ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ବିଶ୍ୱନାଥପୁର ରେଞ୍ଜ ଅଞ୍ଚଳରେ ଦିନକୁ ଦିନ ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବଡ଼ୁଥିବା ବେଳେ ବିଜେପୁର ଠାରୁ ଲାଞ୍ଜିଗଡକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତା ସଳପକନା ଆମଗୁଡା ନିକଟସ୍ଥ ଜଙ୍ଗଲରେ ଘୁରି ବୁଲୁଚି ଏକଟିକିଆ ଦନ୍ତାହାତୀ। ସନ୍ଧ୍ୟା ସମୟରେ ବିଜେପୁର-ଲାଞ୍ଜିଗଡ଼ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଦନ୍ତା ହାତୀ ବୁଲୁଥିବା ବେଳେ ଲୋକେ ଉକ୍ତ ରାସ୍ତାରେ ଯାତାୟାତ କରିବାପାଇଁ ଭୟଭୀତ ହେଉଛନ୍ତି। ସୂଚନାମତେ ବିଜେପୁର ସେକ୍ସନ ସଳପକନା ଆମଗୁଡା ନିକଟସ୍ଥ ଜଙ୍ଗଲରେ ଏକ ଟିକିଆ ଦନ୍ତାହାତୀ ଘୁରି ବୁଲୁଥିବା ବେଳେ ଲୋକେ ବିଜେପୁର ଠାରୁ ଲାଞ୍ଜିଗଡ଼ ଯିବାପାଇଁ ଭୟଭୀତ ହୋଇ ପଡିଛନ୍ତି। ଏନେଇ ବିଜେପୁର ବନପାଳ ପଦ୍ମଲୋଚନ ଶବରକୁ ପଚାରିବାରୁ ବନବିଭାଗର ସମସ୍ତ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଛୁ ଏବଂ ହାତୀର ଗତିବିଧି ଉପରେ ନଜର ରଖିଛୁ ବୋଲି ପ୍ରକାର କରିଛନ୍ତି। ତେବେ କିଛି ଦିନ ତଳେ କୁମଖାଳ ପଞ୍ଚାୟତ କାତୁଲବାଇ ଗାଁର ଜଣେ ୧୮ବର୍ଷିୟ ଯୁବକ ଜଙ୍ଗଲକୁ ନିଜ ଗାଈ ଚରାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ହାବୁଡ଼ରେ ପଡ଼ି ତାଙ୍କ ମୃତ୍ୟୁ ଘଟିଥିଲା। ବର୍ତ୍ତମାନ ଲାଞ୍ଜିଗଡ଼ ଅଞ୍ଚଳରେ ବର୍ଷ ସାରା ଜଙ୍ଗଲୀ ହାତୀଙ୍କ ଉପଦ୍ରବ ବାରମ୍ବାର ଘଟୁଥିବା ବେଳେ ଧାନ ଫସଲ ସମେତ ଘରଦ୍ୱାର ଭଙ୍ଗାରୁଜା କରୁଥିବାରୁ ସନ୍ଧ୍ୟା ହେଲେ ଅଞ୍ଚଳ ଲୋକେ ହାତୀର କୋକୁଆ ଭୟରେ ଥରୁଛନ୍ତି। ଉକ୍ତ ଅଞ୍ଚଳରେ ରାତି ନହଉଣୁ ବିଜୁଳି କଟା ଯୋଗୁଁ ଲୋକେ ଆହୁରି ଭୟଭୀତ ହେଉଥିବା ବେଳେ ବିଜୁଳି ଆଲୁଅ ନଥିବା ଯୋଗୁଁ ମଧ୍ୟ ହାତୀ ଗାଁ ମୁହାଁ ହୋଇ ଅନେକ ଧନ ଜୀବନ ନଷ୍ଟ କରୁଛନ୍ତି ବୋଲି ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ବନବିଭାଗ ଏତିପ୍ରତି ଦୃଷ୍ଟି ଦେଇ ସାଧାରଣ ଲୋକ ଓ ଫସଲ କେମିତି ସୁରକ୍ଷିତ ରହିବ ସେନେଇଁ ଧ୍ୟାନ ଦିଅନ୍ତୁ ବୋଲି ଅଞ୍ଚଳ ବାସି ଦାବି କରିଛନ୍ତି।





