ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ମାଁ ହିରାନୀଳା ଡିଗ୍ରୀ ବିଦ୍ୟାଳୟରେ ଜନଗଣନା ୨୦୨୭ ପାଇଁ ପ୍ରଥମ ତ୍ରିଦିବସୀୟ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି। ପ୍ରଥମ କରି ଏକ ନୂଆ ରୂପ ଯାହାକି କମ୍ପ୍ୟୁଟରୀକରଣ ତଥା ଡିଜିଟାଲ ମୋଡରେ ଜନଗଣନା କରାଯିବ। ଏଥିପାଇଁ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗ ପକ୍ଷରୁ ଅଭିଜ୍ଞତା ସମ୍ପନ୍ନ ଶିକ୍ଷକ ମାନଙ୍କୁ ନେଇ ଗୁରୁତ୍ୱପୂର୍ଣ୍ଣ ଜନଗଣନା ତାଲିମ ପ୍ରଦାନ କରାଯାଇଛି।ଗତ ୨୦୧୧ ରେ ଜନ ଗଣନା ଅନୁଷ୍ଠିତ ହୋଇଥିଲା। ୨୦୨୧ ରେ ପୁଣିଥରେ ଜନଗଣନା ହେବା କଥା। ହେଲେ ମହାମାରୀ କରୋନା ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ପୁଣି ୨୦୨୭ ରେ ଆରମ୍ଭ ହେବ ଜନଗଣନା। ଏଥିପାଇଁ ଆରମ୍ଭ ହୋଇଯାଇଛି ପ୍ରକ୍ରୀୟା। ପ୍ରଥମ ପର୍ଯ୍ୟାୟ ୧୬ ଅପ୍ରେଲ ୨୦୨୬ ରୁ ୧୫ ମଇ ୨୦୨୬ ଯାଏଁ ଗୃହ ଗଣନା କରାଯିବ। ୨୦୨୭ ମସିହା ଫେବୃୟାରୀ ୯ ରୁ ୨୮ ଯାଏଁ ଜନଗଣନା ଚାଲିବ ବୋଲି ସରକାର ଦିନ ଧାର୍ଯ୍ୟ କରିଛନ୍ତି। ତେବେ ଲାଞ୍ଜିଗଡ଼ ବ୍ଲକ ୨୦୨୭ ଜନଗଣନା ପାଇଁ ବୁଧବାର ଠୁଁ ଆରମ୍ଭ ହୋଇଯାଇଛି ତାଲିମ ଶିବିର। ଏଣୁ ଏହି ତ୍ରିଦିବସୀୟ ତାଲିମ ଶିବିରରେ ଗଣନାକାରୀ ଏବଂ ପର୍ଯ୍ୟବେକ୍ଷକ ମାନଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ତାଲିମ ପ୍ରଦାନ କରାଯିବ ବୋଲି ଲାଞ୍ଜିଗଡ଼ ତହସିଲ ପକ୍ଷରୁ ସୂଚନା ଦିଆଯାଇଛି। ଲାଞ୍ଜିଗଡ଼ ତହସିଲଦାର ତଥା ଜନଗଣନା ଇନଚାର୍ଜ ଅଫିସର ବନମାଳୀ ମେହେର ଯୋଗଦେଇ ଏହି ଶିବିରକୁ ଶୁଭାରମ୍ଭ କରି ଡିଜିଟାଲ ମୋଡରେ କିଭଳି ଜନଗଣନା କରିବେ ଏନେଇ ସମସ୍ତଙ୍କୁ ଅବଗତ କରିଛନ୍ତି। ଅତିରିକ୍ତ ତହସିଲଦାର ପ୍ରିୟବ୍ରତ ନାୟକ ପ୍ରଥମେ ସମସ୍ତଙ୍କୁ ସ୍ଵାଗତ କରିଥିବାବେଳେ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ଏହି ଜନଗଣନା କାର୍ଯ୍ୟକ୍ରମକୁ ନିର୍ଭୁଲ ଓ ସଠିକ ତଥ୍ୟ ସଂଗ୍ରହକରି ସମସ୍ତେ ନିଜ ଦାୟିତ୍ୱ ସମ୍ପନ୍ନ କରିବା ନେଇ ଗୁରୁତ୍ୱାରୋପ କରିଥିଲେ। ଏହି ତାଲିମ ଶିବିରରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଭାରତ ଭୂଷଣ ସାହୁ ଅଂଶଗ୍ରହଣ କରିଥିବାବେଳେ ମାଷ୍ଟର ଟ୍ରେନର ଭାବେ ଧଅଁରାଭଟା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପିଜିଟି ବାୟୋଲୋଜି ଅଧ୍ୟାପକ ସୁଦିପ ପରମାଣିକ, ଓଡ଼ିଆ ଅଧ୍ୟାପକ ରୋହିତ ଲୁହା, ଧଅଁରାଭଟା ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଇଂରାଜୀ ଶିକ୍ଷକ ସନ୍ତୋଷ ମେହେର, ବିଜ୍ଞାନ ଶିକ୍ଷକ ସୈାମ୍ୟ ରଞ୍ଜନ ବାରିକ ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରୁଛନ୍ତି। ବ୍ଲକ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ଶିକ୍ଷକ, ଶିକ୍ଷୟିତ୍ରୀ ଏହି ଶିବିରରେ ତାଲିମ ନେଉଛନ୍ତି।




