ବାଲେଶ୍ବରର ହାଇଲ୍ୟାଣ୍ଡ ଗ୍ରୁପ୍ ଓ ବିଶ୍ୱ ଖୁଚୁରା ବ୍ୟବସାୟର ଅନ୍ୟତମ ଅଗ୍ରଣୀ ଲୁଲୁ ଗ୍ରୁପ୍ ସହଭାଗୀତାରେ ସ୍ୱତନ୍ତ୍ର ସାମୁଦ୍ରିକ ଖାଦ୍ୟ ବ୍ରାଣ୍ଡ୍ ‘ଆକ୍ୱା ଫେୟାର୍’ର ଶୁଭାରମ୍ଭ କଲା

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର (କୃଷ୍ଣ କୁମାର ମହାନ୍ତି) ନିକଟରେ ନୂଆଦିଲ୍ଲୀ ପ୍ରଗତି ମଇଦାନ ଠାରେ ଅନୁଷ୍ଠିତ ବିଶ୍ୱ ଖାଦ୍ୟ ପ୍ରଦର୍ଶନୀରେ ବାଲେଶ୍ବରର ହାଇଲ୍ୟାଣ୍ଡ ଗ୍ରୁପ୍ ଓ ବିଶ୍ୱ ଖୁଚୁରା ବ୍ୟବସାୟର ଅନ୍ୟତମ ଅଗ୍ରଣୀ ଲୁଲୁ ଗ୍ରୁପ୍ ସହଭାଗୀତାରେ ଏକ ସ୍ୱତନ୍ତ୍ର ସାମୁଦ୍ରିକ ଖାଦ୍ୟ ବ୍ରାଣ୍ଡ୍ ‘ଆକ୍ୱା ଫେୟାର୍’ର ଶୁଭାରମ୍ଭ କରାଯାଇଛି। ଏଥି ସହିତ ମଧ୍ୟପ୍ରାଚ୍ୟରେ ଥିବା ଲୁଲୁ ଗ୍ରୁପ୍ ର ମଲ୍ ଗୁଡ଼ିକୁ ମଧ୍ୟ ପ୍ରଥମ ଥର ପାଇଁ ଏହି ପ୍ରିମିୟମ୍ ବ୍ରାଣ୍ଡ୍ ଚିଙ୍ଗୁଡ଼ିକୁ ପ୍ରେରଣ କରାଯାଇଛି। ଯାହାକି ଭାରତର ସାମୁଦ୍ରିକ ଖାଦ୍ୟ ଶିଳ୍ପ ଏବଂ ସାମୁଦ୍ରିକ ଖାଦ୍ୟ ରପ୍ତାନି ପାଇଁ ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଛି। ଏହାଫଳରେ ଉଚ୍ଚମାନର ଜଳ କୃଷିଜାତ ଖାଦ୍ୟ ଉତ୍ପାଦନ କରୁଥିବା ରାଜ୍ୟମାନଙ୍କ ଭିତରେ ଆମ ରାଜ୍ୟ ଓଡ଼ିଶା ଏକ ପ୍ରମୁଖ କେନ୍ଦ୍ର ଭାବରେ ନିଜର ସ୍ଥିତିକୁ ସୁଦୃଢ଼ କରିପାରିବ ବୋଲି ଆଶା ବ୍ୟକ୍ତ କରାଯାଇଛି।

ଏହି ଅବସରରେ ଲୁଲୁ ଗ୍ରୁପ୍ ର ଅଧ୍ୟକ୍ଷ ଏମ୍.ଏ. ୟୁସୁଫ୍ ଅଲ୍ଲି କହିଛନ୍ତି, ମଧ୍ୟପ୍ରାଚ୍ୟ ଏବଂ ଭାରତୀୟ ଗ୍ରାହକମାନଙ୍କୁ ସ୍ଥାୟୀ ଭାବରେ ସାମୁଦ୍ରିକ ଖାଦ୍ୟ ଯୋଗାଇବା ଆମର ଲକ୍ଷ୍ଯ ଅଟେ। ସେହିଭଳି ହାଇଲାଣ୍ଡ ଗ୍ରୁପ୍ ର ଚେୟାରମେନ୍ ରବୀନ୍ଦ୍ର କୁମାର ଜେନା କହିଛନ୍ତି, ‘ଆକ୍ୱା ଫେୟାର୍’ର ଶୁଭାରମ୍ଭ ଏବଂ ଏହି ପ୍ରିମିୟମ୍ ଚିଙ୍ଗୁଡ଼ିର ମଧ୍ୟପ୍ରାଚ୍ୟ ଲୁଲୁ ମଲ୍ ଗୁଡିକୁ ପ୍ରଥମ ରପ୍ତାନୀ, ହାଇଲ୍ୟାଣ୍ଡ୍ ସହିତ ଆମ ରାଜ୍ୟର ସଫଳତାରେ ଏକ ମାଇଲଖୁଣ୍ଟ ସଦୃଶ ଓ ଲୁଲୁ ଗ୍ରୁପ୍ ସହିତ ଏହି ସହଭାଗୀତା ବିଶ୍ୱ ବଜାରରେ ସର୍ବୋତ୍ତମ ଭାରତୀୟ ସାମୁଦ୍ରିକ ଖାଦ୍ୟ ପହଞ୍ଚାଇବାରେ ଆମର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବ।

