ଭାରତୀୟ ସଂସ୍କୃତିର ଶ୍ରେଷ୍ଠ ପ୍ରତିନିଧି : ଲାଲବାହାଦୂର ଶାସ୍ତ୍ରୀ

ଲାଲବାହାଦୂର ଶାସ୍ତ୍ରୀ ଉତ୍ତରପ୍ରଦେଶର ମୋଗଲସରାଇଠାରେ ୧୯୦୪ ମସିହା ଅକ୍ଟୋବର ୨ ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ । ମୋଗଲସରାଇ ଏକ ରେଳଷ୍ଟେଶନ ଓ ଏହା ବାରାଣାସୀଠାରୁ ମାତ୍ର ସାତ ମାଇଲ ଦୂରେ ଅବସ୍ଥିତ । ତାଙ୍କ ପିତା ଥିଲେ ଜଣେ ସ୍କୁଲ ଶିକ୍ଷକ ଓ ଲାଲ ବାହାଦୂରଙ୍କୁ ଯେତେବେଳେ ମାତ୍ର ଦେଢ଼ ବର୍ଷ ବୟସ ହୋଇଥିଲା ତାଙ୍କ ପିତାଙ୍କର ଦେହାନ୍ତ ହୋଇଥିଲା । ସେତେବେଳକୁ ତାଙ୍କ ମାଆଙ୍କ ବୟସ ୩୦ ବର୍ଷଠାରୁ କମ୍ । ତେଣୁ ନିଜର ତିନୋଟି ସନ୍ତାନଙ୍କୁ ଧରି ମାଆ ତାଙ୍କ ବାପ ଘରକୁ ଫେରିଯାଇ ସେଇଠି ରହିଲେ ।

ଲାଲବାହାଦୂରଙ୍କ ସେଇ ଛୋଟିଆ ସହରରେ ପ୍ରାଥମିକ ଶିକ୍ଷା ଲାଭ ବିଶେଷ ଗୁରୁତ୍ୱପୂର୍ଣ୍ଣ ନଥିଲା । ତେବେ ଦାରିଦ୍ର୍ୟ ସତ୍ତ୍ୱେ ତାଙ୍କ ବାଲ୍ୟକାଳ ବେଶ ଖୁସିରେ ବିତିଥିଲା ।

ଏହାପରେ ତାଙ୍କର ଜଣେ ମାମୁଁଙ୍କ ସହ ସେ ଆସି ବାରଣାସୀରେ ରହିଲେ ଓ ହାଇସ୍କୁଲରେ ପଢ଼ିଲେ । ଘରେ ତାଙ୍କର ଡାକ ନାଁ ଥିଲା “ନହ୍ନେ” । ମୁଣ୍ଡଫଟା ଟାଣ ଖରାରେ ପ୍ରତିଦିନ ଖାଲି ପାଦରେ ତାଙ୍କୁ ପାଠ ପଢ଼ିବାକୁ ମାଇଲ ମାଇଲ୍ ବାଟ ଚାଲି ଚାଲି ଯିବାକୁ ପଡୁଥିଲା ।

ବୟସ ବଢ଼ିବା ସହ ଲାଲ ବାହାଦୂର ଧୀରେଧୀରେ ଦେଶର ସ୍ୱାଧୀନତା ସଂଗ୍ରାମ ଏବଂ ବିଦେଶୀ ଶାସନ କବଳରୁ ମୁକ୍ତି ସମ୍ପର୍କରେ ଅଧିକରୁ ଅଧିକ ଆଗ୍ରହୀ ହୋଇପଡିଲେ । ଦେଶୀୟ ଶାସକମାନେ ଭାରତରେ ବ୍ରିଟିଶ ଶାସନକୁ ସମର୍ଥନ କରିବା ଘଟଣାକୁ ମହାତ୍ମା ଗାନ୍ଧୀ ନାପସନ୍ଦ କରୁଥିବା ପ୍ରସଙ୍ଗ ବାଳକ ଲାଲବାହାଦୂର ଶାସ୍ତ୍ରୀଙ୍କୁ ଗଭୀର ଭାବେ ପ୍ରଭାବିତ କରିଥିଲା । ସେତେବେଳେ ତାଙ୍କୁ ମାତ୍ର ୧୧ ବର୍ଷ ବୟସ । କିନ୍ତୁ ଜାତୀୟ ମଂଚରେ ଅବତୀର୍ଣ୍ଣ ହେବା ପାଇଁ ସେତେବେଳକୁ ସୁଦ୍ଧା ତାଙ୍କ ମନରେ ବିଦ୍ରୋହର ବହ୍ନି ସୃଷ୍ଟି ହୋଇସାରିଥାଏ ।

