ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ସଦର ବ୍ଲକ କୁରୁଡ଼ା ଛକ ଠାରେ ଥିବା ଆଞ୍ଚଳିକ ସୁରକ୍ଷା ମଞ୍ଚ ସଂଗଠନ ଗୃହରେ ସଭାପତି କମଳ କୁମାର ରାଉତଙ୍କ ସଭାପତିତ୍ୱରେ
ବର୍ଷୀୟାନ ଯାତ୍ରା କଳାକାର ତଥା ଆଞ୍ଚଳିକ ସୁରକ୍ଷା ମଞ୍ଚର ଉପଦେଷ୍ଟା ସ୍ବର୍ଗତ ପ୍ରଶାନ୍ତ କୁମାର ପାଢ଼ୀଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସଂଗଠନର କର୍ମକର୍ତ୍ତା ଓ ଅଞ୍ଚଳର ପ୍ରତିଷ୍ଠିତ ବ୍ୟକ୍ତି ସର୍ବଶ୍ରୀ ରଞ୍ଜନ କୁମାର ଦାସ, ଅଶ୍ଵିନୀ କୁମାର ଦାଶ, ସୁଧାକର ରାଉତ, ସଂଜୀବ ପ୍ରଧାନ,ମହେଶ ପାଣି, ସଂଜୀବ ନାୟକ, ବିଶ୍ୱନାଥ ସିଂ, ବଳୁ ସିଂ ପ୍ରମୁଖ ସ୍ମୃତି ଚାରଣ କରିବା ସହ ଆମର ଆତ୍ମାର ସଦଗତି କାମନା କରିଥିଲେ। ସ୍ବର୍ଗତ ପାଢ଼ୀ ଜଣେ ଆଞ୍ଚଳିକ ଯାତ୍ରା ଅନୁଷ୍ଠାନରେ ସଫଳ ଲୋକପ୍ରିୟ ଅଭିନେତା ଭାବରେ ସୁଖ୍ୟାତି ଅର୍ଜନ କରିଥିଲେ, ଖଳନାୟକ ହେଉକି ଅନ୍ୟ ଚରିତ୍ର ନିଖୁଣ ଅଭିନୟ ଦର୍ଶକ ହୃଦୟକୁ ବାନ୍ଧି ରଖିଥାନ୍ତି। ସେଦିନ ଅଶୁଭ ଅକ୍ଟୋବର ନଅ ସବୁକିଛି ବିଗାଡି ଦେଇଥିଲା। ଘରୁ ନିଜ ବୁଲେଟରେ ଜୀବନର ଶେଷ ନାଟକ ଅଭିନୟ କରିବାକୁ ବାହାରିଥିଲେ। ଯାତ୍ରା ଅବଧି ଥିଲା ବାଲେଶ୍ୱରରୁ ଠାକୁରମୁଣ୍ଡା। ସବୁକିଛି ରହିଗଲା ଅଧା। ମର୍ମନ୍ତୁଦ ଦୁର୍ଘଟଣା ଜନିତ ମୃତ୍ୟୁ ସମସ୍ତଙ୍କୁ କରିଦେଇଛି ସ୍ତବ୍ଧ, ନିର୍ବାକ। ଆଜି ପର୍ଯ୍ୟନ୍ତ ବିଶ୍ୱାସ କରି ହେଉନି ବୋଲି ଅଶ୍ରୁଳ ନୟନରେ କଥା ରଖିଥିଲେ ଯୁବ ସାମାଜିକ କର୍ମୀ ରଞ୍ଜନ ଦାସ। ଏମିତି ବିରଳ ବହୁମୁଖୀ ବ୍ୟକ୍ତିତ୍ୱ ମିଳିବା ସହଜ ନୁହେଁ, ଜଣେ ଭଲ ମଣିଷ ଭାବରେ ସମସ୍ତଙ୍କର ପ୍ରିୟ ଥିଲେ। ମୂଳଘର ବଡକିଆରୁ ଆସି କିଛି ବର୍ଷ ଧରି ହରିଡ଼ାଗ୍ରାମରେ ଘରକରି