୍ତ ଭିତ୍ତିଭୂମି ଥାଇ ମଧ୍ୟ କଣ ପାଇଁ ଅଧିକ ସଂଖ୍ୟକ ସରକାରୀ ବି.ଏଡ଼ କଲେଜ୍ ଖୋଲାଯାଉ ନାହିଁ ତାହା ଜଣାଇବେ କି ଓ ଏଥି ସହିତ ବାଲେଶ୍ଵର ଜିଲ୍ଲାରେ ଗୋଟିଏ ସରକାରୀ ବି.ଏଡ଼ କଲେଜ୍ ଥିବା ବେଳେ, ଜିଲ୍ଲାରେ ଶିକ୍ଷିତ ଛାତ୍ରଛାତ୍ରୀଙ୍କ ସଂଖ୍ୟା ବୃଦ୍ଧି ହେତୁ ବାଲେଶ୍ୱରରେ ଆଉ ଏକ ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ବା ବି.ଏଡ଼୍ କଲେଜ୍ ଖୋଲିବାର ପ୍ରସ୍ତାବ ରାଜ୍ୟ ସରକାରଙ୍କର ଅଛି କି ବୋଲି ପ୍ରଶ୍ନ କରିଥିଲେ। ଏହାର ଉତ୍ତରରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ସମଗ୍ର ରାଜ୍ୟରେ ବି.ଏଡ଼ ପଢିବା ପାଇଁ ଓଡିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଅଧୀନରେ ୧୬ ଟି ସରକାରୀ ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟ ଅଛି। ଏଗୁଡିକରେ ୨ ବର୍ଷ ବି.ଏଡ଼ ରେ ୧୭୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଛନ୍ତି। ଏତଦ୍ ବ୍ୟତୀତ ଅନ୍ୟ ୧୫ଟି ମହାବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟମାନଙ୍କରେ ୭୫୦ ଜଣ ଛାତ୍ରଛାତ୍ରୀ ମଧ୍ୟ ୨ ବର୍ଷୀୟ ବି.ଏଡ଼ ଶିକ୍ଷା ଗ୍ରହଣ କରୁଛନ୍ତି। ଏପରି ଭାବେ ପ୍ରତିବର୍ଷ ମୋଟ ୨୪୫୦ ଛାତ୍ର ଛାତ୍ରୀ ୨-ବର୍ଷିଆ ବି.ଏଡ଼ ପାଠ୍ୟକ୍ରମରେ ଅଧ୍ୟୟନ କରୁଛନ୍ତି। ଏହାଛଡା ୪ ବର୍ଷିଆ ସମନ୍ବିତ ବି.ଏଡ଼ ପାଠ୍ୟକ୍ରମ/ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ(ଆଇ.ଟି.ଇ.ପି) ପାଠ୍ୟକ୍ରମରେ ତିନୋଟି ମହାବିଦ୍ୟାଳୟ ଓ ତିନୋଟି ବିଶ୍ବବିଦ୍ୟାଳୟରେ ମୋଟ ୫୫୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସେହିପରି ୩ ବର୍ଷିଆ ସମନ୍ବିତ ବି.ଏଡ଼ ଓ ଏମ.ଏଡ଼ ପାଠ୍ୟକ୍ରମ ଚାରୋଟି ବିଶ୍ବବିଦ୍ୟାଳୟରେ ଉପଲବ୍ଧ ଅଛି। ଏଥିରେ ପ୍ରତିବର୍ଷ ୨୦୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ସୁତରାଂ ସମୁଦାୟ ୩୨୦୦ ଜଣ ଛାତ୍ରଛାତ୍ରୀ ପ୍ରତିବର୍ଷ ବି.ଏଡ଼ ଶିକ୍ଷା ଗ୍ରହଣ କରୁଛନ୍ତି। ଚଳିତ ବର୍ଷ ରାଜ୍ୟରେ ଜାତୀୟ ଶିକ୍ଷାନୀତି-୨୦୨୦ ପ୍ରଣୟନ ହେବା ପରେ, ୨ବର୍ଷିଆ ବି.ଏଡ଼ ପାଠ୍ୟକ୍ରମ ପ୍ରତିବଦଳରେ ୪ ବର୍ଷିଆ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମକୁ ଗୁରୁତ୍ବ ଆରୋପ କରାଯାଉଅଛି। ଏହିପରି, ରାଜ୍ୟରେ ୫ ଗୋଟି ସରକାରୀ ମହାବିଦ୍ୟାଳୟ ଓ ଗୋଟିଏ ବିଶ୍ବବିଦ୍ୟାଳୟରେ ୨ ବର୍ଷିଆ ଏମ.ଏଡ଼ ପାଠ୍ୟକ୍ରମ ଚାଲୁଅଛି। ଏଥିରେ ସର୍ବମୋଟ୍ ପ୍ରତିବର୍ଷ ୩୦୦ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ରାଜ୍ୟରେ ଗୁଣାତ୍ମକ ଶିକ୍ଷାର ବିକାଶ ଓ ବି.ଏଡ଼ ଶିକ୍ଷାରେ ଛାତ୍ର ସଂଖ୍ୟା ବଢାଇବା ପାଇଁ ବିଭିନ୍ନ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ମାନଙ୍କୁ ନିର୍ଦ୍ଦେଶ ଦିଆ ଯାଇଥିଲା ଏବଂ ସେହି କ୍ରମରେ ଆଗାମୀ ଶିକ୍ଷାବର୍ଷ ୨୦୨୬-୨୭ ରେ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇ.ଟି.ଇ.ପି) ପାଠ୍ୟକ୍ରମ ପାଇଁ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ.ସି.ଟି.ଇ)ର ଅନୁମୋଦନ ପାଇଁ, ଆବେଦନ କରିଥିବା ଉଚ୍ଚଶିକ୍ଷା ଅନୁଷ୍ଠାନ ମାନଙ୍କରେ ସିଟ୍ ସଂଖ୍ୟା ୧୫୫୦ ପର୍ଯ୍ୟନ୍ତ ଉପଲବ୍ଧ କରିବା ପାଇଁ ସରକାରଙ୍କ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଛି। ଏଥି ସହିତ ବାଲେଶ୍ବର ଜିଲ୍ଲାରେ ଆସନ୍ତା ୨୦୨୬-୨୭ ଶିକ୍ଷାବର୍ଷରୁ ନୂତନ ସମନ୍ବିତ ଶିକ୍ଷକ ଶିକ୍ଷା କାର୍ଯ୍ୟକ୍ରମ (ଆଇ.ଟି.ଇ.ପି) ଅନୁମୋଦନ ପାଇଁ ଫକୀରମୋହନ ବିଶ୍ବବିଦ୍ୟାଳୟ ଏବଂ କୁନ୍ତଳା କୁମାରୀ ସାବତ ମହିଳା ମହାବିଦ୍ୟାଳୟର ପ୍ରସ୍ତାବ ଜାତୀୟ ଶିକ୍ଷକ ଶିକ୍ଷା ପରିଷଦ (ଏନ.ସି.ଟି.ଇ)ର ବିଚରାଧୀନ ଅଛି ବୋଲି ଉତ୍ତର ରଖିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.