ମହାତ୍ମା ଗାନ୍ଧୀ ଯେତେବେଳେ ଦେଶବାସୀ ଅସହଯୋଗ ଆନ୍ଦୋଳନ ପାଇଁ ଡାକରା ଦେଲେ ସେତେବେଳେ ଲାଲବାହାଦୂର ଶାସ୍ତ୍ରୀଙ୍କୁ ମାତ୍ର ଷୋହଳ ବର୍ଷ ହୋଇଥାଏ । ମହାତ୍ମା ଗାନ୍ଧୀଙ୍କ ଆହ୍ୱାନରେ ସେ ସହସା ନିଜ ପାଠ ଛାଡି ସ୍ୱାଧୀନତା ସଂଗ୍ରାମରେ ଯୋଗଦେବାକୁ ସିଦ୍ଧାନ୍ତ ନେଲେ । ତାଙ୍କର ଏପରି ନିଷ୍ପତ୍ତି ମାଆଙ୍କ ସବୁ ଆଶା ଭରସାକୁ ଧୂଳିସାତ କରିଦେଲା । ଯଦିଚ ତାଙ୍କ ପରିବାର ପାଇଁ ଦୁଃଖଦ ସମ୍ବାଦ ଥିଲା । ତଥାପି ସେମାନେ କେହି କିଶୋର ଲାଲବାହାଦୂରଙ୍କୁ ବାରଣ କଲେ ନାହିଁ । ଲାଲବାହାଦୂର ବି ମନେମନେ ସ୍ଥିର ସିଦ୍ଧାନ୍ତରେ ଉପନୀତ ହୋଇ ସାରିଥାନ୍ତି । ଯେଉଁମାନେ ତାଙ୍କ ସହ ଘନିଷ୍ଠ ଥିଲେ ସେମାନେ ଭଲଭାବେ ଜାଣିଥିଲେ ଯେ ଥରେ ନିଷ୍ପତ୍ତି ନେବାପରେ ଲାଲବାହାଦୂରଙ୍କୁ ତାଙ୍କ ନିଷ୍ପତ୍ତିରୁ ବିଚ୍ୟୁତ କରିବା ଅସମ୍ଭବ । ତାଙ୍କର ସରଳ ବାହ୍ୟ ବ୍ୟକ୍ତିତ୍ୱର ଖୋଳପା ଭିତରେ ବଜ୍ର ଭଳି ଦୃଢ଼ତା ସୁରକ୍ଷିତ ଥିଲା ।

ଲାଲବାହାଦୂର ଶାସ୍ତ୍ରୀ ବାରଣାସୀ ସ୍ଥିତ କାଶୀ ବିଦ୍ୟାପୀଠରେ ପରେ ଯୋଗ ଦେଇଥିଲେ । କାଶୀ ବିଦ୍ୟାପୀଠ ଦେଶରେ ବ୍ରିଟିଶ ଶାସନକୁ ବିରୋଧ କରି ସ୍ଥାପିତ ହୋଇଥିବା ଜାତୀୟ ଅନୁଷ୍ଠାନମାନଙ୍କ ମଧ୍ୟରୁ ଅନ୍ୟତମ ଥିଲା । ସେଠାରେ ସେ ଅନେକ ମହାନ୍ ବିଦ୍ୱାନ ଏବଂ ଜାତୀୟତାବାଦୀ ରାଷ୍ଟ୍ରୀୟ ନେତାଙ୍କ ସଂସ୍ପର୍ଶରେ ଆସିଥିଲେ ଓ ସେମାନଙ୍କ ଦ୍ୱାରା ଗଭୀର ଭାବେ ପ୍ରଭାବିତ ହୋଇଥିଲେ । ଏହି ବିଦ୍ୟାପୀଠରେ ଲାଲ ବାହାଦୂରଙ୍କୁ ଶାସ୍ତ୍ରୀ ଡିଗ୍ରୀ ପ୍ରାପ୍ତ ହୋଇଥିଲା ଏବଂ ସେହି ଶାସ୍ତ୍ରୀ ଶବ୍ଦଟି ତାଙ୍କ ନାମ ସହ ସବୁଦିନ ପାଇଁ ଯୋଡି ହୋଇଯାଇଥିଲା ।

