ସର୍ଗିଗୁଡା ପାନୀୟ ଜଳ ପ୍ରକଳ୍ପ ଓ ଅଫିସ ରେ କଳା କନା ବୁଲାଇଲେ ଚୋର
୫ ବର୍ଷ ମଧ୍ୟରେ ବିଭିନ୍ନ ପ୍ରକଳ୍ପରୁ ୪୦ ଥର ଚୋରୀ ହୋଇସାରିଲାଣି କେବୁଲ ତାର
ଓଡିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାର ସର୍ଗିଗୁଡ଼ା ସାନ୍ଦୁଲ ନଦୀ ପାର୍ଶ୍ବରେ ରହିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଓ ଅଫିସ ରେ ଗତ ରାତିରେ କଳା କନା ବୁଲାଇଛନ୍ତି ଚୋର। ମୁଖ୍ୟ ସୁଇଚ ବୋର୍ଡ ରେ ସଂଯୁକ୍ତ ହୋଇଥିବା ୧୦ ମିଟର ରୁ ଉର୍ଦ୍ଧ୍ବ କେବୁଲ୍ ତାର। କନିଷ୍ଠ ଯନ୍ତ୍ରୀ ଙ୍କ ଅଫିସ ଭିତରେ ରଖା ଯାଇଥିବା, ଷ୍ଟୋର ରୁମ ଭିତରେ ଗଚ୍ଛିତ ରଖା ଯାଇଥିବା କେବୁଲ ତାର, ସ୍ୱିଚ ବୋର୍ଡ, ମୋଟର ପାର୍ଟ୍ସ୍ ପ୍ରଭୃତି ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରୀ ହୋଇଥିବା ସୂଚନା ମିଳିଛି। ସକାଳୁ ଏନେଇ ଥାନାରେ ବିଭାଗ ତରଫରୁ ଏଫ ଆଇ ଆର କରାଯାଇଛି। ସନ୍ଧାନୀ କୁକୁର ଅଣାଯାଇ ଏହାର ତଦନ୍ତ କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡିଛି।
ଏଠାରେ ପ୍ରକାଶ ଯୋଗ୍ୟ ଯେ ନର୍ଲା ବ୍ଲକ ଅନ୍ତର୍ଗତ ୩୭ ଗୋଟି ସ୍ଥାନରେ ଆରଡବ୍ଲୁଏସଏସ ବିଭାଗ ତରଫରୁ ଚାଲିଛି ପାନୀୟ ଜଳ ଯୋଗାଣ। ସାନ୍ଦୁଲ ନଦୀ ଓ ବାଗପୁର ନଦୀ କଡରେ ରହିଥିବା ଗ୍ରାମ ଗୁଡିକୁ ସାନ୍ଦୁଲ ନଦୀରୁ ପାନୀୟ ଜଳ ଯୋଗାଣ ଚାଲିଥିବା ବେଳେ ବାକି ସ୍ଥାନ ଗୁଡିକରେ ଓଭରହେଡ ଟାଙ୍କି କଡରେ ଇନଟେକ କୂଅ ନିର୍ମାଣ କରାଯାଇ ଚାଲିଛି ପାନୀୟ ଜଳ ଯୋଗାଣ। ବିଦ୍ୟୁତ ଖମ୍ବରୁ ଇନଟେକ କୂଅ ଯାଏଁ ପ୍ରାୟ ୧୦୦ ରୁ ୧୫୦ କେଉଁଠି ୨୦୦ ମିଟର ପର୍ଯ୍ୟନ୍ତ ଲାଗିଛି କେବୁଲ ତାର । ହେଲେ ଏକ କେବୁଲତାର ଚୋରଙ୍କ ଗ୍ୟାଙ୍ଗ ଅନବରତ କେବୁଲ ତାର ଚୋରୀ କରୁଥିବା ହେତୁ ଅନେକ ସ୍ଥାନରେ ପାନୀୟ ଜଳ ଯୋଗାଣ ଠପ ହୋଇପଡୁଛି। ଗତ ତା୧୫/୭/୨୦୨୫ ଭାନପୁର ଗ୍ରାମ ପଂଚାୟତର ଭାନପୁର ଓ କମେଗାଁ ପାଇଁ ଭଟାଖମାର ନିକଟରେ ସାନ୍ଦୁଲ ନଦୀ କୂଳରେ ରହିଥିବା ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ତାର ଚୋରୀ ହୋଇଥିଲା। ଭାନପୁର ପ୍ରକଳ୍ପରୁ ଓ କମେ ଗାଁ ପ୍ରକଳ୍ପରୁ ୪୦ ମିଟର କାବୁଲ ତାର ଚୋରୀ ହୋଇଥିବା ନେଇ ନର୍ଲା ଥାନରେ ଏତେଲା ଦେଇଥିଲେ ଭାନପୁର ସରପଞ୍ଚ ଅନନ୍ତରାମ ମାଝୀ।
ସେହିଭଳି ମୁସ୍କୁଟି ପମ୍ପ ହାଉସ ରୁ ମଧ୍ୟ ୩୦ ମିଟର କେବୁଲ ତାର ଚୋରୀ ହୋଇଥିଲା। ଭାନପୁର ଗ୍ରାମ ପଂଚାୟତରେ ଏହା ପ୍ରଥମ କେବୁଲ୍ ତାର ଚୋରୀ ନୁହଁ। ଏବକୁ ମିଶାଇ ୧୦ ଥର କେବୁଲ୍ ତାର ଚୋରୀ ହୋଇ ସାରିଲାଣି। ଥାନାରେ ବାରମ୍ବାର ଏତେଲା ମଧ୍ୟ ଦାଏର ହୋଇଛି। ହେଲେ ଫଳ ଶୂନ୍ୟ। କାର୍ଯ୍ୟାନୁଷ୍ଠାନ ଶୂନ୍ୟ ଯୋଗୁଁ ତାର ଚୋର ମାନେ ମଧ୍ୟ ବେଫିକର ହୋଇ ବାରମ୍ୱାର କେବୁଲ ତାର ଚୋରୀ କରୁଛନ୍ତି ବୋଲି ସାଧାରଣରେ ଚର୍ଚ୍ଚା ଆଲୋଚନ ହେଉଥିବା ଶୁଣିବାକୁ ମିଳୁଛି। ଶାନ୍ତପୁର, ଛତିକୁଡା, ଶେରଗଡ଼ ପ୍ରଭୃତି ଗ୍ରାମରେ ଚାଲିଥିବା ପାନୀୟ ଜଳ ଯୋଗାଣ ପ୍ରକଳ୍ପରୁ କେବୁଲ ତାର ଚୋରୀ ଯୋଗୁଁ ଗତବର୍ଷ ଖରାଦିନେ ସପ୍ତାହ ବ୍ୟାପୀ ବନ୍ଦ ହୋଇ ପଡିଥିଲା ପାନୀୟ ଜଳ ଯୋଗାଣ।
ସେହିଭଳି ଗତ ବର୍ଷ ଜୁଲାଇ ମାସ ଶେଷ ସପ୍ତହରେ ଧୁବେନ, ସରିଆଁ, କେରାଣ୍ଡିଖୁଣ୍ଟି, ବାଗପୁର, ସେରଗଡ ଓ କର୍ମେରେ ରହିଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକରୁ ୧୫୦୦ ମିଟରରୁ ଉର୍ଦ୍ଧ୍ବ କେବୁଲ ତାର ଚୋରୀ ହୋଇଥିଲା। ବାରମ୍ବାର କେବୁଲ ତାର ଚୋରୀ ହୋଇ ନର୍ଲା ଥାନାରେ ଏତେଲା ଦାଏର କରାଯାଉଥିଲେ ମଧ୍ୟ କେବୁଲ ତାର ଚୋର କାହିଁକି ଧରାପଡୁନି ସେନେଇ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।ବାଗପୁର ପାନୀୟ ଜଳ ପ୍ରକଳ୍ପରୁ କେବୁଲ ତାର ୩ ଥର ଚୋରୀ ହୋଇଯାଇଥିବା ବେଳେ କେସ ମଧ୍ୟ ୩ ଥର ଦାଏର ହୋଇଛି। ସେହିଭଳି କର୍ମେ ଗାଁ ପାନୀୟ ଜଳ ପ୍ରକଳ୍ପରୁ ୬ ଥର କେବୁଲ ତାର ଚୋରୀ ହେଲାଣି ଏବଂ ଉକ୍ତ ଗ୍ରାମ ପଞ୍ଚାୟତ ତରଫରୁ ସରପଞ୍ଚ ଏତେଲା ମଧ୍ୟ ଦାଏର କରିଥଲେ। ଦୁଇ ବର୍ଷ ହେଲାଣି