ଜିଲ୍ଲା ସ୍ୱଦେଶୀ ମେଳା ଏବଂ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ‘କୋଶମ୍ବ-୨୦୨୫’ ବାଲେଶ୍ଵର ଠାରେ ହେଲା ଉଦଘାଟିତ

ଓଡ଼ିଆ ବାର୍ତ୍ତା/ ବାଲେଶ୍ୱର (କୃଷ୍ଣ କୁମାର ମହାନ୍ତି): ଜିଲ୍ଲା ସ୍ୱଦେଶୀ ମେଳା ଏବଂ ଜାତୀୟ ସ୍ତରୀୟ ପଲ୍ଲୀଶ୍ରୀ ମେଳା ‘କୋଶମ୍ବ-୨୦୨୫’ ବାଲେଶ୍ଵର ପୋଲିସ ପଡ଼ିଆରେ ଭବ୍ୟ ଉଦଘାଟିତ ହୋଇଯାଇଛି। ଉଦଘାଟନୀ ସଭାରେ ବାଲେଶ୍ଵର ବିଧାୟକ ମାନସ କୁମାର ଦତ୍ତ, ବସ୍ତା ବିଧାୟିକା ସୁବାସିନୀ ଜେନା, ନୀଳଗିରି ବିଧାୟକ ଶ୍ରୀ ସନ୍ତୋଷ କୁମାର ଖଟୁଆ, ଭୋଗରାଇ ବିଧାୟକ ଗୌତମବୁଦ୍ଧ ଦାସ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ନାରାୟଣ ପ୍ରଧାନ ଏବଂ ବାଲେଶ୍ଵର ପୌରପାଳିକା ଅଧ୍ୟକ୍ଷା ଶ୍ରୀମତୀ ସବିତା ପ୍ରଧାନ ବରେଣ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ। ବାଲେଶ୍ୱର ଜିଲ୍ଲାପାଳ ଏହି ସଭାରେ ସଭାପତିତ୍ୱ କରିଥିଲେ।

ଏହି ଅବସରରେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ; ଅତିରିକ୍ତ ଜିଲ୍ଲାପାଳ (ସାଧାରଣ ଓ ରାଜସ୍ୱ); ଉପ-ଜିଲ୍ଲାପାଳ, ବାଲେଶ୍ୱର ଏବଂ ଅତିରିକ୍ତ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ ଉପସ୍ଥିତ ରହି ‘କୋଶମ୍ବ ମେଳା’ର ବିଶେଷତ୍ୱ ବିଷୟରେ ଆଲୋଚନା କରିଥିଲେ।

ବରେଣ୍ୟ ଅତିଥିମାନେ ବାଲେଶ୍ୱର ଜିଲ୍ଲାର ଐତିହାସିକ, ସାଂସ୍କୃତିକ ଓ ଔଦ୍ୟୋଗିକ ସଫଳତା ସହିତ ଲଘୁ ଓ କ୍ଷୁଦ୍ର ବ୍ୟବସାୟର ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ।

ଏହି କୋଶମ୍ବ ମେଳାରେ ସର୍ବମୋଟ ୪୦୦ଟି ଷ୍ଟଲ୍ ସ୍ଥାପିତ ହୋଇଥିବା ବେଳେ ତନ୍ମଧ୍ୟରୁ କୃଷି ବିଭାଗର ୫୦ଟି ଷ୍ଟଲ୍ ସାମିଲ ଅଛି। ହସ୍ତଶିଳ୍ପ, ହସ୍ତତନ୍ତ ସାମଗ୍ରୀ ସହିତ ବିଭିନ୍ନ ପ୍ରକାର ଖାଦ୍ୟପେୟର ଆକର୍ଷଣୀୟ ସମ୍ଭାର ମେଳାକୁ ଅଧିକ ଆକର୍ଷଣୀୟ କରିଛି।
ଏଥର ଅଭିନବ ପୁସ୍ତକ ପ୍ରଦର୍ଶନୀ ସହିତ ‘ବୁକ୍ କାଫେ’ର ଆରମ୍ଭ ମେଳାକୁ ନୂଆ ଦିଗ ଦେଇଛି। ଏଥିରେ ବାଲେଶ୍ଵରର ବରିଷ୍ଠ ଲେଖକ ଓ ପୁସ୍ତକପ୍ରେମୀମାନେ ଆଗ୍ରହୀ ହୋଇ ଆସୁଥିବା ପରିଲକ୍ଷିତ ହୋଇଥିଲା। ମେଳାରେ ‘ବାଲେଶ୍ୱର : ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଫଟୋ ପ୍ରଦର୍ଶନୀ ବିଶେଷ ଭାବେ ଦର୍ଶକଙ୍କୁ ଆକୃଷ୍ଟ କରୁଥିବା ବେଳେ କୋଶମ୍ବ ଆହାର ଷ୍ଟଲ୍ ମାନଙ୍କରେ ଅଧିକ ଭିଡ ଦେଖା ଦେଇଥିଲା।

ଏହା ସହିତ ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହୋଇଥିଲା, ଯାହା ଦର୍ଶକମାନଙ୍କୁ ମନୋରଞ୍ଜନ ସହିତ ସାଂସ୍କୃତିକ ସଚେତନତା ପ୍ରଦାନ କରିଥିଲା। ଏହି ମେଳା ଆଜି ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ଜନ ସମାଗମ ହେବା ସହିତ ଆଗାମୀ ୨୮ତାରିଖ ପର୍ଯ୍ୟନ୍ତ ବାଲେଶ୍ଵର ବାସୀ ଏହି ମେଳାର ଭରପୁର ଆନନ୍ଦ ନେଇପାରିବେ ବୋଲି ଆୟୋଜକଙ୍କ ସୂତ୍ରରୁ କୁହାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.