ମହିଳା ଅସଦାଚରଣରେ ଓଡ଼ିଶା ୩ ନମ୍ବର
ଓଡ଼ିଆ ବାର୍ତ୍ତା/ ଭୁବନେଶ୍ବର: ଓଡ଼ିଶାର ଅପରାଧ ହାର ଉପରମୁହାଁ। ମହିଳା ଓ ଶିଶୁ ବିରୁଦ୍ଧରେ ଅପରାଧଠୁ ଆରମ୍ଭ କରି ବଳାତ୍କାର, ଏସିଡ୍ ଆକ୍ରମଣ, ହତ୍ୟା, ଯୌତୁକ ନିର୍ଯାତନା, ମହିଳା ଚାଲାଣ, ଯୌନ ନିର୍ଯାତନା, ଅସଦାଚରଣ ଆଦି ମହିଳା ବିରୋଧୀ ହିଂସା ଓଡ଼ିଶାରେ ପ୍ରତିବର୍ଷ ବଢ଼ିଚାଲିଛି। ଏ ନେଇ ସମାଜବାଦୀ ପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ଭାଜପା ସରକାରକୁ କଡା ସମାଲୋଚନା କରିଛନ୍ତି ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ। ସେ କହିଛନ୍ତି ଯେ ‘ବିଜେପି ଯୋଉଠି ବଳାତ୍କାର ସେଇଠି।’ ଦେଶରେ ବିଜେପି ଶାସିତ ରାଜ୍ୟ ମାନଙ୍କରେ ମହିଳା ଉତ୍ପୀଡ଼ନ ସହିତ ହତ୍ୟା, ଡକାୟତି, ରାହାଜାନି ଭଳି ସଂଗୀନ ମାମଲା ଦୈନଦିନ ବଢ଼ିବାରେ ଲାଗିଛି। ଉଦାହରଣ ସ୍ୱରୂପ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପରେ ଏବେ ଓଡିଶା ଅପରାଧଙ୍କ ପାଇଁ ଏକ ସୁରକ୍ଷିତ ସ୍ଥାନ ପାଲଟିଛି। ବାହାର ରାଜ୍ୟର ଅପରାଧୀ ସରକାରଙ୍କ ଛତ୍ର ଛାୟା ତଳେ ଏବେ ଓଡିଶାର ଉପକୁଳରୁ ଉପାନ୍ତ ଯାଏ ଘୁରି ବୁଲୁଛନ୍ତି। ‘ମିଛର ସୌଦାଗର ଡବଲ ଇଂଜିନ ସରକାର’ ବୋଲି ଶ୍ରୀ ହାତୀ ଯାଦବ କଟାକ୍ଷ କରିଛନ୍ତି। ପ୍ରକାଶ ଥାଉକି ଦଶହରା ଦିନ ଓଡ଼ିଶାର ପ୍ରମୁଖ କାରାଗାର ଚୌଦ୍ୱାରରୁ ଦୁଇ ଜଣ କୁଖ୍ୟାତ ଅପରାଧୀ ଫେରାର ହେବା ସରକାର ଏବଂ ପୋଲିସ ବିଭାଗର ଅପାରଗତାର ନିଦର୍ଶନ।
ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍ସିଆର୍ବି) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ୨୦୨୩ ର (ସଦ୍ୟ ପ୍ରକାଶିତ) ସାରା ଦେଶରେ ମହିଳା ବିରୋଧୀ ହିଂସା ବଢ଼ିଛି। ମହିଳା ଅସଦାଚରଣରେ ଓଡ଼ିଶା ଦେଶରେ ୩ ନମ୍ବରରେ ରହିଛି। ୯ ହଜାର ୩୬୭ ମହିଳା ଅସଦାଚରଣର ଶିକାର ହୋଇଛନ୍ତି। ୨୫ ହଜାର ୯୧୪ ମହିଳା ବିରୋଧୀ ହିଂସା ଘଟିଛି। ଏହି ତୁଳନାରେ ୨୦୨୨ରେ ମହିଳା ବିରୋଧୀ ହିଂସା ଥିଲା ୨୩ ହଜାର ୬୪୮। ୨୦୨୩ରେ ୬ ହଜାର ୬୧୫ ଅପହରଣ। ମାମଲା ହୋଇଥିବା ବେଳେ ୧୧୯, ୧୯୫ଟି ବଳାତ୍କାର ଘଟଣା ଘଟିଛି।
ରିପୋର୍ଟ ଅନୁସାରେ ମହିଳାଙ୍କ ବିରୋଧରେ ଅପରାଧରେ ଓଡ଼ିଶା ସମଗ୍ର ଦେଶରେ ତୃତୀୟ ସ୍ଥାନରେ ଅନୁସୂଚିତ ଜନଜାତିଙ୍କ ବିରୋଧରେ ମାମଲାରେ ୪ର୍ଥ, ଅନୁସୂଚିତ ଜାତିଙ୍କ ବିରୋଧରେ ଦେଶରେ ୫ମ, ପକସୋ ମାମଲାରେ ୪ର୍ଥ ଏବଂ ଶିଶୁମାନଙ୍କ ବି ବିରୋଧରେ ସାମଗ୍ରିକ ଅପରାଧରେ ୬ଷ୍ଠ ସ୍ଥାନରେ ରହିଛି। ଓଡ଼ିଶା ସାଇବର ଅପରାଧରେ ୧୦ମ ସ୍ଥାନରେ ଥିଲା ବେଳେ ଦୋଷୀ ସାବ୍ୟସ୍ତ ହାର ଅତ୍ଯନ୍ତ ନିରାଶାଜନକ ରହିଛି। ଯାହା ଓଡ଼ିଶାର ଉଭୟ ପୁଲିସ ଓ ନ୍ୟାୟ ବ୍ୟବସ୍ଥାର ବିଫଳତାକୁ ଅଙ୍ଗୁଳି ନିର୍ଦେଶ କରିଛି। ତେଣୁ ରାଜ୍ୟ ସରକାର ଶାନ୍ତିପୂର୍ଣ ଓଡିଶାକୁ ଅପରାଧ ମୁକ୍ତ କରିବା ପାଇଁ ପୋଲିସ ବିଭାଗର କ୍ରିୟା ଶୀଳତାକୁ ତ୍ୱରାନ୍ୱିତ କରିବା ସହ ବାହାର ରାଜ୍ୟର ଅପରାଧୀ ମାନଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମାଜବାଦୀ ପାର୍ଟି ଦାବି କରିଛି।





