ମୋ ଭାରତ ବ୍ଲକ ସ୍ତରୀୟ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କର୍ଲାମୁଣ୍ଡା ବ୍ଲକ କୁଶୁର୍ଲା ହରଗୌରୀ ଯୁବକ ସଂଘ ପକ୍ଷରୁ କୁଶୁର୍ଲା କପ୍ ୨୦୨୫ ନକ୍‌ଆଉଟ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏହି ଅବସରରେ ରଜାପଡା ଓ ଟକର୍ଲା ମଧ୍ୟରେ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ଏଥିରେ ନିର୍ଦ୍ଧାରିତ ସମୟରେ ଉଭୟ ଦଳ ଗୋଟିଏ ଲେଖା ଗୋଲ ଦେଇଥିଲେ । ଏଥିରେ ଟ୍ରାଇବ୍ରେକର ସହ‌ଯୋଗ ନିଆଯାଇଥିଲା। ତେବେ ରଜାପଡା ଦଳ ୩/୨ ଗୋଲରେ ଚାମ୍ପିୟନ ହୋଇଥିଲା । ପୁରସ୍କାର ବିତରଣ ସଭାରେ ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲାପାଳ ଡ. ନୃପରାଜ ସାହୁ, ସୁବର୍ଣ୍ଣପୁର ଆରକ୍ଷୀ ଅଧୀକ୍ଷକ ନାରାୟଣ ନାଏକ, ନର୍ଲା ବ୍ଳକ ଅଧ୍ଯକ୍ଷ ଦୁର୍ଗା ପ୍ରସାଦ ମହାନ୍ତି, ଯୋରାଡବରା ପଞ୍ଚାୟତ ସରପଞ୍ଚ ଖିତିସୂତା ସାହୁ, ମେରା ଯୁବ ଭାରତ କଳାହାଣ୍ଡିର ଜିଲ୍ଲା ସଂଯୋଜକ ପ୍ରସନ୍ନ କୁମାର ମେହେର, ଜିଲ୍ଲା କ୍ରୀଡ଼ା ଅଧିକାରୀ ରମେଶଚନ୍ଦ୍ର ପାଢ଼ୀ, ବୈଦ୍ୟନାଥ ବେହେରା, ବଦ୍ରୀନାଥ ପାତ୍ର ପ୍ରମୁଖ ଯୋଗଦେଇ ଖେଳାଳିମାନଙ୍କୁ ଉତ୍ସାହିତ କରିବା ସହ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ପ୍ରତିଯୋଗୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଫୁଟବଲ ମ୍ୟାଚର ବିଜେତା ଓ ଉପବିଜେତା ଦଳକୁ ଟ୍ରଫି ସହିତ ନଗଦ ଅର୍ଥ ମଧ୍ୟ ପ୍ରଦାନ କରିଥିଲେ। ପୁରସ୍କାର ବିତରଣ ସଭା ଯୁଗଳ ନାଗ ଓ ସନ୍ତୋଷ ସୁନା ସଂଯୋଜନା କରିଥିଲେ। ତେବେ ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ ଅଧିନସ୍ଥ ମୋ ଭାରତ କଳାହାଣ୍ଡି ଶାଖା ସହାୟତାରେ ଗତ ରବିବାରଠାରୁ ହରଗୌରୀ ଯୁବକ ସଂଘ ଦ୍ଵାରା ବିଭିନ୍ନ ଖେଳ ପ୍ରତିଯୋଗିତା ଆୟୋଜନ ହୋଇଥିଲା। ହରଗୌରୀ ଯୁବକ ସଂଘ ସଭାପତି ଯୋଗେଶ ଚନ୍ଦ୍ର ଜାନୀ, ସମ୍ପାଦକ ସନ୍ତୋଷ ରଣା, ସ୍ୱେଚ୍ଛାସେବୀ ସନତ କୁମାର ସାହୁଙ୍କ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତା ଉପସ୍ଥିତ ରହି ସହଯୋଗ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.