ଝାରଖଣ୍ଡର ବ୍ୟକ୍ତିଙ୍କ ମାଣ୍ଡେଲରେ ଆତ୍ମହତ୍ୟା

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅଧିନସ୍ଥ ମାଣ୍ଡେଲ ଗ୍ରାମର ଅଙ୍ଗନୱାଡି କେନ୍ଦ୍ର ନିକଟସ୍ଥ ଜନୈକ ବ୍ୟକ୍ତିଙ୍କ ଖଳା ଗୃହରେ ଜଣେ ୩୫ ବର୍ଷୀୟ ବ୍ୟକ୍ତି ଗତ ରାତିରେ ବେକରେ ଦଉଡ଼ି ଲଗେଇ ଆତ୍ମହତ୍ୟା କରିଥିବା ଦେଖିବାକୁ ମିଳିଛି। ଗ୍ରାମର କିଛି ବ୍ୟକ୍ତି ଶୁକ୍ରବାର ବଡ଼ି ଭୋରରୁ ନିତ୍ୟକର୍ମ ହେବାପାଇଁ ସେହି ବାଟ ଦେଇ ଯାଉଥିବା ବେଳେ ଏଭଳି ଘଟଣା ଦେଖି ପୋଲିସକୁ ଖବର କରିଥିଲେ। ନର୍ଲା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବକୁ କାଢିବା ସହ ତାର ପିନ୍ଧା ପ୍ୟାଣ୍ଟ ପକେଟରୁ ତଥ୍ଯ ପାଇ ବ୍ୟକ୍ତି ଜଣକ ଝାରଖଣ୍ଡ ରାଜ୍ୟର ବୋଲି ଜାଣି ପାରିଥିଲେ। ବ୍ୟକ୍ତି ଜଣକ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କରିଛି ତାହା ଜଣା ପଡ଼ି ନଥିବା ବେଳେ କିଛି ଦେଖଣାହାରିଙ୍କ କହିବାନୁଯାଇ ଗତ ରାତିରେ ତାର ପରିବାର ଲୋକଙ୍କ ସହ ବଚସା ହୋଇଥିଲା। ବ୍ୟକ୍ତି ଜଣକଙ୍କ ମୃତ ଶରୀର ପାଖରେ ଏକ ଭଙ୍ଗା ମୋବାଇଲ ଫୋନ ପଡ଼ିଥିଲା। ସେଥିରୁ ସିମ କାର୍ଡ କାଢ଼ି ପୋଲିସ ତାଙ୍କ ଘର ଲୋକଙ୍କ ସହ କଥା ହୋଇ ସେମାନଙ୍କୁ ନର୍ଲା ଥାନାକୁ ଡ଼ାକିଥିବା ସୂଚନା ମିଳିଛି। ତାଙ୍କ ଘର ଲୋକ ଆସିବା ପରେ ଏଵଂ ଶବ ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ପୋଲିସ ସୂତ୍ରରୁ ପ୍ରକାଶ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.