ଏଠାରେ ଉଲ୍ଲେଯୋଗ୍ୟ କି ହାଇଲାଣ୍ଡ୍ ଗ୍ରୁପ୍ ତାହାର ସୁବ୍ୟବସ୍ଥିତ ନେଟୱର୍କ ମାଧ୍ୟମରେ ଉନ୍ନତମାନର ଫାର୍ମ ଚି଼ଙ୍ଗୁଡ଼ି ସଂଗ୍ରହ କରି ବାଲେଶ୍ୱରରେ ଥିବା ଅତ୍ୟାଧୁନିକ ପ୍ରକ୍ରିୟାକରଣ କେନ୍ଦ୍ରରେ ପ୍ରୋସେସିଂ କରିବାସହ ନିଜ ବ୍ରାଣ୍ଡର ସତେଜତା, ଗୁଣବତ୍ତା ଏବଂ ଅନ୍ତର୍ଜାତୀୟ ଖାଦ୍ୟ-ସୁରକ୍ଷା ମାନଦଣ୍ଡ ପାଳନ କରି ଉଭୟ ମଧ୍ୟପ୍ରାଚ୍ୟର ଗ୍ରାହକ ଏବଂ ଭାରତୀୟ ଖୁଚୁରା ବଜାରକୁ ଖାଦ୍ୟ ଯୋଗାଇବା ପାଇଁ ଲକ୍ଷ୍ଯ ରଖିଛି। ନିକଟରେ ଦୁବାଇର ଗଲଫୁଡ୍-୨୦୨୫ରେ ସ୍ୱାକ୍ଷରିତ ହୋଇଥିବା ଏକ ଚୁକ୍ତି ଅନୁଯାୟୀ ବାଲେଶ୍ଵରର ହାଇଲ୍ୟାଣ୍ଡ ଗ୍ରୁପ୍ ଲୁଲୁ ଗ୍ରୁପକୁ ସାମୁଦ୍ରିକ ଖାଦ୍ୟ, ଚାଉଳ, ଫଳ ଏବଂ ପନିପରିବା ଯୋଗାଇବା ଦ୍ୱାରା ଓଡ଼ିଶା ଏବଂ ମଧ୍ୟପ୍ରାଚ୍ୟ ମଧ୍ୟରେ ବାଣିଜ୍ୟ ଏବଂ ନିବେଶ ସମ୍ପର୍କ ଆହୁରି ବୃଦ୍ଧି ପାଇବ। ‘ଆକ୍ୱା ଫେୟାର୍ ବ୍ରାଣ୍ଡ୍’ ଆରମ୍ଭ କରିବା ଦ୍ୱାରା ହାଇଲ୍ୟାଣ୍ଡ ଗ୍ରୁପ୍ ଏହାର ଏକ ବିଶ୍ୱସ୍ତରୀୟ ପରିଚୟ ସୃଷ୍ଟି କରିବା ସହ ଜଳକୃଷି ଏବଂ ବିଶ୍ୱସ୍ତରୀୟ ସାମୁଦ୍ରିକ ଖାଦ୍ୟ ରପ୍ତାନିରେ ଭାରତର ଦକ୍ଷତାକୁ ମଧ୍ୟ ପ୍ରଦର୍ଶନ କରିପାରିଛି ।

ଏହି କାର୍ଯ୍ୟକ୍ରମରେ ଲୁଲୁ ଗ୍ରୁପର ଅଧ୍ୟକ୍ଷ ଏମ.ଏ. ୟୁସୁଫ୍ ଅଲ୍ଲି, ଲୁଲୁ ଗ୍ରୁପର ଗ୍ଲୋବାଲ୍ ଅପରେସନ୍‌ସ ଗ୍ରୁପ୍ ନିର୍ଦ୍ଦେଶକ ଏମ.ଏ. ସଲିମ୍ ଅଲ୍ଲି, ହାଇଲ୍ୟାଣ୍ଡ ଗ୍ରୁପର ଅଧ୍ୟକ୍ଷ ରବୀନ୍ଦ୍ର କୁମାର ଜେନା, ହାଇଲ୍ୟାଣ୍ଡ ଗ୍ରୁପର ପରିଚାଳନା ନିର୍ଦ୍ଦେଶକ ପ୍ରତୀକ ଜେନା, ହାଇଲ୍ୟାଣ୍ଡ ଗ୍ରୁପର ମଧ୍ୟପ୍ରାଚ୍ୟ ଅପରେସନ୍‌ସ ନିର୍ଦ୍ଦେଶକ ଅନିଲ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.