କଣ୍ଟାବାଞ୍ଜିରେ ଇଞ୍ଜିନିୟରିଂ ଓ କୃଷି ମହାବିଦ୍ୟାଳୟ ସ୍ଥାପନା ଦାବି

ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ 

ଓଡ଼ିଆ ବାର୍ତ୍ତା/ ମୁରିବାହାଲ (ଅମରେଶ ମାଝୀ); କଣ୍ଟାବାଞ୍ଜି ଅଞ୍ଚଳର ସମଗ୍ର ଶିକ୍ଷାଗତ ଉନ୍ନତିକୁ ଲକ୍ଷ୍ୟ କରି ପ୍ରସ୍ତାବିତ ଇଞ୍ଜିନିୟରିଂ କଲେଜ ଓ ସରକାରୀ କୃଷି ମହାବିଦ୍ୟାଳୟ ସ୍ଥାପନ ଦାବିରେ ପ୍ରେସ୍ କ୍ଲବ କଣ୍ଟାବାଞ୍ଜି ନେତୃତ୍ୱରେ କଣ୍ଟାବାଞ୍ଜି ସହର ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀ ଓଡ଼ିଶାଙ୍କ ଉଦ୍ଦେଶ୍ୟରେ ସ୍ଥାନିୟ ତହସିଲଦାରଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ଚଳିତ ରାଜ୍ୟ ବଜେଟରେ ବଲାଙ୍ଗିର ଜିଲ୍ଲା ପାଇଁ ଇଞ୍ଜିନିୟରିଂ କଲେଜ ଓ ସରକାରୀ କୃଷି ମହାବିଦ୍ୟାଳୟ ଅନୁମୋଦନ ହୋଇଛି। ନିଶ୍ଚିତ ଭାବେ ଶିକ୍ଷା କ୍ଷେତ୍ର ବଲାଙ୍ଗିର ଜିଲ୍ଲା ଆଉ ଏକ ପାଦ ଆଗକୁ ଯିବ। ତେବେ ପ୍ରେସ୍ କ୍ଲବ ସଦସ୍ୟ ମାନେ ଏହି ଦୁଇଟି ଶିକ୍ଷା ସଂସ୍ଥା କଣ୍ଟାବାଞ୍ଜି ଅଞ୍ଚଳରେ ସ୍ଥାପନ କରିବାକୁ ଦାବି କରିଛନ୍ତି। ଯାହା ଦ୍ୱାରା ଅଞ୍ଚଳର ଶିକ୍ଷାଗତ ଅସମତା ଦୂର ହେବ। ପ୍ରେସ କ୍ଲବ ଦାବିପତ୍ରରେ ଉଲ୍ଲେଖ କରିଛନ୍ତି ଯେ, କଣ୍ଟାବାଞ୍ଜି ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳ ଉଚ୍ଚ ପ୍ରାଯୁକ୍ତିକ ଓ କୃଷି ଶିକ୍ଷାରେ ପଛୁଆ ଅଛି। ଏଠାର ଅନେକ ଯୁବକ ଉଚ୍ଚ ଶିକ୍ଷା ଓ ଚାକିରି ପାଇଁ ଅନ୍ୟ ରାଜ୍ୟକୁ ନିର୍ଭର କରିଥାନ୍ତି। ଯଦି ଏହି ଦୁଇଟି ସଂସ୍ଥା କଣ୍ଟାବାଞ୍ଜିରେ ସ୍ଥାପିତ ହୁଏ ତେବେ ସ୍ଥାନୀୟ ଯୁବକ ମାନେ ଉତ୍ତମ ସୁଯୋଗ ପାଇବେ। କଣ୍ଟାବାଞ୍ଜି ପଶ୍ଚିମ ଓଡ଼ିଶାର ଏକ ଗୁରୁତ୍ୱପୂର୍ଣ୍ଣ ବାଣିଜ୍ୟ କେନ୍ଦ୍ର ଓ ପ୍ରମୁଖ ରେଳ ଜଂସନ୍ ଯାହା ଦ୍ୱାରା ପାର୍ଶ୍ୱବର୍ତ୍ତୀ ଜିଲ୍ଲା ଓ ରାଜ୍ୟ ସହ ଭଲ ସଂଯୋଗ ସୁବିଧା ଉପଲବ୍ଧ ଅଛି। ସେହିପରି ଅଞ୍ଚଳଟି କୃଷି ପ୍ରଧାନ ହେବାରୁ ଏଠାରେ କୃଷି ମହାବିଦ୍ୟାଳୟ ସ୍ଥାପନ କଲେ କୃଷକ ମାନେ ଗବେଷଣା, ଆଧୁନିକ କୃଷି ପ୍ରଣାଳୀ ଓ କୌଶଳ ବିକାଶରେ ସିଧାସଳଖ ଲାଭାନ୍ବିତ ହେବେ। ପ୍ରେସ୍ କ୍ଲବ ପକ୍ଷରୁ ଭୂମି ଉପଲବ୍ଧତା ଓ ଜନସମର୍ଥନ ପାଇଁ ସ୍ଥାନୀୟ ପ୍ରଶାସନ ଓ ଜନପ୍ରତିନିଧି ମାନଙ୍କର ପୂର୍ଣ୍ଣ ସହଯୋଗ ରହିବ ବୋଲି ଆଶ୍ୱାସନ ଦିଆଯାଇଛି। ଦାବିପତ୍ର ଦେବା ସମୟରେ ପ୍ରେସ୍ କ୍ଲବ କଣ୍ଟାବାଞ୍ଜି, ଟ୍ରକ ମାଲିକ ସଂଘ, ରେଲୱେ ଅଟୋ ୟୁନିଅନ, ରାଇଟ ଟୁ ଫାଇଟ୍ କଣ୍ଟାବାଞ୍ଜି, ଶ୍ରୀ ଗୁରୁ ସିଂହ ସଭା, ରେଲୱେ ଯାତ୍ରି ସଂଘ, ଶ୍ରୀ ଶ୍ରୀ ବୁଢ଼ାଦେଓ ଗଣ୍ଡ ସାଂସ୍କୃତିକ ସମାଜ ଚଟୁଅନକା, କଞ୍ଜୁମର ଫୋରମ୍ କଣ୍ଟାବାଞ୍ଜି, ଜବାହାର ଲାଲ ନେହେରୁ ଆଦିବାସୀ କ୍ଲବ ଚଟୁଅନକା, କର୍ମକର୍ତ୍ତା ଉପସ୍ଥିତ ରହି ଦାବି ପତ୍ର ଦେଇଥିଲେ। ଉପରୋକ୍ତ ସମସ୍ତ ସଂଗଠନ ଆଶା ବ୍ୟକ୍ତ କରିଛି ଯେ, ସରକାର ଜନ ଭାବନାକୁ ସମ୍ମାନ ଦେଇ କଣ୍ଟାବାଞ୍ଜିରେ ଏହି ଦୁଇଟି ଶିକ୍ଷା ସଂସ୍ଥା ସ୍ଥାପନକୁ ପ୍ରାଧାନ୍ୟ ଦେବେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.