ନର୍ଲାରୋଡ ହାଇସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ନର୍ଲାରୋଡ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ଵମ୍ବର ଭୋଇଙ୍କୁ ବିଦ୍ୟାଳୟ ପରିସରରେ ବିଦାୟ କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି। ଏହି ଅବସରରେ ଜୟ ଦୁର୍ଗା ଉଚ୍ଚ ବିଦ୍ୟାଳୟ ପରିସରରେ ରବିବାର ଦିନ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବିଦ୍ୟାଳୟର ପ୍ରତିଷ୍ଠାତା ସଭାପତି ହରିଶ୍ଚନ୍ଦ୍ର ବୁଦ୍ଧିଆ ଅଧ୍ୟକ୍ଷତା କରିଥିବା ବେଳେ ଚକ୍ରଧର ସା ଓ ସୁବାସ ଚନ୍ଦ୍ର ବରାଡ଼ ମଞ୍ଚ ପରିଚାଳନା କରିଥିଲେ। ପ୍ରାରମ୍ଭରେ ବିଦ୍ୟାଦାତା ଗଣନାଥ ଓ ଦେବୀ ଦୁର୍ଗାଙ୍କୁ ଆରାଧନା, ପୁଷ୍ପମାଲ୍ୟ ପ୍ରଦାନ ସହ ପ୍ରଦୀପ ପ୍ରଜ୍ବଳନ କରି ଅନୁଷ୍ଠାନିକ ଭାବେ ନିମନ୍ତ୍ରିତ ଅତିଥିଙ୍କ ଦ୍ୱାରା ସଭା ଆରମ୍ଭ କରାଯାଇଥିଲା। ଏହା ପରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ଗୁରୁ ପୂଜନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଦିନଦୟାଲ କେଡ଼ିଆ, ସମ୍ମାନିତ ଅତିଥିଭାବେ ଜହରଲାଲ ବିଶ୍ୱାଳ, ବିମଲ କେଡ଼ିଆ, ଡିଙ୍ଗର ବୁଦ୍ଧିଆ ପ୍ରମୁଖ ଯୋଗ ଦେଇ ଅବସର ଗ୍ରହଣ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରିବା ସହ ତାଙ୍କର ଦୀର୍ଘାୟୁ କାମନା କରିଥିଲେ। ଏହି ଅବସରରେ ବିଦ୍ୟାଳୟର ଭୂମିଦାତା ମାନଙ୍କ ଉତ୍ତରାଧିକାରୀ ମାନଙ୍କୁ ଉପଢୌକନ ଦେଇ ସମ୍ମାନୀତ କରାଯାଇଥିଲା। ଶ୍ରୀ ଭୋଇ ଦୀର୍ଘ ବର୍ଷ ଧରି ନିଷ୍ଠାର ସହିତ ଜୟଦୁର୍ଗା ଉଚ୍ଚ ବିଦ୍ୟାଳୟରେ ଶିକ୍ଷାଦାନ କରିଆସିଛନ୍ତି। ସେ ଜଣେ ଛାତ୍ର ବତ୍ସଳ, କର୍ତ୍ତବ୍ୟ ନିଷ୍ଠା, ଶାନ୍ତ ଓ ମେଳାପୀ ସ୍ୱଭାବ ବ୍ୟକ୍ତିତ୍ବର ଅଧିକାରୀ ଥିଲେ ବୋଲି ଅତିଥି ଓ ପୂର୍ବତନ ଛାତ୍ର ମାନେ ନିଜ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଶେଷରେ ବିଜ୍ଞାନ ଶିକ୍ଷକ ତଥା ନୂତନ ଭାବେ ପ୍ରଧାନ ଶିକ୍ଷକ ଦାୟିତ୍ୱ ନେଇଥିବା ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ସନ୍ତୋଷ କୁମାର କର ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ବର୍ତ୍ତମାନର ଛାତ୍ରଛାତ୍ରୀ, ପୁରାତନ ଛାତ୍ରଛାତ୍ରୀ, ବିଦ୍ୟାଳୟର ଶିକ୍ଷକ କର୍ମଚାରୀ ଓ ଜନସାଧାରଣ ଏକ ବିରାଟ ଶୋଭାଯାତ୍ରାରେ ଶ୍ରୀଯୁକ୍ତ ଭୋଇଙ୍କୁ ବିଦ୍ୟାଳୟରୁ ତାଙ୍କ ବାସଭବନ ପର୍ଯ୍ୟନ୍ତ ନେଇ ଛାଡିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.