ଖପ୍ରାଖୋଲ କ୍ଲଷ୍ଟର ସ୍ତରୀୟ ଶିକ୍ଷା ସଭା

ଓଡ଼ିଆ ବାର୍ତ୍ତା/ ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ କ୍ଲଷ୍ଟର ସ୍ତରୀୟ ‘ଶିକ୍ଷା ସଭା’ ଆସ ସ୍କୁଲ ଯିବା ଅଭିଯାନ ବଡଗୁର୍ଜିଭଟା ପ୍ରାଥମିକ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଖପ୍ରାଖୋଲ ସିଆରସିସି ପ୍ରଦୀପ୍ କୁମ୍ଭାରଙ୍କ ସଭାପତିତ୍ୱରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବେ ଏବିଇଓ ତଥା ବିଆରସିସି ରୁଦ୍ରଦେବ ଷଡଙ୍ଗୀ, ସମ୍ମାନିତ ଅତିଥି ଭାବେ ବଡଗୁର୍ଜିଭଟା ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଗୀତାଞ୍ଜଳି ସାହୁ, ଅଙ୍ଗନଓ୍ବାଡି କର୍ମୀ ତିଲୋତ୍ତମା ବାଗ, ଆଶା କର୍ମୀ ପଞ୍ଚମୀ ଖର୍ସେଲ, କ୍ଲଷ୍ଟରର ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗଜେନ୍ଦ୍ର ସିଂ ବରିହା, ଶ୍ୟାମସୁନ୍ଦର ଦଲେଇ, ଜଗନ୍ନାଥ ପାଣ୍ଡେ, ବସୁଦେବ ଆଚାର୍ଯ୍ୟ, ମୋତିଲାଲ ତାଣ୍ତି, ସୁଧୀର କୁମାର ନାଗ, ଧରମ ସିଂ ଧରୁଆ ପ୍ରମୁଖ ଯୋଗ ଦେଇ ଅଧାରୁ ପାଠ ଛାଡିଥିବା, ବିଦ୍ୟାଳୟ ବାହାରେ ଥିବା, ଆଦୌ ନାମ ଲେଖାଇ ନଥିବା ଛାତ୍ର ଛାତ୍ରୀ ମାନଙ୍କୁ କେମିତି ଶିକ୍ଷାର ମୁଖ୍ଯ ସ୍ରୋତରେ ସାମିଲ କରିହେବ ସେଥିପ୍ରତି ସମସ୍ତେ ଚେଷ୍ଟା କରିବାକୁ ଆଗେଇ ଆସିବା ଉଚିତ ବୋଲି ମତ ଦେଇଥିଲେ। ୬ ରୁ ୧୪ ବର୍ଷ ର ଶିଶୁ ମାନେ ଗାଁ ବିଦ୍ୟାଳୟରେ ଯେମିତି ନାମ ଲେଖାଇବେ ସବୁ ଦିନ ପାଠପଢି ଆସିବେ। ୧୪ ରୁ ୧୮ ବର୍ଷ ର ଅଧା ରୁ ପାଠ ପଢିଥିବା ଛାତ୍ରଛାତ୍ରୀ ମାନେ ଯେମିତି SIOS ରେ ଓ ଦଶମ ପାଶ କରି ପାଠ ଛାଡିଥିବା ଛାତ୍ର ଛାତ୍ରୀ ମାନେ କିପରି NIOS ରେ ନାମ ଲେଖାଇବେ ଓ ପାଠ ପଢି ଆଗକୁ ଯିବେ ସେ ଉପରେ ଅଭିଭାବକ ମାନଙ୍କ ସହ ସିଆରସିସି ପ୍ରଦୀପ୍ କୁମ୍ଭାର ଆଲୋଚନା କରିଥିଲେ। ଉପସ୍ଥିତ ଥିବା ଡ୍ରପଆଉଟ୍ ଛାତ୍ର ଛାତ୍ରୀ ମାନଙ୍କୁ ଫୁଲ ଚନ୍ଦନ ପୁଷ୍ପ ମାଲ୍ୟ ଦେଇ ସ୍ବାଗତ କରିବା ସହିତ ଖାତା, କଲମ ଦେଇ ପାଠ ପଢିବାକୁ ଉତ୍ସାହିତ କରାଯାଇଥିଲା । ପରେ ମଧ୍ଯାହ୍ନ ଭୋଜନ ବିରତି ପରେ ଛାତ୍ର/ଛାତ୍ରୀ ମାନଙ୍କ ସହ ଶିକ୍ଷକ ଶିକ୍ଷୟିତ୍ରୀ ଗାଁ ର ବହୁ ମାନ୍ଯଗଣ୍ଯ ବ୍ଯକ୍ତି ଗାଁ ପରିକ୍ରମା କରି ଶିକ୍ଷା ର ମହତ ଉଦ୍ଦେଶ୍ଯ ବିଷୟ ରେ ତଥା ଡ୍ରପଆଉଟ୍ ରୋକିବାକୁ ପ୍ରଚାର ପ୍ରସାର କରିଥିଲେ। ଏଥିରୁ କିଛି ଡ୍ରପଆଉଟ୍ ଛାତ୍ର ଛାତ୍ରୀ ଉତ୍ସାହିତ ହୋଇ ସିଆରସିସିଙ୍କ ସହ ଖପ୍ରାଖୋଲ SIOS କେନ୍ଦ୍ରକୁ ଯାଇ ନାମ ଲେଖାଇଥିଲେ। ଶିକ୍ଷକ ଧରମ ସିଂ ଧରୁଆ ସଭା ସଂଯୋଜନା କରିଥିବାବେଳେ ଶିକ୍ଷକ ବସୁଦେବ ଆଚାର୍ଯ୍ୟ ଧନ୍ଯବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.