ଅଙ୍ଗନୱାଡି କର୍ମୀଙ୍କ ବିଶାଳ ପଟୁଆର: ଘେରିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ଓଡ଼ିଆ ବାର୍ତ୍ତା/ ବରଗଡ଼: ବଜାର ଦର ଅନୁସାରେ ଅଣ୍ଡା ଦର ବୃଦ୍ଧି କରିବା ନଚେତ୍ ସରକାର ନିଜେ ଅଣ୍ଡା ଯୋଗାଇଦେବା, ଉନ୍ନତ ମାନର ମୋବାଇଲ୍ ଦେବା, ଚାରି ଶ୍ରମ ଆଇନ୍ କୁ କାର୍ଯ୍ୟକାରୀ କରି ସମାନ କାମକୁ ସମାନ ଦରମା, ଶ୍ରମିକର ମାନ୍ୟତା, ସାମାଜିକ ନିରାପତ୍ତା ଯୋଜନାରେ ସାମିଲ, ଭାରତୀୟ ଜାତୀୟ ସମ୍ମିଳନୀ ରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୨୬ ହଜାର ଟଙ୍କା ପ୍ରଦାନ କରାଯିବା, ୧୦୦ ଶତକଡା ପଦୋନ୍ନତ ଦେବା, ଅତିରିକ୍ତ କାର୍ଯ୍ୟ ସବୁ ବନ୍ଦ କରାଯାଇ କେବଳ ଆଇ ସି ଡ଼ି ଏସ୍ କାମ କୁ ଅଗ୍ରାଧିକାର ଦିଆଯିବା, ଗାଆଁ କଲ୍ଯାଣ ସମିତିରୁ କର୍ମୀଙ୍କୁ ବାଦ ଦେବା ପ୍ରଭୁତି ଦାବି ନେଇ ବରଗଡ଼ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପଶ୍ଚିମ ଓଡ଼ିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ଵରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା l ବିକ୍ଷୋଭ ପ୍ରଦର୍ଶନ କାରୀ ଅଙ୍ଗନବାଡି କର୍ମୀ ଓ ସହାୟିକାମାନେ ବରଗଡ଼ର ସ୍ଥାନୀୟ ଅଗ୍ରଗାମୀ ଯୁବକ ସଂଘ ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ l ପଶ୍ଚିମ ଓଡିଶା ଅଙ୍ଗନବାଡି କର୍ମୀ ଓ ସହାୟିକା ସଂଘ ଆବାହକ ପ୍ରଶାନ୍ତ ପାଢୀ, ଯୁଗ୍ମ ଆବାହକ ବାଳକୃଷ୍ଣ ଭୋଇ, ସାଧାରଣ ସମ୍ପାଦକ ପ୍ରଭାସିନୀ ପାଢୀ, ଜିଲ୍ଲା ସଭାନେତ୍ରୀ ରୁକ୍ମିଣୀ ଜୁଆଡି ଓ ଜିଲ୍ଲା ସମ୍ପାଦକ ନିତାମ୍ବିନୀ ଦାସଙ୍କ ନେତୃତ୍ଵରେ ଅନୁଷ୍ଠିତ ରାଲି ଓ ବିକ୍ଷୋଭ ପ୍ରଦର୍ଶନ ରେ ସରସ୍ୱତୀ ପଞ୍ଚ ବିହାର, ବିଳାସିନି ମହାପାତ୍ର, ସାଧବୀ ବିଶ୍ଵାଳ, ଅହଲ୍ୟା ପଣ୍ଡା, କଲ୍ଯାଣୀ ମେହେର, ବ୍ରଜେଶ୍ୱରୀ ସିଂହ, ଶୋଭା କାନ୍ତି ମିଶ୍ର, ବେବୀ ଭୋଇ,ଭାରତୀ ଚୌହାନ, ମୀନା ମିଶ୍ର ସମେତ ଶତାଧିକ ଅଙ୍ଗନବାଡି କର୍ମୀ ଓ ସହାୟିକା ଉପସ୍ଥିତ ଥିଲେ l ଅତିରିକ୍ତ ଜିଲ୍ଲାପାଳ ମ୍ୟାଡମ୍ ବିକ୍ଷୋଭ ସ୍ଥଳକୁ ଆସି ଦାବିପତ୍ର ଗ୍ରହଣ କରିଥିଲେ l ସମସ୍ୟାର ସମାଧାନ କରା ନ ଗଲେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି କର୍ମକର୍ତ୍ତାମାନେ ସୂଚୀତ କରିଥିଲେ l ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୋଲିସ ନିୟୋଜିତ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.