ଲାଗିଛି ଯନ୍ତ୍ର କମୁନି ଯନ୍ତ୍ରଣା; ୧୧ ବର୍ଷ ହେଲା ଅନ୍ଧାରରେ କାର୍ଲିଯୋଡି, ପାନୀୟ ଜଳ ସାତ ସପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଗାଁରେ ଟ୍ରାନ୍ସଫର୍ମର ବସିଛି, ବିଦ୍ୟୁତ ଖୁଣ୍ଟ ବି ଅଛି, ତାର ଟଣା ହୋଇଛି, କିନ୍ତୁ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ଅଚଳ ହୋଇ ୧୧ ବର୍ଷ ବିତି ଗଲାଣି ହେଲେ ମରାମତି ହେଉନାହିଁ।ବର୍ତ୍ତମାନ ବିଦ୍ୟୁତ୍ ଉପଭୋକ୍ତା ୧୧ ବର୍ଷ ହେଲା ଅନ୍ଧାରରେ ଦିନ କାଟୁଥିବା ଅଭିଯୋଗ ହୋଇଛି। ସେଭଳି ଖରାଦିନେ ପାନିୟ ଜଳ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଅଧ୍ୟୁସିତ ବେନଗାଁ ପଞ୍ଚାୟତ ଅନ୍ତର୍ଗତ କାର୍ଲିଯୋଡ଼ି ଗାଁରୁ ଏହିପରି ଅଭିଯୋଗ ଆସିଛି।
ସୂଚନା ମୁତାବକ, କାର୍ଲିଯୋଡ଼ି ଗାଁରେ ୩୫ ଘର କୁଟିଆ କନ୍ଧ ସାମ୍ପ୍ରଦାୟର ଲୋକ ଦୀର୍ଘ ବର୍ଷ ଧରି ବସବାସ କରି ଆସୁଛନ୍ତି। ଗାଁ ବସତି ହୋଇ ୧୦୦ ବର୍ଷରୁ ଉର୍ଦ୍ଧ୍ବ ସମୟ ବିତି ଯାଇଥିଲେ ମଧ୍ୟ ବିଜୁଳି ଓ ପାନିୟ ଜଳର ସଙ୍କଟ ଦେଖାଦେଇଛି। ଏହି ମାନଙ୍କ ପାଇଁ ବିଶୁଦ୍ଧ ପାଣି ସାତଶପନ ପାଲଟିଛି। ଏହି ଗାଁର ୩୫ ପରିବାର ପାଇଁ ଗୋଟିଏ ନଳକୂପ ରହିଥିବା ବେଳେ ତାହା ନିଅଣ୍ଟ ହେଉଛି। ନଳକୂପରୁ କିଛି ସମୟ ପାଣି ବାହାରିବା ପରେ ଗୋଳିଆ ଓ ପଥର ଗୁଣ୍ଡ ପାଣି ବାହାରୁଛି। ଗାଁରୁ କିଛି ଦୂର ଚାଷ ଜମି କଡ଼ରୁ କୁଣ୍ଡ କରି ସେହି ପାଣିକୁ ପାନୀୟ ଜଳ ରୂପେ ବ୍ୟବହାର କରିବା ଯୋଗୁଁ ଏହି ଗାଁ ଲୋକଙ୍କ ଶରୀର ଅଧିକାଂଶ ସମୟରେ ଅସୁସ୍ଥ ରହୁଛି। ଏହି ଜଳକଷ୍ଟ ବର୍ଷ ବର୍ଷ ଧରି ଗାଁରେ ଲାଗି ରହିଥିବା ବେଳେ ବାରମ୍ବାର ଅଭିଯୋଗ ସତ୍ତ୍ୱେ ମଧ୍ୟ ପ୍ରଶାସନ କିମ୍ବା ଜଳ ଯୋଗାଣ ଦାଇତ୍ଵରେ ଥିବା ଅଧିକାରୀ ମାନେ ଶୁଣୁନଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ସେହିଭଳି ଆଜିକୁ ୧୧ ବର୍ଷ ପୂର୍ବେ ମାତ୍ର ୧୯ ଘରକୁ ବିଦ୍ୟୁତ୍ ସଂଯୋଗ ହୋଇଥିଲା। ତେବେ ବିଦ୍ୟୁତ୍‌ ସଂଯୋଗର ମାତ୍ର ୧୫ ଦିନ ଆଲୁଅ ଜଳିବା ପରେ ଟ୍ରାନ୍ସଫର୍ମର ଅଚଳ ହୋଇଗଲା। ସେହିଦିନଠାରୁ ୧୧ ବର୍ଷ ହେଲା ଗାଁରେ ବିଜୁଳି ନାହିଁ। ଟ୍ରାନ୍ସଫର୍ମର ମରାମତି ପାଇଁ ବାରମ୍ବାର ଦାବି ହେଲେ ବି ବିଭାଗୀୟ ଅଧିକାରୀ ଶୁଣୁ ନାହାନ୍ତି ବୋଲି ଗାଁ ଲୋକେ କହୁଛନ୍ତି।