ନୂଆପଡ଼ାରେ ଦୁଇଦିନିଆ ଜିଲ୍ଲାସ୍ତରୀୟ ଜୁନିଅର ରେଡ୍‌କ୍ରସ ପ୍ରଶିକ୍ଷଣ ଶିବିର ଉଦ୍ଘାଟିତ

ଓଡ଼ିଆ ବାର୍ତ୍ତା/ ନୂଆପଡ଼ା (ଲକ୍ଷ୍ମୀକାନ୍ତ ହଂସ): ନୂଆପଡ଼ା ଜିଲ୍ଲା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଆଜି ଦୁଇଦିନିଆ ଜିଲ୍ଲାସ୍ତରୀୟ ୧୩ତମ ଜୁନିଅର ରେଡ୍‌କ୍ରସ ଅଧ୍ୟୟନ ଓ ପ୍ରଶିକ୍ଷଣ ଶିବିର ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଯାଇଛି। ଏହି ଶିବିରକୁ ଜିଲ୍ଲାପାଳ ଶ୍ରୀ ମଧୁସୂଦନ ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଡ୍‌କ୍ରସ ପତାକା ଉତ୍ଥୋଳନ କରି ଉଦ୍ଘାଟନ କରିଥିଲେ। ଜିଲ୍ଲାପାଳ ସମସ୍ତ ଜୁନିଅର ରେଡ୍‌କ୍ରସ ସଦସ୍ୟ ଓ କାଉନସିଲରମାନଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ‘Be a blood donor, be a hero’ ଶୀର୍ଷକରେ ଏକ ରକ୍ତଦାନ ଶିବିରର ମଧ୍ୟ ଉଦ୍ଘାଟନ କରାଯାଇଥିଲା। ସମ୍ମାନିତ ଅତିଥି ଭାବେ ରେଡ୍‌କ୍ରସ ଅଫ୍‌ ଇଣ୍ଡିଆର ସଦସ୍ୟ ଡଃ ଶିବ ପ୍ରସାଦ ବେହେରା, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଧନେଶ୍ୱର ସେଠୀ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତି, ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ରେଶମଲାଲ ନାୟକ ଏବଂ ବ୍ଲକ୍‌ ଶିକ୍ଷା ଅଧିକାରୀ ଶ୍ରୀମତୀ ଗୀତାରାଣୀ ଯୋଶୀ ଉପସ୍ଥିତ ଥିଲେ।ନିଜ ଉଦ୍ବୋଧନରେ ଜିଲ୍ଲାପାଳ କହିଥିଲେ ଯେ ସେବା କାର୍ଯ୍ୟ ସଦା ଶୃଙ୍ଖଳା ଓ ନିଷ୍ଠା ସହିତ କରିବା ଆବଶ୍ୟକ। କୌଣସି ସେବା କାର୍ଯ୍ୟ ସଫଳ ହେଲାପରେ ନିଜକୁ ଗର୍ବିତ ମନେ କରିବା ଉଚିତ ନୁହେଁ। ପିଲାମାନେ ପ୍ରାଥମିକ ଶିକ୍ଷା ଦିନରୁ ସେବା ମନୋଭାବ ଅଭ୍ୟାସ କରିବା ଦରକାର। ବାପା-ମାଙ୍କ ସେବା, ପରିବେଶ ପ୍ରତି ଦାୟିତ୍ୱବୋଧ ଓ ସମାଜ ପାଇଁ କାର୍ଯ୍ୟ କରିବା ହେଉଛି ପ୍ରକୃତ ସେବା ବୋଲି ସେ ଉଲ୍ଲେଖ କରିଥିଲେ। ଶୃଙ୍ଖଳା ଓ ନିୟମିତତା ଯେଉଁଠି ଥାଏ, ସେଠି ସଠିକ୍‌ ସେବାର ପରିଚୟ ମିଳେ ବୋଲି ଜିଲ୍ଲାପାଳ କହିଥିଲେ। ଏହି ଅବସରରେ ଜିଲ୍ଲାର ପାଞ୍ଚଟି ବ୍ଲକରୁ ଆସିଥିବା ଜୁନିଅର ରେଡ୍‌କ୍ରସ ଛାତ୍ରଛାତ୍ରୀ ମାନଙ୍କ ସହ ଅନେକ ଶିକ୍ଷକ ଓ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ। ଶିବିରରେ ଆୟୋଜିତ ରକ୍ତଦାନ କାର୍ଯ୍ୟକ୍ରମରେ ୧୯ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.