ଛାତ୍ରଛାତ୍ରୀଙ୍କ ନିରାପତ୍ତା ସମ୍ପର୍କିତ ତାଲିମ ଶିବିର ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିଭାଗ ଦ୍ୱାରା ପରିଚାଳିତ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ନିରାପତ୍ତାକୁ ନେଇ “ଚାଲ ନିରାପତ୍ତାର କଥା ହେବା” ଶୀର୍ଷକ ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ତାଲିମ ଶିବିର ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା। ଜିଲ୍ଲାର ୧୨୦ ଜଣ ପ୍ରଧାନଶିକ୍ଷକ, ପ୍ରଧାନଶିକ୍ଷୟିତ୍ରୀ ଏହି ଶିବିରରେ ସାମିଲ ହୋଇଥିଲେ। ଏଥିରେ ବିଭାଗୀୟ ସମସ୍ତ ନିର୍ଦ୍ଦେଶାବଳୀ ସମ୍ପର୍କରେ ଅବଗତ ହେବା ସହ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା, ତାଙ୍କ ସାମଗ୍ରିକ ବିକାଶ ଓ ନେତୃତ୍ୱ ନେବା କୌଶଳ ତଥା ଦକ୍ଷତା ବୃଦ୍ଧି ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା ହୋଇଥିଲା। ଉଦଘାଟନୀ ଉତ୍ସବରେ ସମ୍ମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ପ୍ରଦ୍ୟୁମ୍ନ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ କୁଟିଆ କନ୍ଧ ଉନ୍ନୟନ ସଂସ୍ଥାର ସ୍ୱତନ୍ତ୍ର ଅଧିକାରୀ ଶରତ ଚନ୍ଦ୍ର ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଜାନକୀ ବଲ୍ଲଭ ସାମନ୍ତରାୟ, ମହାପ୍ରସାଦ ଦାସ, ମୋହିତ କୁମାର ଭୋଇ, ଦେବସ୍ମିତା ଦୀପ ପ୍ରମୁଖ ଯୋଗ ଦେଇଥିଲେ। ରାଜ୍ୟ ସାଧନ କର୍ମୀ ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ସାମନ୍ତରାୟଙ୍କ ସହିତ ମଧୁପୁର ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବେଦବ୍ୟାସ ପ୍ରଧାନ, ମୁକ୍ତବୃତ୍ତ ସାଧନ କର୍ମୀ ଗୀତାଞ୍ଜଳି ପଟ୍ଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ସୁଧାଂଶୁ ଶେଖର ମହାପାତ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଅନ୍ତର୍ଯ୍ୟାମୀ କହଁରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ଗୌଡ଼ିଆ, ଶୈଳେଶ ନାଏକ, ବଳଭଦ୍ର ପ୍ରଧାନ, ଆଶିଷ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.