ମୂଳନିବାସୀ ବହୁଜନ ମିଳିତ ମହାସଂଘ ତରଫରୁ ରାଜ୍ୟସ୍ତରୀୟ ସମ୍ବିଧାନ ମହୋତ୍ସବ ପାଳିତ

ସମ୍ବିଧାନ ସୁରକ୍ଷା ପାଇଁ ବଜ୍ର ଶପଥ ନେଲା ବହୁଜନ ସମାଜ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ): ଭାରତୀୟ ଗଣତନ୍ତ୍ରର ମହାଗ୍ରନ୍ଥ ସମ୍ବିଧାନକୁ ସୁରକ୍ଷିତ ଓ ସଂରକ୍ଷିତ କରି ରଖିବା ଆଜିର ଦିନରେ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ଏଥିପାଇଁ ଦେଶର ବହୁଳ ଜନସଂଖ୍ୟା ବିଶିଷ୍ଟ ବହୁଜନ ସମାଜ ଆଜି ଜାଗି ଉଠିବାର ସମୟ ଆସିଛି।

ସମ୍ବିଧାନର ମହତ୍ୱକୁ ବୁଝି ଏହାର ସୁରକ୍ଷା କରିବାକୁ ବହୁଜନ ସମାଜ ବଜ୍ର ଶପଥ ନେବାକୁ ହେବ ବୋଲି ମୂଳନିବାସୀ ବହୁଜନ ମିଳିତ ମହାସଂଘ ତରଫରୁ ଆୟୋଜିତ ରାଜ୍ୟସ୍ତରୀୟ ସମ୍ବିଧାନ ମହୋତ୍ସବରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମ ପୂର୍ବରୁ ଜିଲ୍ଲାପାଳ ଅଫିସ ପରିସରରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ପଛୁଆ ବର୍ଗ, ଆଦିବାସୀ, ଅନୁସୂଚିତ ଜାତି ସମ୍ପ୍ରଦାୟର ଶହଶହ ନେତୃବୃନ୍ଦ ସମବେତ ହୋଇ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସେଠାରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ସଭାସ୍ଥଳ ଟାଉନହଲରେ ପହଞ୍ଚିଥିଲା। ମହାସଂଘର ରାଜ୍ୟ ସଭାପତି ଲିଙ୍ଗରାଜ ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟବକ୍ତା ଭାବେ ପ୍ରଫେସର ଗୋପବନ୍ଧୁ ମହନ୍ତ ଯୋଗ ଦେଇଥିଲେ।

ଅତିଥି ଭାବେ ଜିଲ୍ଲା ଶିକ୍ଷା ଅଧିକାରୀ ରାଧାକାନ୍ତ ଛତ୍ରୀ, ଡା. ବିବେକାନନ୍ଦ ମହାନନ୍ଦ, ସଚ୍ଚିଦାନନ୍ଦ ମହାକୁଡ଼, ସତ୍ୟ ଭୋଇ, କମଳିନୀ ଯାଦବ, ପ୍ରକାଶ ମାଝୀ, ବିକ୍ରମ ଛତର, ଦିନେଶ ନାଗ, କନକ ମଞ୍ଜରୀ ମହାନନ୍ଦ, ଦିଗାମ୍ବର ଲୁହା, ଯତୀନ୍ଦ୍ର କର, ଛବିଲାଲ ନିଆଲ, ସୀତାରାମ ମେହେର, କ୍ଷେତ୍ରବାସୀ ସତନାମୀ, ଶ୍ରୀବତ୍ସ ତାଣ୍ଡି, ଲିଙ୍ଗରାଜ ଆଜାଦ, ଏସ. ସୁଜାତା ପ୍ରମୁଖ ଯୋଗ ଦେଇଥିଲେ।

ମହାସଂଘର ରାଜ୍ୟ ସାଧାରଣ ସଂପାଦକ ଦିଗାମ୍ବର ଦୁରିଆ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ରମଣୀ ଦୁରିଆ ଓ ସୁନୀଲ ନନ୍ଦ ମଞ୍ଚ ପରିଚାଳନା କରିଥିଲେ। ଏହି ଅବସରରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଏକ ହଜାରରୁ ଉର୍ଦ୍ଧ୍ଵ ବହୁଜନ ନେତା ଓ ସାମାଜିକ କର୍ମୀ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.