ଅନ୍ୟପଟେ ସନ୍ଧ୍ୟା ହେଲେ ବନ୍ୟପ୍ରାଣୀ ଓ ହାତୀର ଭୟରେ ଥରୁଛି ଗାଁ। ଘଞ୍ଚ ଜଙ୍ଗଲ ମଧ୍ୟରେ ରହିଥିବା ଏହି ଗାଁ ଦେଇ ଅନେକ ସମୟରେ ହାତୀପଲ ଯିବା ଆସିବା କରିଥାଆନ୍ତି। ଗାଁକୁ ହାତୀପଲ ଆସିବା ଜାଣିପାରି ଭୟରେ ଗ୍ରାମବାସୀ ସମସ୍ତେ ଏକତ୍ରିତ ହୋଇ ଗାଁ ମୁଣ୍ଡରେ ନିଆଁ ଜାଳି ଉତ୍କଳ କରି ଜଗିବସିବାକୁ ପଡ଼ିଥାଏ। ଗାଁରେ ବିଦ୍ୟୁତ ନ ଥିବା ଯୋଗୁଁ ପିଲାଙ୍କ ପାଠପଢ଼ା ସାଙ୍ଗକୁ ଜରୁରୀକାଳୀନ ପରିସ୍ଥିତି ସାମ୍ନା କରିବାକୁ ପଡ଼ୁଛି ବୋଲି ପ୍ରକାଶ କରିଛନ୍ତି ଗ୍ରାମବାସୀ।ଗାଁରେ ପାନିୟ ଜଳର ସୁବିଧା ଓ ବିଦ୍ୟୁତ ସଂଯୋଗ କରିବା ପାଇଁ ବାରମ୍ବାର ଅଭିଯୋଗ ପରେବି ଗାଁକୁ ପାନୀୟ ଜଳ କିମ୍ବା ବିଦ୍ୟୁତ୍ ସଂଯୋଗ ହୋଇନଥିବା ଯୋଗୁଁ ଗତ ୨୪ ସାଧାରଣ ନିର୍ବାଚନରେ ଭୋଟ୍ ବର୍ଜନ କରିଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି। ଏନେଇ ବେନଗାଁ ସରପଞ୍ଚ ପୁରାଣା ମାଝୀଙ୍କୁ ପଚାରିବାରୁ ପଞ୍ଚାୟତ ପକ୍ଷରୁ ନଳକୂପ ଖୁଳିବା ପାଇଁ ବାରମ୍ବାର ଚେଷ୍ଟା କରାଯାଉଛି, କିନ୍ତୁ ପାହାଡିଆ ସ୍ଥାନରେ ଗାଁ ରହିଥିବା ଯୋଗୁଁ ସମ୍ଭବ ହେଉନାହିଁ। ଗାଁଠାରୁ କିଛି ଦୂରରେ ଖାଲୁଆ ଜମିରେ ଜଳ ସ୍ରୋତ ରହିଥିବା ସ୍ଥାନରେ ଗଭୀର ନଳକୂପ ଖୋଳାଯାଇ ସେଠାରୁ ପାଇପ ଲାଇନ ଯୋଗେ ଗାଁକୁ ଜଳ ଯୋଗାଣ ହେଲେ ଜଳକଷ୍ଟ ଦୂର ହୋଇ ପାରିବ। ଏହାକୁ ନେଇ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରିବି ବୋଲି ପ୍ରକାଶ କରିଛନ୍ତି। ଏଣୁ ଏହି ସମସ୍ୟା ପ୍ରତି ଦାଇତ୍ଵରେ ଥିବା ବ୍ଳକ୍ ଓ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ତୁରନ୍ତ ଧ୍ୟାନ ଦେବାକୁ ସାଧାରଣରେ ଦାବି ହେଉଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.