ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଭୁବନେଶ୍ଵରର ମଣିପାଲ ହସ୍ପିଟାଲ୍ ଓ ବାଲେଶ୍ଵର ‘ମିଡିଆ କର୍ମୀ’ର ମିଳିତ ସହଯୋଗରେ ଏକ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଆୟୋଜିତ ହୋଇଯାଇଛି। ବାଲେଶ୍ବର ଆତିଥ୍ୟ ଭବନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବାଲେଶ୍ୱର ‘ମିଡିଆ କର୍ମୀ’ର ୧୦୦ରୁ ଅଧିକ ସଦସ୍ୟ ଭାଗ ନେଇଥିଲେ। ସକାଳ ୧୦ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଚାଲିଥିବା ଏହି ସ୍ୱାସ୍ଥ୍ୟ ଶିବିରକୁ ମୁଖ୍ୟ ଅତିଥି ଭାବରେ ଡା. ଅମୁଲ୍ୟ ଦାସ,ଏଡିଏମଓ – ବାଲେଶ୍ୱର ଏବଂ ଶ୍ରୀମତୀ ସବିତା ସାହୁ, ବାଲେଶ୍ୱର ମୁନିସିପାଲିଟିର ଅଧ୍ୟକ୍ଷା, ଯୋଗ ଦେଇ ଉଦଘାଟନ କରିଥିଲେ। ଏହି ସ୍ୱାସ୍ଥ୍ୟ ଶିବିର ଏକ ଉତ୍ତମ ପଦକ୍ଷେପ ବୋଲି ଅତିଥିମାନେ ପ୍ରଶଂସା କରିଥିଲେ।
ଏହି ଅବସରରେ ମଣିପାଲ ହସ୍ପିଟାଲ ପକ୍ଷରୁ ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ‘ମିଡିଆ ପ୍ରିଭିଲେଜ୍ କାର୍ଡ’ ମଧ୍ୟ ଲୋକାର୍ପିତ କରାଯାଇଥିଲା, ଯାହା ମାଧ୍ୟମରେ ସେମାନେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ଠାରେ ବିଶେଷ ସ୍ୱାସ୍ଥ୍ୟ ସୁବିଧା ଓ ଡିସକାଉଣ୍ଟ ପାଇପାଇବେ। ମଣିପାଲ୍ ହସ୍ପିଟାଲ୍ର ଏହି ପ୍ରୟାସକୁ ବରିଷ୍ଠ ମିଡିଆ ବନ୍ଧୁମାନେ ସ୍ୱାଗତ ଜଣାଇଥିଲେ।
ଏହି ବିଶାଳ ସ୍ୱାସ୍ଥ୍ୟ ଶିବିର ଓ ଆଲୋଚନା ଚକ୍ରରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ବରିଷ୍ଠ ଅସ୍ଥିଶଲ୍ୟ ବିଶେଷଜ୍ଞ ତଥା ଅର୍ଥୋପେଡିକ୍ ଡାକ୍ତର କିଶୋର କୁମାର ପଣ୍ଡା ଯୋଗ ଦେଇ ଆଣ୍ଠୁଗଣ୍ଠି ଯନ୍ତ୍ରଣା ଓ ରୋବୋଟିକ୍ ନି ସର୍ଜରୀ, ହିପ୍ ସର୍ଜେରୀ ଏବଂ ହିପ୍ ପ୍ରିଜର୍ଭେସନ୍ ବିଷୟରେ କହିଥିଲେ। ଡାକ୍ତର ସଚିନ ଶେଖର ବିଶ୍ୱାଳ, ବରିଷ୍ଠ ମେଡିକାଲ୍ ଅଙ୍କୋଲୋଜିଷ୍ଟ କହିଥିଲେ ଯେ ଅତ୍ୟଧିକ ଗୁଟଖା କିମ୍ବା ନିଶାଦ୍ରବ୍ୟ ସେବନ କଲେ କ୍ୟାନ୍ସର ରୋଗ ହେବାର ସମ୍ଭାବନା ବଢ଼ିଯାଏ। ସେ କହିଥିଲେ ଯେ ସାଧାରଣ ଜୀବନଶୈଳୀରେ ପରିବର୍ତ୍ତନ ଆଣିଲେ କ୍ୟାନ୍ସର ଭଳି ଗୁରୁତର ରୋଗକୁ ମଧ୍ୟ ଆମେ ଜିତି ପାରିବା ସମ୍ଭବ। ଏହା ସହିତ ସେ ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷାର ଗୁରୁତ୍ୱ ଉପରେ ଜୋର ଦେଇ କହିଥିଲେ ଯେ ବିଭିନ୍ନ ରୋଗରୁ ମୁକ୍ତି ପାଇବା ପାଇଁ ଏହା ଅତ୍ୟନ୍ତ ଆବଶ୍ୟକ।