ଓଡ଼ିଆ ବାର୍ତ୍ତା/ ବାଲେଶ୍ବର (କୃଷ୍ଣ କୁମାର ମହାନ୍ତି): ଅନୁବାଦ କର୍ମ ଏକ ସ୍ବତନ୍ତ୍ର ସାରସ୍ବତ କଳା। ଭାବର ଅବିକଳ ପ୍ରତିଫଳନ ହିଁ ସଫଳ ଅନୁବାଦ ସାହିତ୍ୟର ପୃଷ୍ଠଭୂମି। କେବଳ ଅନୁବାଦ ଦ୍ଵାରା ସାହିତ୍ୟ ଅଧିକ ପ୍ରସାରିତ ହୁଏ ଏବଂ ଭାଷାକୁ ଭାଷା ସହିତ ଓ ପ୍ରାନ୍ତକୁ ପ୍ରାନ୍ତ ସହିତ ଯୋଡ଼ିକି ରଖେ ବୋଲି ମଙ୍ଗଳବାର ସନ୍ଧ୍ୟାରେ ସାରଳା ଭବନରେ ସୁଲେଖିକା ଛବିରାଣୀ ପତିଙ୍କର ଦୁଇଟି ଅନୁବାଦ ପୁସ୍ତକର ଲୋକାର୍ପଣ ଉତ୍ସବରେ ମଞ୍ଚାସୀନ ଅତିଥିମାନେ ମତବ୍ୟକ୍ତ କରିଛନ୍ତି ।
‘ଉତ୍କଳ ସାହିତ୍ୟ ସମାଜ’ର ସଧାରଣ ସଂପାଦକ ରାଜୀବ କୁମାର ଷଡ଼ଙ୍ଗୀଙ୍କ ସଭାପତିତ୍ବରେ ଆୟୋଜିତ ଏହି ଉତ୍ସବରେ ସାରଳା ସାହିତ୍ୟ ସଂସଦର ପ୍ରତିଷ୍ଠାତା ବିଶିଷ୍ଟ ଓ ବରିଷ୍ଠ ଅନୁବାଦକ ସଭାପତି ଇଂ. ପ୍ରଭାକର ସ୍ଵାଇଁ ମୁଖ୍ୟ ଅତିଥି, ଉତ୍କଳ ସାହିତ୍ୟ ସମାଜର ପୂର୍ବତନ ସଭାପତି ତଥା ବିଶିଷ୍ଟ ସାହିତ୍ୟିକ ତରୁଣ କୁମାର ସାହୁ ବରେଣ୍ୟ ଅତିଥି ଓ ପ୍ରାକ୍ତନ ପ୍ରଶାସକ ତଥା ବିଶିଷ୍ଟ ସାହିତ୍ୟିକ ଧନଞ୍ଜୟ ସ୍ଵାଇଁ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିଲେ। ଅନୁବାଦିକା ଛବିରାଣୀ ପତି ଅନୁବାଦକୀୟ ଓ ପ୍ରକାଶକ ତାରିଣୀ ପ୍ରସାଦ ମହାନ୍ତି ପ୍ରକାଶକୀୟ ଅଭିବ୍ୟକ୍ତି ପ୍ରଦାନ କରିଥିଲେ।
ପ୍ରାରମ୍ଭରେ କଳାକାର ଗୁରୁପ୍ରସାଦ ରଥ ବେଦପାଠ କରିବା ସହିତ ଶିକ୍ଷାବିତ୍ କ୍ଷୀରୋଦ କୁମାର ସାହୁ ସ୍ଵାଗତ ଭାଷଣ ଦେଇଥିଲେ। ଏହି ଅବସରରେ ଉତ୍କଳ ସାହିତ୍ୟ ସମାଜର ଉପସଭାପତି ବ୍ରହ୍ମାନନ୍ଦ ବିଶ୍ଵାଳ ଅତିଥି ପରିଚୟ ଦେଇଥିଲେ। କବି ଓ କଳାକାର ପ୍ରମୋଦ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ସୁରେଶ ଦାଶ, ନିରଞ୍ଜନ ପତି, ପୀତାମ୍ବର ମହାପାତ୍ର,ସୁଶ୍ରୀ ଶୁଭ୍ରା ଦାସ, ବିଜୟଲକ୍ଷ୍ମୀ ପତି, ଶୁଭ୍ରାଂଶୁ ଦାଶ, ଚନ୍ଦନା ନାୟେକ, ବ୍ରହ୍ମାନନ୍ଦ ମହାନ୍ତି, ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ।




