ନର୍ଲାରେ ଯୁବ-ଛାତ୍ର ଓ ମହିଳା ବିଜେଡିର ବିକ୍ଷୋଭ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାଠାରେ ଯୁବ-ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ବାଚସ୍ପତିଙ୍କ ବିନା କ୍ଲିୟରାନ୍ସରେ ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ ପୋଲିସ ଚଢ଼ାଉ ଘଟଣାକୁ ତୀବ୍ର ନିନ୍ଦା କରାଯାଇଛି। କେଉଁ ପରିସ୍ଥିତିରେ ବିଧାୟିକାଙ୍କ ବାସଭବନରେ ବିନା କୌଣସି ମହିଳା ପୋଲିସ ଏବଂ ବିନା ଅନୁମତିରେ ପ୍ରବେଶ ପ୍ରବେଶ କଲା ବୋଲି ବିଜୁ ଜନତା ଦଳର ନେତାମାନେ ପ୍ରଶ୍ନ କରିଛନ୍ତି। ନର୍ଲା ବ୍ଲକ ଅଧ୍ୟକ୍ଷ ତଥା ବିଧାୟିକାଙ୍କ ସ୍ୱାମୀ ଦୁର୍ଗାପ୍ରସାଦ ମହାନ୍ତି ଜାନୁଆରୀ ମାସରେ ଫୋନ ମାଧ୍ୟମରେ ତହସିଲଦାରଙ୍କ ସହ କଥାବାର୍ତ୍ତା କରିଥିବା ବାବଦରେ କଣ ପାଇଁ ରାଜ୍ୟସଭା ନିର୍ବାଚନର ଗୋଟିଏ ଦିନ ପୂର୍ବରୁ ଏତଲା ଦିଆଗଲା ବୋଲି ବିଜେଡ଼ି ପ୍ରଶ୍ନ କରିଛି। ଶାସକ ଦଳର ଶତଚେଷ୍ଟା ସତ୍ତ୍ୱେ ନର୍ଲା ବିଧାୟିକା ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିନଥିଲେ। ତେଣୁ ରାଜନୈତିକ ଉଦ୍ଦେଶ୍ୟ ରଖି ନର୍ଲା ବିଧାୟିକା ମନୋରମା ମହାନ୍ତିଙ୍କ ଛବିକୁ ମଳିନ କରିବାର ପ୍ରୟାସ ଚାଲିଛି ବୋଲି ଯୁବ, ଛାତ୍ର ଓ ମହିଳା ବିଜେଡି କାର୍ଯ୍ୟକର୍ତ୍ତାମାନେ ମତ ପ୍ରକାଶ କରିଛନ୍ତି। ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଯୁବ, ଛାତ୍ର ଓ ମହିଳା ବିଜେଡି ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ତହସିଲ ଅଫିସ ସମ୍ମୁଖରୁ ବାହାରି ନର୍ଲା ଚାରିଛକ ଯାଏଁ ଯାଇଥିଲେ। ଏଥିରେ ନର୍ଲା ଛାତ୍ର ବିଜେଡିର ସଭାପତି ଘାସିରାମ ସାହୁ, ଜିଲ୍ଲା ବିଜେଡି ମହିଳା ସଭାନେତ୍ରୀ ସବିତା ପଧାନ, ନର୍ଲା ବ୍ଲକ ମହିଳା ବିଜେଡି ସଭାନେତ୍ରୀ ପ୍ରମିଳା ପଧାନ, ମ.ରାମପୁର ବ୍ଲକ ମହିଳା ବିଜେଡି ସଭାନେତ୍ରୀ ତୁଳସୀ ବିଶି, କର୍ଲାମୁଣ୍ଡାର ମନ୍ଦିରା ନାଏକ, ଭବାନୀପାଟଣା ମହିଳା ମୋର୍ଚ୍ଚାର ସଦସ୍ୟା ମମତା ଦାସ, ସୁତପାଙ୍କ ସମେତ ଅନେକ ମହିଳା କାଉନସିଲର ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ନର୍ଲା ବ୍ଲକ ବିଜେଡି ସଭାପତି ନୀଳମଣି ସାହୁ, ଘଣ୍ଟମାଳ ସରପଞ୍ଚ ଦେବେନ୍ଦ୍ର ସା, ନର୍ଲା ସରପଞ୍ଚ ସଂଘ ସଭାପତି ଅନନ୍ତରାମ ମାଝୀ, ନର୍ଲା ସମିତି ସଦସ୍ୟ ସଂଘ ସଭାପତି ଜୟ ମେହେର, ସମାଜସେବୀ ସରୋଜ ପରିଡା, ରୁପ୍ରାରୋଡ ସରପଞ୍ଚ ହେମନ୍ତ ଭୋଇ, ମନ୍ମଥ ପୁଝାରୀ, ଯତୀନ ନାଏକ, ପୂର୍ବତନ ସରପଞ୍ଚ ସନ୍ତୋଷ କଠାର, ତହସିଲ ସାହୁ, କୁଲୁ ଚାନ୍ଦ ପ୍ରମୁଖ ସାମିଲ ହୋଇଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.