ପ୍ରଗତି ଶିକ୍ଷାନୁଷ୍ଠାନରେ ବାର୍ଷିକ ଉତ୍ସବ ‘ସମର୍ପଣ’ ପାଳିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ସହର ନିକଟବର୍ତ୍ତୀ ପ୍ରଗତି ଶିକ୍ଷାନୁଷ୍ଠାନରେ ମହାଆଡମ୍ବର ସହକାରେ ବାର୍ଷିକ ଉତ୍ସବ “ସମର୍ପଣ” ୨୦୨୫ ପାଳିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଆୟକର ବିଭଗର ମୁଖ୍ୟ କମିଶନର ଶ୍ରୀ ଶ୍ରୀକାନ୍ତ ଚାଟାର୍ଜୀ ଓ ସମ୍ମାନିତ ଅତିଥି ଭାବରେ ଉଚ୍ଚ ଶିକ୍ଷା ବିଭାଗର ଅବସରପ୍ରାପ୍ତ ଅତିରିକ୍ତ ନିର୍ଦ୍ଦେଶକ ଡ଼ଃ ଭଗବାନ ଜୟସିଂ ଯୋଗଦାନ କରିଥିଲେ । ଅନ୍ୟ ଅତିଥିମାନଙ୍କ ମଧ୍ୟରେ ପ୍ରଗତି କଲେଜର ମୁଖ୍ୟ ଅଜୟ କୁମାର ପଣ୍ଡା, ଚେୟାର ପରସନ ସୁଶ୍ରୀ ସଂଗୀତା ପଣ୍ଡା, ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା, କଂସେପ୍ଟ ସ୍କୁଲ ଅଧ୍ୟକ୍ଷ ଚିନ୍ମୟ ଗୁରୁ, ହାୟର ସେକେଣ୍ଡାରୀ ସ୍କୁଲ ଅଧ୍ୟକ୍ଷ ଶେଷଦେଵ ମୁଣ୍ଡ, ଡିଗ୍ରୀ କଲେଜ ଅଧ୍ୟକ୍ଷ ତାପସ ପରିମାଣିକ, କଲିଜିଏଟ ସ୍କୁଲ ପ୍ରଧାନ ଶିକ୍ଷକ ଲୋକନାଥ ଖଡ଼ିକାର, ଜୁନିଅର ସ୍କୁଲ ଅଧ୍ୟକ୍ଷା ଅର୍ସିଆ ସାଏଲା , ପ୍ରାଇମର ଅଧ୍ୟକ୍ଷ ରାଜଶ୍ରୀ ନାଏକ, ପ୍ରଗତି  ପରିଚାଳନା ସମିତିର ସଭାପତି ଲକ୍ଷ୍ମୀକାନ୍ତ ବେହେରା, ଭବେନ୍ଦ୍ର ପଣ୍ଡା ପ୍ରମୂଖ ଯୋଗଦାନ କରିଥିଲେ । ଏହି ଅବସରରେ ଗତ ଶିକ୍ଷାବର୍ଷରେ ୯୦ ପ୍ରତିଶତରୁ ଉର୍ଦ୍ଧ୍ବ ନମ୍ବର ରଖି କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ , ଉଭୟ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଜିଲ୍ଲା ଟପ୍ପର, ସ୍କୁଲ ଟପ୍ପର, ବିଶ୍ୱବିଦ୍ୟାଳୟ ଟପ୍ପର ଏବଂ ବିଭିନ୍ନ ଜାତୀୟ ସ୍ତରୀୟ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରଗତି ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ସ୍ବର୍ଗତ ବନମାଳୀ ପଣ୍ଡାଙ୍କ ସ୍ମୃତିରେ ଯଥାକ୍ରମେ ବନମାଳୀ ପଣ୍ଡା ବିଦ୍ୟା ରତ୍ନ ସମ୍ମାନ, ବନମାଳୀ ପଣ୍ଡା ବିଦ୍ୟା ବିଜେତା ସମ୍ମାନ, ବନମାଳୀ ପଣ୍ଡା ବିଦ୍ୟାର୍ଥୀ ସମ୍ମାନ ଏବଂ ବନମାଳୀ ପଣ୍ଡା ବିଦ୍ୟା ବିଭୂଷଣ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସେହିଭଳି ଚଳିତ ଶିକ୍ଷା ବର୍ଷରେ ଅନୁଷ୍ଠିତ ହୋଇଥିବା ପ୍ରଗତି ପ୍ରତିଭା ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଶ୍ରୀୟାଂଶୀ ସାହୁଙ୍କୁ ପ୍ରଥମ ପୁରସ୍କାର, ଶ୍ରୀମାନ ପ୍ରିୟବ୍ରତ ନାଗଙ୍କୁ ଦ୍ଵିତୀୟ ପୁରସ୍କାର,  ଶ୍ରୀମାନ ଭୁପେଶ ନାଏକଙ୍କୁ ତୃତୀୟ ପୁରସ୍କାର ପ୍ରଦାନ  କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟାପକ ବିଦ୍ୟାସଗାର ମୁଣ୍ଡ  ମଞ୍ଚ ପରିଚାଳନା କରିଥିଲେ । ସଭାକାର୍ଯ୍ୟ ଶେଷରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ପରିବେଷଣ କରାଯାଇଥିବା ରଙ୍ଗାରଙ୍ଗ  ସାଂସ୍କୃତିକ କାର୍ଯ୍ୟକ୍ରମ ସମସ୍ତଙ୍କର ଆକର୍ଷଣର କେନ୍ଦ୍ର ପାଲଟିଥିଲା । ପରିଶେଷରେ ପ୍ରଶାସନିକ ଅଧିକାରୀ ପ୍ରଣବ କୁମାର ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ । 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.