କଲମପୁରରେ ବ୍ଲକସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୬ ଉଦଘାଟିତ 

ଓଡ଼ିଆ ବାର୍ତ୍ତା/ କଲମପୁର (ଭୋଜରାଜ ଛତ୍ରିଆ): କଳାହାଣ୍ଡି ଜିଲ୍ଲାରେ କଳା ଓ ସଂସ୍କୃତିରେ ଭରପୁର ରହିଥିବା ବେଳେ ଆନନ୍ଦ ଉଲ୍ଲାସ ସହ ପାଳନ କରାଯାଇଥାଏ କଳାହାଣ୍ଡି ଉତ୍ସବ ଘୁମୁରା । ଏହି ଉତ୍ସବଟି ବ୍ଲକ ସ୍ତରରୁ ଆରମ୍ଭ ହୋଇ ଉପଖଣ୍ଡ ଏବଂ ଜିଲ୍ଲା ସ୍ତରରେ ମଧ୍ଯ ପାଳନ ହେଉଥିବା ବେଳେ ବୁଧବାର ଦିନ କଲମପୁର ପଞ୍ଚାୟତ ସମିତି ପକ୍ଷରୁ କଲମପୁର ମିନିଷ୍ଟଡିୟମ ଠାରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ପାଳିତ ହୋଇଯାଇଛି । କଳାହାଣ୍ଡି ଉତ୍ସବ ଅବସରରେ ସର୍ବ ପ୍ରଥମେ ସକାଳ ୯ଘଣ୍ଟା ସମୟରେ କଲମପୁର ଲଙ୍କେଶ୍ଵରୀ ମନ୍ଦିର ଏବଂ ନିର୍ମାଲ୍ୟ କ୍ଷେତ୍ର ଜଗନ୍ନାଥ ମନ୍ଦିର ଠାରେ ପୂଜାର୍ଚ୍ଚନା କରାଯିବା ପରେ ମଶାଲ ଶୋଭାଯାତ୍ରା କରାଯାଇ କଲମପୁର ମିନି ଷ୍ଟାଡିୟମ ପଡିଆ ତଥା କଳାହାଣ୍ଡି ଉତ୍ସବ ମଞ୍ଚରେ ପହଞ୍ଚି ଉଦଘାଟନ ସହ ଦୀପ ପ୍ରଜ୍ୱଳନ କରାଯାଇଥିଲା । ପ୍ରଥମ ପର୍ଯ୍ୟାୟ ଅଧିବେଶନରେ ବ୍ଲକ ଅଧ୍ୟକ୍ଷା ଜ୍ୟୋତି ନାଏକଙ୍କ ସଭାପତିତ୍ବରେ ବିଡିଓ ବିଜୟ କୁମାର ମାଣ୍ଡାଙ୍ଗି,ଉପାଧ୍ୟକ୍ଷ ଚିନ୍ତାମଣି ବେହେରା ତଥା ସମିତି ସଭ୍ୟ ସଭ୍ୟା,ସରପଞ୍ଚ ପ୍ରମୁଖ ଅତିଥି ଭାବରେ ମଞ୍ଚାସିନ ଥିଲେ। ପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲ! କାର୍ଯ୍ୟକ୍ରମଟିକୁ ଶିକ୍ଷାବିତ ଅନିଲ ମାଝୀ,ରଞ୍ଜନ ସାହୁ,ଚକ୍ରଧର ନାଏକ,ମନ୍ମଥ ମିଶ୍ର ମଞ୍ଚ ପରିଚାଳନା କରିଥିଲେ । ଉତ୍ସବର ଦ୍ଵିତୀୟ ପର୍ଯାୟରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ଼ ଉପଜିଲ୍ଲାପାଳ ପ୍ରେକ୍ଷା ଅଗ୍ରୱାଲ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ କଲମପୁର ବିଡ଼ିଓ ବିଜୟ କୁମାର ମାଣ୍ଡାଙ୍ଗୀ,ତହସିଲଦାର ସ୍ମରଣିକା ତୁଲ,ଏଇଇ ପ୍ରକାଶ ସେଠି,ଆଇଆଇସି ବିସମ୍ବର କହଁର,ଅଧ୍ୟକ୍ଷା ପ୍ରତିନିଧି ଘନଶ୍ୟାମ ନାଏକ,ଉପସ୍ଥିତ ରହି ଶିଶୁ କଳାକାର ମାନଙ୍କୁ ଉତ୍ସାହିତ କରିବା ସହ ଟ୍ରଫି ଓ ମାନପତ୍ର ପ୍ରଦାନ କରିଥିଲେ । ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ କଳାହାଣ୍ଡିର ଐତିହ,ସଂସ୍କୃତି,ପରମ୍ପରା,ଲୋକନୃତ୍ୟ,ଲୋକବାଦ୍ୟ,ନିକି ବାଜାସାଲ,କଲାପରିଷଦ କଟକ,ଅପରେସନ ସିନ୍ଦୂର,ଓଡ଼ିଆ ଅସ୍ମିତା,ଘୁମର ରାଜସ୍ଥାନୀ ଲୋକନୃତ୍ୟ , ଅଘୋରି କଳା ପ୍ରଦର୍ଶନ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । କଳାହାଣ୍ଡି ଉତ୍ସବ ଘୁମୁରା ସମାରୋହରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀଛାତ୍ର ମାନେ ପ୍ରତିଯୋଗିତାରେ ଭାଗ ନେଇ ନିଜର କଳା ପ୍ରଦର୍ଶନ କରିଥିଲେ । ଏହି ଉତ୍ସବ ପଡ଼ିଆରେ ଵିଭିନ୍ନ ବିଭାଗର ପ୍ରଦର୍ଶନୀ ଦେଖିବାକୁ ମିଳିଛି । କଳାହାଣ୍ଡି ଉତ୍ସବ କମିଟିର ସମସ୍ତ ସଦସ୍ୟ,ଦାୟିତ୍ୟରେ ଥିବା କର୍ମଚାରୀ କାର୍ଯ୍ୟକ୍ରମରେ ପୂର୍ଣ୍ଣ ସହଯୋଗ କରୁଛନ୍ତି , ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା – ୨୦୨୬ ଉତ୍ସବ ମଞ୍ଚରେ ହଜାର ହଜାର ଦର୍ଶକ ଉପସ୍ଥିତ ରହି ସାଂସ୍କୃତିକ କାର୍ଯ୍ୟକ୍ରମକୁ ଉପଭୋଗ କରିଥିଲେ । ଉତ୍ସବରେ କଲମପୁର ପୋଲିସ ବିଭାଗ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ । ଏହି କଳାହାଣ୍ଡି ଉତ୍ସବ ଘୁମୁରା ତିନିଦିନ ଧରି ପାଳନ ହେବାର ସୂଚନା ମିଳିଛି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.