ଆଜି କବିବରଙ୍କ ଜନ୍ମଦିନ

ଆଜି କବିବର ରାଧାନାଥ ରାୟଙ୍କ ଜୟନ୍ତୀ। ବାଲେଶ୍ଵର ଜିଲ୍ଲାର ସୋର ନିକଟସ୍ଥ କେଦାରପୁର ଗ୍ରାମରେ ସେ ୨୮ ସେପ୍ଟେମ୍ବର ୧୮୪୮ରେ ଜନ୍ମଗ୍ରହଣ କରିଥିଲେ। ସେ ସୁନ୍ଦରନାରାୟଣ ରାୟ ଓ ତାରିଣୀ ଦାସୀଙ୍କର ଜ୍ୟେଷ୍ଠ ସନ୍ତାନ ଥିଲେ। ସୁନ୍ଦରନାରାୟଣ ଥିଲେ ଦକ୍ଷିଣ ଭାରତୀୟ କାୟସ୍ଥ ଓ ତାଙ୍କ ପୂର୍ବପୁରୁଷ ମେଦିନୀପୁର ଅନ୍ତର୍ଗତ ରାଧାନଗର ଗ୍ରାମରୁ ଆସିଥିଲେ। ତାଙ୍କର ବଂଶଗତ ଉପାଧି ଥିଲା ଦେ’।

ରାଧାନାଥ ଓଡ଼ିଆ ଭାଷାରେ ଲେଖିବା ପୂର୍ବରୁ ବଙ୍ଗଳା ଭାଷାରେ କବିତା ଲେଖୁଥିଲେ। ବଙ୍ଗଳା ସାହିତ୍ୟିକ ଭୂଦେବ ମୁଖାର୍ଜୀଙ୍କ ପ୍ରରୋଚନାରେ ସେ ଓଡ଼ିଆ ଭାଷାରେ ଲେଖିବା ଆରମ୍ଭ କରିଥିଲେ। ଉତ୍କଳର ଦର୍ଶନୀୟ ହ୍ରଦ, ପୁଷ୍କରିଣୀ, ପର୍ବତ, ନିର୍ଝର, ନଦୀ, ବନ, ଗ୍ରାମ, ଉଦ୍ୟାନ, ବୃକ୍ଷଲତା, ଆଦି ପ୍ରାକୃତିକ ଦୃଶ୍ୟ ଓ ଐତିହାସିକ ବିଷୟକୁ ସେ ଲିପିବଦ୍ଧ କରି ଯାଇଅଛନ୍ତି। ତାଙ୍କର ଏକ ଉପନ୍ୟାସ ‘ଇତାଲୀୟ ଯୁବା’ ଓ ‘ବିବେକୀ’ ନାମକ ପ୍ରବନ୍ଧ ଏବଂ କେତେଗୁଡ଼ିଏ ପାଠ୍ୟପୁସ୍ତକ ଛଡ଼ା ଆଉ ସବୁ ରଚନା ପଦ୍ୟ। ୧୮୭୩ରେ ପ୍ରକାଶିତ ‘ବିବେକୀ’ ତାଙ୍କର ପ୍ରଥମ ଓଡ଼ିଆ ସୃଷ୍ଟି।

ଉତ୍କଳର ପ୍ରାକୃତିକ ଦୃଶ୍ୟ ବର୍ଣ୍ଣନା ତାଙ୍କୁ ଅମର କରି ରଖିଛି। ତାଙ୍କ ରଚନାର ମାଧୁର୍ଯ୍ୟ, ପଦଲାଳିତ୍ୟ, ସାରଲ୍ୟ ଓ ସୁରୁଚି ପାଠକମାନଙ୍କୁ ମୁଗ୍ଧ କରେ। ଚରିତ୍ରଚିତ୍ରଣରେ ସେ କୃତିତ୍ଵ ଲାଭ କରି ଥିଲେ। ସଂସ୍କୃତ ଓ ଇଂରାଜୀ ସାହିତ୍ୟରେ ତାଙ୍କର ପାଣ୍ଡିତ୍ୟ ଥିଲା।