ବସବାସ କରି ଆସୁଥିଲେ। ଯାତ୍ରା ଅଭିନୟ ପ୍ରତି ସମର୍ପଣ ଭାବ ସମସ୍ତଙ୍କ ଠାରେ ପରିଚିତି ଆଣି ଦେଇଥିଲା। ତାଙ୍କର ସଂଳାପ ଥରେ ଯିଏ ଶୁଣିଛି, ତାଙ୍କୁ ସବୁଦିନେ ମନେରଖିଛି। ବିଭିନ୍ନ ଯାତ୍ରା ଦଳରେ ଅଭିନୟ କରିଥିବା ସହ, ସମ୍ପ୍ରତି କଳିଙ୍ଗ ଦରବାର ଯାତ୍ରା ଦଳରେ ଅଭିନନ୍ଦନ କରୁଥିଲେ। ଅବସର ସମୟରେ ସାମାଜିକ କର୍ମରେ ନିଜକୁ ମଧ୍ୟ ନିୟୋଜିତ କରୁଥିଲେ। ସୂଚନାଧିକାର କର୍ମୀ ହିସାବରେ ମଧ୍ଯ ବେଶ ସୁନାମ ଆଣିଥିଲେ। କୁରୁଡ଼ା ଦୁର୍ଗାପୂଜା କମିଟି, କୁରୁଡ଼ା ମହୋତ୍ସବ କମିଟି, ଆଞ୍ଚଳିକ ସୁରକ୍ଷା ମଞ୍ଚ ସମେତ ବିଭିନ୍ନ ସାମାଜିକ ଅନୁଷ୍ଠାନରେ ଆଗଭର ହୋଇ କାମ କରିବା ସବୁଦିନେ ମନେ ରହିବ ବୋଲି ବାଷ୍ପରୁଦ୍ଧ କଣ୍ଠରେ ଅଶ୍ଵିନୀ କୁମାର ଦାଶ ଜଣାଇଥିଲେ। ଜୀବନର ଶେଷ ନାଟକ ଦେଖିପାରିଲେ ନାହିଁ ଠାକୁରମୁଣ୍ଡାର ଯାତ୍ରା ପ୍ରେମୀ, ଯାଉଥିବା ବେଳେ କୌଣସି କାରଣରୁ ନିଜେ ଚଳାଉଥିବା ବୁଲେଟରୁ ପଡି ଗୁରୁତର ଆହତ ହୋଇଥିଲେ। ଖବର ପାଇ ସହଯୋଗୀ ଯାତ୍ରାକଳାକାର ଓ ସ୍ଥାନୀୟ ଗ୍ରାମବାସୀମାନେ ନିକଟସ୍ଥ ଠାକୁରମୁଣ୍ଡା ଗୋଷ୍ଠୀ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ଓ ପରେ ବାଲେଶ୍ୱରରେ ଚିକିତ୍ସା କରିଥିଲେ। ହେଲେ ଭାଗ୍ୟର ଥିଲା ଅନ୍ୟ ସଂକେତ, ବାର ତାରିଖରେ ଆମ ସମସ୍ତଙ୍କୁ ଛାଡି ଚାଲିଗଲେ । ସେଭଳି ମେଳାପୀ, ସମାଜ ପ୍ରତି ଉତ୍ସର୍ଗୀକୃତ ମଣିଷ, ଉଚ୍ଚକୋଟୀର ଅଭିନେତା ଆମ ଅଞ୍ଚଳରେ ମିଳିବା ସହଜ ନୁହେଁ ବୋଲି କହୁକହୁ ଚୁପ ହୋଇଗଲେ ସଂଜୀବ ନାୟକ। ଏମିତି ମୃତ୍ୟୁ ସହଜେ ବିଶ୍ୱାସ କରିହେଉନି।ତାଙ୍କ ବିୟୋଗ ସମାଜରେ ଅପୂରଣୀୟ କ୍ଷତି ହୋଇଛି ଯାର ଭରଣା ସମ୍ଭବ ନୁହେଁ ବୋଲି ଜଣାଇଛନ୍ତି ସଭାପତି ଶ୍ରୀ ରାଉତ।