ବେଦାନ୍ତ ବିରୁଦ୍ଧରେ ଗର୍ଜିଲେ ଟ୍ରକ ମାଲିକ ସଂଘ

ଦାବି ପୂରଣ ନ ହେଲେ ଆଇନ ଅମାନ୍ୟ ଆନ୍ଦୋଳନ ଚେତାବନୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଲାଞ୍ଜିଗଡ଼ରେ ବେଦାନ୍ତ କମ୍ପାନୀ ସ୍ଥାପନ ହୋଇ ଦୀର୍ଘ ବର୍ଷ ବିତିଗଲା ହେଲେ ଏଯାଏଁ ଲାଞ୍ଜିଗଡ଼ରେ ବିକାଶର ଛିଟା ବାଜି ପାରିଲା ନାହିଁ। ବେଦାନ୍ତ କମ୍ପାନୀ ଆସିଲା ପରେ ଲୋକେ ଅଞ୍ଚଳର ବିକାଶର ସ୍ବପ୍ନ ଦେଖିଥିଲେ, ଆମ ଭାଗ୍ୟ ପରିବର୍ତନ ହେବ ବୋଲି ଲୋକେ ଧାରକରଜ ଓ ବ୍ୟାଙ୍କରୁ ଋଣ କରି ଟ୍ରକ ଓ ହାଇୱା ଗାଡି କିଣି କାରଖାନାରେ ଲଗାଇଲେ। ହାଇୱା ଲାଗି ଦି ପଇସା ଅର୍ଜନ କରି ପରିବାର ପ୍ରତିପୋଷଣ କରିବୁ କେମିତି ସ୍ବପ୍ନ ଦେଖି ଲାଞ୍ଜିଗଡ଼ ଓ ମୁନିଗୁଡା ଅଞ୍ଚଳର ଲୋକେ ଶହଶହ ଗାଡି କିଣି କମ୍ପାନୀରେ ଗାଡି ଲାଗାଇଲେ। ସମସ୍ତଙ୍କ ମନରେ ଖୁସିର ଲହରୀ ଖେଳିଲା ହେଲେ ଟ୍ରକ ମାଲିକ ମାନେ ଦେଖିଥିବା ସ୍ବପ୍ନ ଧୁଳିସାତ ହେବାକୁ ବସିଛି। ଲାଞ୍ଜିଗଡ଼ ବେଦାନ୍ତ ବକ୍ସାଇଟ ଏରିଆରେ ଲାଗିଥିବା ୨ଶହରୁ ଉର୍ଦ୍ଧ ଟ୍ରକ ବନ୍ଦ ହେବାର ଆଶଙ୍କା ନେଇ ଲାଞ୍ଜିଗଡ଼ ମାଁ ଭୌରବି ମାଲିକ ସଂଘ ବେଦାନ୍ତ ସମ୍ମୁଖରେ ଗର୍ଜନ ଛାଡିଛି। ବେଦାନ୍ତର ଏକ ଛତ୍ରବାଦ ନୀତିକୁ ବିରୋଧ କରି ଲାଞ୍ଜିଗଡ଼ରୁ ବିଶ୍ୱନାଥପୁର ଦୀର୍ଘ ୧୬କିଲୋମିଟର ଶତାଧିକ ଟ୍ରକ ମାଲିକ, ଡ୍ରାଇଭର ଓ ହେଲପର ଏକ ବିରାଟ ଶୋଭାଯାତ୍ରାରେ ବାହାରି ଲାଞ୍ଜିଗଡ଼ ବିଡ଼ିଓ ଶଶାଙ୍କ ପାତ୍ରଙ୍କୁ ଦାବିପତ୍ର ପ୍ରଦାନ କରୁଛନ୍ତି। ୨୦୦୭ ମସିହାରୁ ଏହି ଟ୍ରକ ମାଲିକ ମାନେ ବେଦାନ୍ତ କମ୍ପାନୀକୁ ବକ୍ସାଇଟ ପରିବହନରେ ସହଯୋଗ କରି ଆସୁଛନ୍ତି ଯେତେବେଳେ କମ୍ପାନୀର ନିଜସ୍ୱ ରେଳ ଲାଇନ ନଥିଲା, ରାସ୍ତାଘାଟ ନଥିଲା, ସେତେବେଳେଠୁ ଆମ ଗାଡି ସବୁ କାମ କରୁଛୁ ଗାଡି ସବୁ ବନ୍ଦ ହୋଇଗଲେ ଆମେ ଋଣ ସୁଜିବୁ କେମିତି। ଶହଶହ ଡ଼୍ରାଇଭର ହେଲପର ନିଜ ଜୀବିକା ହରେଇବେ, ଆମର ଦାବି ଯଦି ପୂରଣ ନହୁଏ ଆଗାମୀ ଦିନରେ ଅଖଚଖ ସମ୍ପୂର୍ଣ୍ଣ ବନ୍ଦ କରି ବେଦାନ୍ତ ଗେଟ ବନ୍ଦ କରି ଆଇନ ଅମାନ୍ୟ ଆନ୍ଦୋଳନ କରିବୁ ବୋଲି ଟ୍ରକ ମାଲିକ ସଂଘ ସଭାପତି ଚନ୍ଦ୍ରଶେଖର ବେହେରା ଚେତାବନୀ ଦେଇଛନ୍ତି। ଏହି ଶୋଭାଯାତ୍ରାରେ ଟ୍ରକ ମାଲିକ ସଂଘ ଉପସଭାପତି ବଟକୃଷ୍ଣ ପୃଷ୍ଟି, ସମ୍ପାଦକ ମହମ୍ମଦ ଆୟୁବ, କୋଷାଧକ୍ଷ ବକିମ ଚନ୍ଦ୍ର ସାହୁ, ଶ୍ରୀଧର ପେସନିଆ, ସୁରେଶ ଅଗ୍ରୱାଲ, ତରୁଣୀ ସାମଲ ପ୍ରମୁଖଙ୍କ ସମେତ ଶତାଧିକ ଟ୍ରକ ମାଲିକ ସଂଘ ଓ ଡ଼୍ରାଇଭର, ହେଲପର ସାମିଲ ଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.