ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ପଦ୍ମନ ଭତ୍ରା): ପିଠି ଉପର ମେରୁଦଣ୍ଡରେ ମାଂସ ବଢୁଥିବା କାରଣରୁ ୧୩ବର୍ଷର ଚନ୍ଦନ କିଲାକା ଦିବ୍ୟାଙ୍ଗ ପାଲଟି ସଠିକ୍ ଭାବେ ଚାଲିପାରୁନାହିଁ । ଫଳରେ ବାପା ଚନ୍ଦନଙ୍କୁ ବୋହି ନେବା ଆଣିବା କରନ୍ତି । ତେବେ ଗତ ଦିନରେ ଭୁବନେଶ୍ୱରସ୍ଥିତ ଏମ୍ସ ହସ୍ପିଟାଲ ରେ ପୁଅର ଚିକିତ୍ସା ପାଇଁ ଡାକ୍ତରଙ୍କୁ ଦେଖାଇଥିଲେ । ଡାକ୍ତର ସମୟ ଦେଇଛନ୍ତି ଡିସେମ୍ବର ମାସରେ ଭୁବନେଶ୍ୱର ଏମ୍ସ ହସ୍ପିଟାଲରେ ପୁଅକୁ ଚିକିତ୍ସା କରାଇବେ । ହେଲେ ଆର୍ଥିକ ଅନଟନ କାରଣରୁ ଗରିବ ବାପା ଏନେଇ ଆର୍ଥିକ ସହାୟତା ପାଇଁ ପ୍ରଶାସନର ଦ୍ୱାରସ୍ଥ ହୋଇଥିଲେ । ରାୟଗଡ଼ା ସଦର ବ୍ଲକ ବୈରାଗିହାଲୁଆ ପଞ୍ଚାୟତର ବ୍ରାହ୍ମଣହାଲୁଆ ଗାଁର ତୁମନାଥ କିଲାକା ସୋମବାର ଜିଲାପାଳଙ୍କ ଯୁଗ୍ମ ଅଭିଯୋଗ ଶୁଣାଣିରେ ପୁଅକୁ ନେଇ ସହାୟତା ପାଇଁ ଜିଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗ ପାଇବା ପରେ ସିଡିଏମଓ ଭି.ସରୋଜିନୀ ଦେବୀ ଏ ସମ୍ପର୍କରେ ଜିଲ୍ଲାପାଳ ଅସୁତଶ କୁଲକର୍ଣ୍ଣିଙ୍କୁ ଅବଗତ କରାଇଥିଲେ। ଏହାପରେ ଜିଲ୍ଲାପାଳ କୁଲକର୍ଣ୍ଣି ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ ୧୦ହଜାର ଟଙ୍କାର ସହାୟତା ଦେଇଥିଲେ । ଆଗାମୀ ଦିନରେ ଜିଲ୍ଲା ପ୍ରଶାସନ ଚିକିତ୍ସା ପାଇଁ ସମସ୍ତ ସହାୟତା ଯୋଗାଇବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିବା ରାୟଗଡ଼ା ଭିନ୍ନକ୍ଷମ ମହାସଂଘର ସମ୍ପାଦକ ଅମରେନ୍ଦ୍ର ନାଥ କହିଛନ୍ତି |