ସ୍ନାୟୁରୋଗ ବିଶେଷଜ୍ଞ ଡାକ୍ତର ଅମ୍ଲାନ ତପନ ମହାପାତ୍ର ବ୍ରେନ୍ ଷ୍ଟ୍ରୋକ୍ ବିଷୟରେ ତଥ୍ୟ ଦେଇ, ଶୀଘ୍ର ଚିକିତ୍ସା ଆରମ୍ଭ କଲେ ଜୀବନ ଓ ସ୍ନାୟୁ କ୍ଷତି ବଞ୍ଚାଇ ପାରିବାରେ ‘ଗୋଲ୍ଡେନ୍ ଆୱର୍’ କେତେ ଗୁରୁତ୍ୱପୂର୍ଣ୍ଣ, ସେଥିପାଇଁ ଜୋର ଦେଇଥିଲେ। ସ୍ୱାସ୍ଥ୍ୟ ଶିବିରର ଅଂଶ ଭାବେ ଡାକ୍ତର ସଦାଶିବ ମିଶ୍ର, ସିନିୟର୍ ମେଡିକାଲ୍ ଅଫିସର୍, ଅଂଶଗ୍ରହଣକାରୀମାନଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ। ମୁଖ୍ୟ ଅତିଥି ଡା. ଅମୁଲ୍ୟ ଦାସ, ଏଡିଏମଓ କହିଲେ, “ମଣିପାଲ ହସ୍ପିଟାଲର ଏହି ପଦକ୍ଷେପ ଅତ୍ୟନ୍ତ ସ୍ୱାଗତ ଯୋଗ୍ୟ। ସମାଜକୁ ସଚେତନ କରିବା ପାଇଁ ମିଡିଆ କର୍ମୀମାନେ ନିଜ ସ୍ୱାସ୍ଥ୍ୟକୁ ଅନେକ ସମୟରେ ଅବହେଳା କରିଦିଅନ୍ତି। ଏହିପରି ଶିବିର ତାଙ୍କ ପାଇଁ ନିଶ୍ଚିତ ଭାବରେ ବହୁତ ଲାଭଦାୟକ ହେବ।
ଶ୍ରୀମତୀ ସବିତା ସାହୁ ମିଡିଆ କର୍ମୀମାନଙ୍କୁ ସାଧାରଣ ସ୍ୱାସ୍ଥ୍ୟ ସଚେତନତାର ଦୂତ ବୋଲି ଅଭିହିତ କରି କହିଥିଲେ ଯେ ଏହି ସ୍ୱାସ୍ଥ୍ୟ ଶିବିର ତାଙ୍କ ସୁସ୍ଥତା ପ୍ରତି ଆମର ଦାୟିତ୍ୱବୋଧ ଓ ପ୍ରତିରୋଧମୂଳକ ଚିକିତ୍ସା ପ୍ରଚାର ପାଇଁ ଆମ ପ୍ରତିବଦ୍ଧତାକୁ ପ୍ରକାଶ କରେ। ଏହି ସ୍ୱାସ୍ଥ୍ୟ ଶିବିର ମାଧ୍ୟମରେ ବାଲେଶ୍ୱର ମିଡିଆ କମ୍ୟୁନିଟିଙ୍କ ସହିତ ସିଧାସଳଖ ସମ୍ପର୍କ ସ୍ଥାପନ କରି ଆମେ ତାଙ୍କୁ ସ୍ୱାସ୍ଥ୍ୟ ଚେତନା ଓ ଶୀଘ୍ର ରୋଗ ଚିହ୍ନଟର ପ୍ରାସଙ୍ଗିକତାକୁ ବଢ଼ାଇପାରିବା।
ମଣିପାଲ ହସ୍ପିଟାଲ୍ ଭୁବନେଶ୍ୱରର ଏଭଳି ସମାଜମୁଖୀ କାର୍ଯ୍ୟକ୍ରମ ଓ ସଚେତନତା ଅଭିଯାନ ମାଧ୍ୟମରେ ସମୁଦାୟ ସ୍ୱାସ୍ଥ୍ୟକୁ ସୁଦୃଢ କରିହେବ ବୋଲି ବାଲେଶ୍ୱର ମିଡିଆ କର୍ମୀମାନେ କହିଥିଲେ। ସମସ୍ତ ସଦସ୍ୟଙ୍କ ସକ୍ରିୟ ଅଂଶଗ୍ରହଣ ଓ ସହଯୋଗରେ କାର୍ଯ୍ୟକ୍ରମଟି ସଫଳ ଭାବରେ ଆୟୋଜନ କରାଯାଇଥିଲା।





