ଓଡ଼ିଆ ବାର୍ତ୍ତା/ ଭୁବନେଶ୍ୱର: ୧୩୧ତମ ସମ୍ବିଧାନ ସଂଶୋଧନ ବିଲକୁ ନେଇ ସମାଜବାଦୀ ପାର୍ଟିର ଓଡିଶା ରାଜ୍ୟ ଶାଖା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ପାର୍ଟିର ରାଜ୍ୟ ସଭାପତି ଶିବ ହାତୀ ଯାଦବ ଗଣମାଧ୍ୟମକୁ ଜାରି କରାଯାଇଥିବା ବିବୃତିରେ କହିଛନ୍ତି ଯେ, ମହିଳା ସଶକ୍ତିକରଣ ଓ ବିଧାନମଣ୍ଡଳରେ ମହିଳାଙ୍କ ପ୍ରତିନିଧିତ୍ୱ ବୃଦ୍ଧିକୁ ପାର୍ଟି ସଦା ସମର୍ଥନ କରେ। ସେ କହିଛନ୍ତି ଯେ, ୨୦୨୩ ମସିହାରେ ଆସିଥିବା ନାରୀ ଶକ୍ତି ବନ୍ଦନ ଅଧିନିୟମ (୧୦୬ତମ ସଂଶୋଧନ ବିଲ) କୁ ସମାଜବାଦୀ ପାର୍ଟି ସମର୍ଥନ କରିଥିଲା। କିନ୍ତୁ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରସ୍ତାବିତ ୧୩୧ତମ ସଂଶୋଧନ ବିଲର ଉଦ୍ଦେଶ୍ୟ ନେଇ ସନ୍ଦେହ ସୃଷ୍ଟି ହେଉଛି। ବିବୃତିରେ ଆହୁରି କୁହାଯାଇଛି ଯେ, ମହିଳା ସଂରକ୍ଷଣକୁ ସୀମା ନିର୍ଦ୍ଧାରଣ (ଡିଲିମିଟେସନ) ସହିତ ଯୋଡ଼ିବା ଏବଂ ଜାତୀୟ ଜନଗଣନା ପୂର୍ବରୁ ଏହାକୁ ଆଗକୁ ବଢ଼ାଇବା ରାଜନୈତିକ ସ୍ୱାର୍ଥ ପ୍ରେରିତ ମନେହେଉଛି। ଜନଗଣନା ତଥ୍ୟ ଛଡ଼ା ମହିଳାଙ୍କ ସଂଖ୍ୟା ଓ ସଂରକ୍ଷଣର ଯଥାର୍ଥ ନିର୍ଦ୍ଧାରଣ କିପରି ସମ୍ଭବ ହେବ ବୋଲି ପ୍ରଶ୍ନ ଉଠାଇଛି ପାର୍ଟି। ଏହାସହିତ ପଛୁଆ ବର୍ଗର ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସଂରକ୍ଷଣ ବ୍ୟବସ୍ଥା ନେଇ ବିଲରେ ସ୍ପଷ୍ଟତା ନଥିବାକୁ ମଧ୍ୟ ପାର୍ଟି ଆପତ୍ତି ଜଣାଇଛି। ଜାତି ଆଧାରିତ ଜନଗଣନା ନ କରାଯାଇଥିବାରୁ ପଛୁଆ ବର୍ଗର ଅଧିକାର ପ୍ରଭାବିତ ହେବ ବୋଲି ମତ ପ୍ରକାଶ ପାଇଛି। ଓଡିଶା ସନ୍ଦର୍ଭରେ ପାର୍ଟି କହିଛି ଯେ, ଏହି ବିଲ ରାଜ୍ୟର ସ୍ୱାର୍ଥକୁ କ୍ଷତିଗ୍ରସ୍ତ କରିପାରେ। ଅଧିକ ଜନସଂଖ୍ୟା ଥିବା ରାଜ୍ୟମାନେ ଅଧିକ ଲୋକସଭା ଆସନ ପାଇଲେ, ଓଡିଶାର ପ୍ରତିନିଧିତ୍ୱ କମିଯିବା ସହ କେନ୍ଦ୍ରୀୟ ଆର୍ଥିକ ଆବଣ୍ଟନ ଓ ନୀତିଗତ ସୁବିଧାରେ ମଧ୍ୟ ପ୍ରଭାବ ପଡ଼ିପାରେ। ପାର୍ଟି ଅଭିଯୋଗ କରିଛି ଯେ, କେନ୍ଦ୍ର ସରକାର ଓଡିଶା ପ୍ରତି ବୈମାତୃକ ମନୋଭାବ ପ୍ରଦର୍ଶନ କରୁଛନ୍ତି ଏବଂ ରାଜ୍ୟର ସଂସଦମାନେ ମଧ୍ୟ ଏହି ମାମଲାରେ ସ୍ୱର ଉଠାଉନାହାନ୍ତି। ଓଡିଶାର ପରିଚୟ, ଭାଷା ଓ ଅଧିକାର ସୁରକ୍ଷା ପାଇଁ ସଂସଦରେ ଜୋରଦାର ଆଲୋଚନା ଆବଶ୍ୟକ ବୋଲି ପାର୍ଟି ମତ ପ୍ରକାଶ କରିଛି।