ଅତି ଶୈଶବରୁ ରାଧାନାଥଙ୍କ ମାତୃବିୟୋଗ ଘଟିଥିଲା। ସେ ଶୈଶବରୁ ଅତ୍ୟନ୍ତ ରୋଗପ୍ରବଣ ଥିଲେ, ତେଣୁ ପଠଦ୍ଦଶାରେ ତାଙ୍କର ବହୁ ସମୟ ରୋଗରେ ନଷ୍ଟ ହୋଇଥିଲା। ସେ ବାଲେଶ୍ଵର ଜିଲ୍ଲା ସ୍କୁଲରୁ ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ, ସେସମୟରେ କଟକର ଉଚ୍ଚତର ଶିକ୍ଷା ନିମନ୍ତେ କଲେଜ୍ ନଥିବାରୁ, କଲିକତାକୁ ଏଫ୍.ଏ. ପଢ଼ିବାକୁ ଗଲେ। ସେଠାରେ ସ୍ଵାସ୍ଥ୍ୟହାନି ଘଟିବାରୁ ଉଚ୍ଚଶିକ୍ଷାକୁ ଜଳାଞ୍ଜଳି ଦେଇ ତାଙ୍କୁ ଶୀଘ୍ର ସେଠାରୁ ଫେରିଆସିବାକୁ ହେଲା। କିଛିଦିନ ପରେ ସେ ବାଲେଶ୍ଵର ଜିଲ୍ଲା ସ୍କୁଲରେ ମାସିକ ୩ ଟଙ୍କା ବେତନରେ ତୃତୀୟ ଶିକ୍ଷକ ପଦରେ ନିୟୁକ୍ତ ହେଲେ। କଲେଜରେ ପଢ଼ିବା ସୁବିଧା ଆଉ ନଘଟିବାରୁ ସେ ନିଜ ଯତ୍ନରେ ଘରେ ପାଠ ପଢ଼ି ଏଫ୍.ଏ. ପାସ୍ କରିଥିଲେ ଓ ବି.ଏ. ପରୀକ୍ଷାରେ ସମସ୍ତ ପାଠ୍ୟ ନିଜ ଉଦ୍ୟମରେ ଘରେ ପଢ଼ିଥିଲେ। ତତ୍କାଳୀନ ବିଖ୍ୟାତ ପଣ୍ଡିତ ସଦାଶିବ ନନ୍ଦଙ୍କ ପାଖରେ ରାଧାନାଥ, ଫକୀରମୋହନଙ୍କ ସହିତ ସଂସ୍କୃତ କାବ୍ୟ ନାଟକ ଆଦି ଅଧ୍ୟୟନ କରି ସେଥିରେ ପାଣ୍ଡିତ୍ୟ ଅର୍ଜନ କରିଥିଲେ।

ବାଲେଶ୍ଵର ଜିଲ୍ଲା ସ୍କୁଲରେ ରାଧାନାଥ ୫ ବର୍ଷକାଳ ଚାକିରି କରିଥିଲେ ଓ ଏହି ସମୟରେ ରେମୁଣା ଗ୍ରାମର ଆଦିତ୍ୟ ବଂଶର ଚନ୍ଦ୍ରମୋହନ ଆଦିତ୍ୟଙ୍କ କନ୍ୟା ପରଶମଣିଙ୍କ ସହିତ ରାଧାନାଥଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏହା ପରେ ସେ ଦ୍ଵିତୀୟ ଶିକ୍ଷକ ପଦରେ ପୁରୀ ଜିଲ୍ଲା ସ୍କୁଲକୁ ବଦଳି ହେଲେ ଓ ସେଠାରେ ଭକ୍ତକବି ମଧୁସୂଦନ ରାଓ ତାଙ୍କର ଛାତ୍ର ଥିଲେ। ପୁରୀରୁ ସେବାଙ୍କୁଡ଼ାକୁ ବଦଳି ହେଲେ ଓ ସେଠାରୁ ୧୮୭୬ରେ ସ୍କୁଲ ବିଭାଗୀୟ ଡ଼େପୁଟି ଇନ୍ସପେକ୍ଟର୍ ପଦରେ ବାଲେଶ୍ଵର ଜିଲ୍ଲାକୁ ଫେରିଆସିଲେ। ରାଧାନାଥ ତାଙ୍କ ସାହିତ୍ୟ ସେବା ଓ ଉତ୍କଳର ଶିକ୍ଷା ବିସ୍ତାର ପ୍ରତି ସ୍ପୃହାର ପୁରସ୍କାର ସ୍ଵରୂପ ଗଭର୍ଣ୍ଣମେଣ୍ଟ୍ ତାଙ୍କୁ ରାୟ ବାହାଦୁର ଉପାଧିରେ ଭୂଷିତ କରିଥିଲେ। ଗଡ଼ଜାତ ଭ୍ରମଣରୁ ଫେରି ଜ୍ୱର ରୋଗରେ ଆକ୍ରାନ୍ତ ହୋଇ ସେ ୧୯୦୮ ମସିହା ଏପ୍ରିଲ ୧୭ ତାରିଖରେ ମୃତ୍ୟୁବରଣ କରିଥିଲେ।


ଗୁଗଲ୍ କ୍ରୋମରେ odiabarta.in ଖୋଲି ଲାଲ୍ ବେଲ୍ ବଟନରେ କ୍ଲିକ୍ କରନ୍ତୁ ଓ ସବୁ ଖବର-ବିଚାର ସୂଚନା ପାଆନ୍ତୁ

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.