କେସ ଦେଇ ହେଲେ କାହିଁକି ଧରାପଡୁ ନାହାନ୍ତି କେବୁଲ ତାର ଚୋର ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି। କେବୁଲ ତାର ଚୋରୀ ଯୋଗୁଁ ଉକ୍ତ ଅଞ୍ଚଳ ଗୁଡିକର ଜନସାଧାରଣ ସପ୍ତାହ ବ୍ୟାପୀ ପାନୀୟ ଜଳ ପାଇପାରୁ ନାହାନ୍ତି। ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଗୁଡିକ ତରଫରୁ ବାରମ୍ବାର କେବୁଲ ତାର କିଣି ଲଗାଯାଉଥିବା ବେଳେ ବାରମ୍ବାର ଚୋରୀ ହେଉଛି କେବୁଲ ତାର। ଚୋରମାନେ କେବୁଲତାର ଚୋରୀ କରି ସ୍ଥାନୀୟ କାବାଡିବାଲା ମାନଙ୍କ ପାଖରେ ବିକ୍ରୟ କରୁଥିବା ସାଧାରଣରେ ଆଲୋଚନା ହେଉଥିବା ବେଳେ ପୋଲିସ୍ କାହିଁକି ଧରି ପାରୁନି ଚୋର ମାନଙ୍କୁ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ବାରମ୍ଵାର କେବୁଲ ତାର ଚୋରୀ ହେଉଛି ଗ୍ରାମ ପଞ୍ଚାୟତ କେତେ ଟଙ୍କା ଖଟେଇବ। ଲୋକେ ହଇରାଣ ହେଉଛନ୍ତି। ଆମେବି ହଇରାଣ ହେଉଛୁ। ପୋଲିସ ଯଦି କେବୁଲ ତାର ଚୋରଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତା ତାହେଲେ ଚୋରମାନେ ବାରମ୍ଵାର କେବୁଲ ତାର ଚୋରୀ କରି ନଥାନ୍ତେ କି ଲୋକେ ବି ପାନୀୟ ଜଳ ପାଇଁ ହଇରାଣ ହେଉ ନଥାନ୍ତେ ବୋଲି ମତବ୍ୟକ୍ତ କରିଛନ୍ତି ଗ୍ରାମ ପଞ୍ଚାୟତ ଗୁଡ଼ିକର ସରପଞ୍ଚ ମାନେ। ନର୍ଲା ଅଞ୍ଚଳରେ ଚାଲିଥିବା ପାନୀୟ ଜଳ ପ୍ରକଳ୍ପ ଗୁଡିକରୁ ଗତ ୫ ବର୍ଷ ମଧ୍ୟରେ ୪୦ ଥର ହେଲାଣି କେବୁଲ ତାର ଚୋରୀ ହୋଇ ହେଲେ ଆଜି ଯାଏଁ ଧରା ପଡି ନାହାନ୍ତି ଗୋଟିଏ ହେଲେ ଚୋର। ଫଳରେ ଦିନକୁ ଦିନ କେବୁଲ ତାର ଚୋର ମାନେ ବେଫିକର ହୋଇ ବାଡବତା ମାନୁ ନାହାନ୍ତି। ତାର ଚୋରୀ ଯୋଗୁଁ ସପ୍ତାହ ବ୍ୟାପୀ ପାନୀୟ ଜଳ ଯୋଗାଣ ବନ୍ଦ ରହୁଛି। ଲୋକେ ନାହିଁ ନ ଥିବା ଅସୁବିଧା ଭୋଗୁଥିବା ଜଣାପଡ଼ିଛି। ସ୍ଥାନୀୟ ପୋଲିସ ଯଦି ତତ୍ପର ହୁଅନ୍ତା ତା ହେଲେ କେବୁଲ ତାର ଚୋରୀ ପ୍ରତି ଅଙ୍କୁଶ ଲାଗି ପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।





