ଲିଆଡ଼ ଡ୍ୟାମ୍‌ରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

ଓଡ଼ିଆ ବାର୍ତ୍ତା/ ସିନାପାଲି (ଲକ୍ଷ୍ମୀକାନ୍ତ ହଂସ): ପରିବେଶ ସୁରକ୍ଷା, ପ୍ରାକୃତିକ ସମ୍ପଦ ସଂରକ୍ଷଣ ଏବଂ ଜନସାଧାରଣଙ୍କ ମଧ୍ୟରେ ସଚେତନତା ବୃଦ୍ଧି ଲକ୍ଷ୍ୟରେ ନୂଆପଡା ଜିଲ୍ଲା, ସିନାପାଲି ବନାଞ୍ଚଳ ଓ ଖରିଆର ବନଖଣ୍ଡ ତରଫରୁ ସିନାପାଲି ବ୍ଲକ ଅନ୍ତର୍ଗତ ମଖାପଦର ପଞ୍ଚାୟତର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଲିଆଡ଼ ଡ୍ୟାମ୍ ଠାରେ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଆୟୋଜନ କରାଯାଇ। ଦିନକୁ ଦିନ ବଢ଼ୁଥିବା ପ୍ଲାଷ୍ଟିକ ପ୍ରଦୁଷଣ ପରିବେଶ ଓ ମାନବ ଜୀବନ ପାଇଁ ଗଭୀର ସଙ୍କଟ ସୃଷ୍ଟି କରୁଥିବାରୁ ଏହି କାର୍ଯ୍ୟକ୍ରମକୁ ବନବିଭାଗ ତତଫରୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏହି ପ୍ଲାଷ୍ଟିକ ମୁକ୍ତ ଅଭିଯାନ ସିନାପାଲି ବନାଞ୍ଚଳର ରେଞ୍ଜର କାମେଶ୍ୱର ତାଣ୍ଡିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବାବେଳେ, ଫରେଷ୍ଟର ମେଘନାଥ ମାଝୀ, ଫରେଷ୍ଟର ଚୁଡା ସରାଫ, ଫରେଷ୍ଟର ରାମ ରାଉତ, ଫରେଷ୍ଟର ପୂର୍ଣଚନ୍ଦ୍ର ନାୟକ, ଫରେଷ୍ଟର କନ୍ଦର୍ପ ସୁନାନୀ ଓ ଫରେଷ୍ଟର ରଞ୍ଜନ କୁମାର ସାହୁଙ୍କ ସହ ବନବିଭାଗର ଅନ୍ୟାନ୍ୟ କର୍ମଚାରୀମାନେ ମଧ୍ୟ ସକ୍ରିୟ ଭାବେ ଅଂଶଗ୍ରହଣ କରିଥିଲେ। ସମସ୍ତେ ମାଲିମିଶି ଲିଆଡ଼ ଡ୍ୟାମ୍ ପରିସର ଓ ଆଖପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ କରିଥିଲେ।ଏହି ଅଭିଯାନରେ ମଖାପଦର ପଞ୍ଚାୟତର ଜନ ପ୍ରତିନିଧି, ସ୍ଥାନୀୟ ସଚେତନ ନାଗରିକ, ଯୁବକ-ଯୁବତୀ ଓ ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା ମାନଙ୍କ ସହ ଧର୍ମପଦ ଉଚ୍ଚବିଦ୍ୟାଳୟ, ଲିଆଡ଼ର କର୍ମଚାରୀ ଓ ଛାତ୍ରଛାତ୍ରୀମାନେ ମଧ୍ଯ ଉତ୍ସାହର ସହିତ ଅଂଶଗ୍ରହଣ କରି ଡ୍ୟାମ୍ ପରିସରକୁ ପ୍ଲାଷ୍ଟିକ ମୁକ୍ତ କରିବାରେ ଗୁରୁତ୍ୱପୂର୍ଣ୍ଣ ସହଯୋଗ କରିଥିଲେ। ଛାତ୍ରଛାତ୍ରୀମାନଙ୍କ ଏହି ସକ୍ରିୟ ଅଂଶଗ୍ରହଣ ଭବିଷ୍ୟତ ପିଢ଼ିଙ୍କ ପରିବେଶ ପ୍ରଦୂଷଣ ପ୍ରତି ସଚେତନତା ସୃଷ୍ଟି କରିବାରେ ଏକ ଶୁଭ ସଙ୍କେତ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତ ପ୍ରକାଶ କରିଥିଲେ। ଅଭିଯାନ ସମୟରେ ଡ୍ୟାମ୍ ପରିସରରୁ ବହୁ ପରିମାଣର ପ୍ଲାଷ୍ଟିକ ବୋତଲ, ପଲିଥିନ, ପ୍ଲେଟ୍, ଗ୍ଲାସ୍, ଓ ଅନ୍ୟାନ୍ୟ ପ୍ଲାଷ୍ଟିକ ଅପଚୟ ସଂଗ୍ରହ କରାଯାଇ ତାକୁ ନଷ୍ଟ କରାଯାଇଥିଲା। ବିଶେଷକରି ଜଳାଶୟ ନିକଟରେ ପ୍ଲାଷ୍ଟିକ ଅପଚୟ ଜଳଜୀବନ ଓ ପକ୍ଷୀମାନଙ୍କ ପାଇଁ ଗଭୀର ହାନିକାରକ ହେଉଥିବାରୁ ଏହାକୁ ନିରାକରଣ କରିବା ଅତ୍ୟନ୍ତ ଆବଶ୍ୟକ ବୋଲି ବନବିଭାଗ ପକ୍ଷରୁ କୁହାଯାଇଥିଲା। ଏହି ଅବସରରେ ରେଞ୍ଜର କାମେଶ୍ୱର ତାଣ୍ଡି କହିଥିଲେ ଯେ, ପ୍ଲାଷ୍ଟିକ ବ୍ୟବହାର ପରିବେଶ ସହିତ ମାନବ ସ୍ୱାସ୍ଥ୍ୟ ଓ ବନ୍ୟଜନ୍ତୁଙ୍କ ପାଇଁ ମଧ୍ୟ ଭୟଙ୍କର ବିପଦ ସୃଷ୍ଟି କରୁଛି। ସେ ସମସ୍ତଙ୍କୁ ପ୍ଲାଷ୍ଟିକ ବ୍ୟବହାର ତ୍ୟାଗ କରି କାଗଜ, କପଡ଼ା ଓ ଅନ୍ୟାନ୍ୟ ପରିବେଶ ମିତ୍ର ବିକଳ୍ପ ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ। ଫରେଷ୍ଟରମାନେ ମଧ୍ୟ ପର୍ଯ୍ୟଟକମାନଙ୍କୁ ଡ୍ୟାମ୍ ପରିସରରେ ପ୍ଲାଷ୍ଟିକ ଫିଙ୍ଗିବାରୁ ଦୁରେଇ ରହିବାପାଇଁ ସଚେତନ କରିଥିଲେ।ସ୍ଥାନୀୟ ଲୋକେ ବନବିଭାଗର ଏହି ପରିବେଶ ସୁରକ୍ଷାମୂଳକ ପଦକ୍ଷେପକୁ ଭୂରିଭୂରି ପ୍ରଶଂସା କରିବା ସହ ଆଗାମୀ ଦିନରେ ଲିଆଡ଼ ଡ୍ୟାମ୍ ଅଞ୍ଚଳକୁ ସ୍ଥାୟୀ ଭାବେ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏପରି ଅଭିଯାନ ନିୟମିତ ଭାବେ ଆୟୋଜନ କରାଯାଉ ବୋଲି ଦାବି କରିଛନ୍ତି। ଏହି ଅଭିଯାନ ଲିଆଡ଼ ଡ୍ୟାମ୍‌କୁ ସ୍ୱଚ୍ଛ, ସୁନ୍ଦର ଓ ପରିବେଶ ମିତ୍ର ପର୍ଯ୍ୟଟନ କେନ୍ଦ୍ର ଭାବେ ଗଢ଼ିତୋଳିବା ଦିଗରେ ଏକ ଅତ୍ୟନ୍ତ ସାର୍ଥକ ଓ ପ୍ରଶଂସନୀୟ ପଦକ୍ଷେପ ରୁପେ ଚର୍ଚ୍ଚା ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.