ସଡ଼କ ସୁରକ୍ଷା ସଚେତନତା ଓ ପ୍ରାଥମିକ ସହାୟତା ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା: ଜାତୀୟ ସଡ଼କ ସୁରକ୍ଷା ମାସ ୨୦୨୬ ପାଳନ ଅବସରରେ କଳାହାଣ୍ଡି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ଜୁନିଅର ରକ୍ଷକ ମାନଙ୍କ ପାଇଁ ଏକ ପ୍ରାଥମିକ ସହାୟତା ପ୍ରଶିକ୍ଷଣ ତଥା ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଓଡ଼ିଶା ପଶ୍ଚିମ ପ୍ରାନ୍ତ କମିଶନର ପ୍ରତାପ କିଶୋର ପଣ୍ଡାଙ୍କ ନେତୃତ୍ୱରେ ସରକାରୀ ମହିଳା ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇ ଯାଇଅଛି। ଭାରପ୍ରାପ୍ତ ଅଧ୍ୟକ୍ଷ ସହକାରୀ ପ୍ରାଧ୍ୟାପକ ଧିରେଶ ଚନ୍ଦ୍ର ନନ୍ଦଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର ଟ୍ରାଫିକ ଇନ୍ସପେକ୍ଟର ମିଥୁନ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସଡ଼କ ଦୁର୍ଘଟଣାର କାରଣ ଓ ପ୍ରତିକାର ବିଷୟରେ ଆଲୋଚନା କରି କହିଥିଲେ “ପ୍ରାଥମିକ ଚିକିତ୍ସାର ସଠିକ୍ ଜ୍ଞାନ, ବଞ୍ଚାଇ ଥାଏ ଅମୂଲ୍ୟ ଜୀବନ”। ଯୁବ ରେଡକ୍ରସ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଷୟ ବିଶେଷଜ୍ଞ ଭାବେ ରକ୍ଷକ ମାଷ୍ଟର ପ୍ରଶିକ୍ଷକ ତଥା ଜିଲ୍ଲା ଯୁବ ରେଡକ୍ରସ ଆବାହକ ସମ୍ପାଦକ ସଂଜୀବ କୁମାର ସାହୁ, ଜିଲ୍ଲା ଯୁବ ରେଡକ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା , ପରାମର୍ଶଦାତା ମୋହନ ଚରଣ ବିଷି ଓ ଡ. ରାଧାରାଣୀ ନାୟକ ସଡ଼କ ଦୁର୍ଘଟଣାରେ ସମ୍ମୁଖିନ ହେଉଥିବା ବ୍ୟକ୍ତିଙ୍କୁ କିପରି ତୁରନ୍ତ ପ୍ରାଥମିକ ସହାୟତା ପ୍ରଦାନ କରିବା, ୧୧୨କୁ କଲ କରି ଡାକ୍ତରଖାନା ପହଞ୍ଚାଇ ହେବ, ଆରାମ ଦାୟକ ଅବସ୍ଥା, ସିପିଆର, ରକ୍ତସ୍ରାବ ନିୟନ୍ତ୍ରଣ, ଅସ୍ଥି ଭଗ୍ନ ପରିଚାଳନା, ସୁରକ୍ଷିତ ଭାବେ ଆମ୍ବୁଲାନ୍ସକୁ ନେବା, ଟ୍ରାଫିକ ନିୟନ୍ତ୍ରଣ ବିଷୟରେ ଛାତ୍ର ଛାତ୍ରୀମାନଙ୍କୁ ତାଲିମ୍ ପ୍ରଦାନ କରିଥିଲେ। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନାରେ ଜୁନିଅର ଏମ୍ ଭି ଆଇ ରାମକୃଷ୍ଣ ମାଝୀ ଓ ତାଙ୍କ ସହଯୋଗୀ ମାନେ ସହାୟତା କରିଥଲେ। ଯୁବ ରେଡକ୍ରସ୍ ପରାମର୍ଶଦାତା ସହକାରୀ ପ୍ରାଧ୍ୟାପିକା ସୁରେଶ୍ଵରୀ ବାଘ ସ୍ୱାଗତ ଅଭିଭାଷଣ ପ୍ରଦାନ ଓ ଯୁବ ରେଡକ୍ରସ ପରାମର୍ଶଦାତା ପଞ୍ଚରତ୍ନ ଗିରି ଧନ୍ୟବାଦ ଅର୍ପଣ କରିଥିଲେ। 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.