ଉଦଯାପିତ ହେଲା ନର୍ଲା ବ୍ଳକ ସ୍ତରୀୟ ୨୮ତମ କଳାହାଣ୍ଡି ଉତ୍ସବ 

କଟକ ଏବଂ ଭୁବନେଶ୍ବରର କଳାକାରମାନଙ୍କ ଲୋକନୃତ୍ୟରେ ଝୁମି ଉଠିଲେ ଦର୍ଶକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ଠାରେ ଆୟୋଜିତ ବ୍ଲକ ସ୍ତରୀୟ ୨୮ତମ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୬ ଉଦଯାପିତ ହୋଇଯାଇଛି। ନର୍ଲା ବ୍ଲକ ଅଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତିଙ୍କ ସଭାପତିତ୍ବରେ ରବିବାର ସନ୍ଧ୍ୟାରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଧାୟିକା ମନୋରମା ମହାନ୍ତି, ମୁଖ୍ୟ ବକ୍ତା ଭାବେ ମାଁ ମାଣିକେଶ୍ଵରୀ ବିଶ୍ବ ବିଦ୍ୟାଳୟର ଅର୍ଥଶାସ୍ତ୍ର ବିଭାଗ ପ୍ରଫେସର ସିମାଞ୍ଚଳ ମିଶ୍ର, ସମ୍ମାନିତ ଅତିଥି ଭାବେ ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ନର୍ଲା ବିଡ଼ିଓ ବିପିନ ବିହାରୀ ଦୀପ, ତହସିଲଦାର ମନୋରଞ୍ଜନ ନାଏକ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଏଡିଇଓ ତପିମଣି ଜାନି, ସମାଜସେବୀ ଦେବରାଜ ମାଝୀ, ବିପିନ ମାହାର, ରାଜନେତା ନୀଳମଣି ସାହୁ, ରୋମାଞ୍ଚ ସାହୁ, ଦୁଲ୍ଲଭ ମାହାର, କଳାକାର କୁବେର ରଣା, କ୍ରୀଡାବିତ ଅଜୟ ପଧାନ, ଶିକ୍ଷାବିତ ଟଙ୍କଧର ନିଆଲ ପ୍ରମୁଖଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହାସହ ଅନେକ ସରପଞ୍ଚ, ସମିତି ସଭ୍ୟ, ବ୍ଲକର କାର୍ଯ୍ୟରତ ଯନ୍ତ୍ରୀ ଓ ଅଧିକାରୀମାନେ ମଞ୍ଚରେ ସମ୍ବର୍ଦ୍ଧିତ ହୋଇଥିଲେ। ଏହାସହ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ମାନପତ୍ର ସହ ସମ୍ମାନିତ କରିଥିଲେ ଅତିଥିବୃନ୍ଦ। ଶିକ୍ଷାବିତ ଯାଜ୍ଞସେନ ପଧାନ ଓ ଯୁବନେତା ଗୋବିନ୍ଦ ତାଣ୍ଡି ମଞ୍ଚ ପରିଚାଳନା କରିଥିବାବେଳେ ବିଡ଼ିଓ ବିପିନ ବିହାରୀ ଦୀପ ଧନ୍ୟବାଦ ଅର୍ପଣ କରିଥିଲେ। ଉତ୍ସବରେ ଶହଶ୍ରାଧିକ ଜନତା ଉପସ୍ଥିତ ଥିଲେ। କଲାପାର ମଞ୍ଚରେ ଘୁମୁରା ସହ ଜିଲ୍ଲା ଓ ରାଜ୍ୟର ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା। କଟକର କଳାମନ୍ଦିର ଏବଂ ଭୁବନେଶ୍ବରର ନଟରାଜ ଟ୍ରୁପର କଳାକାରମାନଙ୍କ ଲୋକନୃତ୍ୟରେ ଝୁମି ଉଠିଥିଲେ ଦର୍ଶକ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.