୧୯୨୭ ମସିହାରେ ସେ ଲଳିତା ଦେବୀଙ୍କର ପାଣିଗ୍ରହଣ କରିଥିଲେ । ତାଙ୍କ ନିଜ ଘର ମୋଗଲସରାଇ ଠାରୁ ଅଳ୍ପ ଦୂରରେ ଅବସ୍ଥିତ ମିର୍ଜାପୁର ଥିଲା ଲଳିତା ଦେବୀଙ୍କ ପୈତୃକ ଗୃହ । ଏହି ନିରାଡମ୍ବର ଭାବେ ପାରମ୍ପରିକ ରୀତି ଅନୁସାରେ ସମ୍ପର୍ଣ୍ଣ ହୋଇଥିଲା । ଶାସ୍ତ୍ରୀ ଯୌତୁକ ସ୍ୱରୂପ ଆଣିଥିଲେ ଗୋଟିଏ ଅରଟ ଏବଂ କେଇ ଗଜ ହାତ ତିଆରି କପଡା । ଏହା ବ୍ୟତୀତ ବର ଆଉ କିଛି ଗ୍ରହଣ କରିବେ ନାହିଁ ବୋଲି ଥିଲା ଲାଲବାହାଦୂରଙ୍କ ସର୍ତ୍ତ ।

୧୯୩୦ ମସିହାରେ ମହାତ୍ମା ଗାନ୍ଧୀ ଦାଣ୍ଡି ଉପକୂଳରେ ସମୁଦ୍ର ତଟକୁ ଆରମ୍ଭ କରିଥିଲେ ଐତିହାସିକ ଯାତ୍ରା ଏବଂ ବ୍ରିଟିଶ ଆଇନ ଭଙ୍ଗ କରି ଲୁଣ ଉତ୍ତୋଳନ କରିଥିଲେ । ଏହି ସାଂକେତିକ ଲୁଣ ମରା ସତେ ଯେପରି ସାରା ଦେଶରେ ବିପ୍ଳବର ବହ୍ନି ଜାଳି ଦେଇଥିଲା । ଲାଲବାହାଦୂର ଶାସ୍ତ୍ରୀ ଏହି ଆନ୍ଦୋଳନରେ ପ୍ରବଳ ଉତ୍ସାହର ସହ ଯୋଗ ଦେଇଥିଲେ । ବ୍ରିଟିଶ ସରକାରଙ୍କ ବିରୋଧରେ ଅନେକ ବାର ଆନ୍ଦୋଳନର ନେତୃତ୍ୱ ନେଇ ସେ ସାତ ବର୍ଷ ଜେଲ ଦଣ୍ଡ ଭୋଗ କରିଥିଲେ । ଏହି ଆନ୍ଦୋଳନରେ ହିଁ ତାଙ୍କ ମନରେ ଥିବା ଲୌହ ଭଳି ଦୃଢ଼ ଚିନ୍ତା ଧାରାକୁ ଅଧିକ ମଜବୁତ୍ କରିଥିଲା ଓ ମାନସିକ ସ୍ତରରେ ସେ ଅଧିକ ଦୃଢ଼ ମନା ହୋଇଥିଲେ ।

ସ୍ୱାଧୀନତା ପରେ ଯେତେବେଳେ କଂଗ୍ରେସ ଦଳ କ୍ଷମତାକୁ ଆସିଲା ସେତେବେଳକୁ ଲାଲବାହାଦୂର ଶାସ୍ତ୍ରୀଙ୍କ ସରଳ ଅଥଚ ଦୃଢ଼ ବ୍ୟକ୍ତିତ୍ୱ ସମସ୍ତଙ୍କ ନିକଟରେ ସୁପରିଚିତ ହୋଇସାରିଥିଲା । ଜାତୀୟତା ଆନ୍ଦୋଳନରେ ତାଙ୍କର ଅବଦାନକୁ ସମସ୍ତେ ସ୍ୱୀକୃତି ପ୍ରଦାନ କରିସାରିଥିଲେ । ୧୯୪୬ ମସିହାରେ ଯେତେବେଳେ କଂଗ୍ରେସ ସରକାର ଗଠିତ ହେଲା ଏହି ଦୃଢ଼ମନା ବ୍ୟକ୍ତି ଦେଶର ଶାସନ ବ୍ୟବସ୍ଥାରେ ଗଠନମୂଳକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଲାଗି ଆବଶ୍ୟକ ପଡିଲା । ତାଙ୍କୁ ନିଯୁକ୍ତି ମିଳିଲା ନିଜ ରାଜ୍ୟ ଉତ୍ତରପ୍ରଦେଶର ସଂସଦୀୟ ସଚିବ ଭାବେ ଏବଂ ପରେପରେ ସେ ଉନ୍ନୀତ ହୋଇଥିଲେ ସ୍ୱରାଷ୍ଟ୍ର ମନ୍ତ୍ରୀ ପଦକୁ । କଠିନ ପରିଶ୍ରମ ପାଇଁ ତାଙ୍କ ମନରେ ଥିବା ମନୋବଳ, କ୍ଷମତା ଏବଂ କର୍ତ୍ତବ୍ୟନିଷ୍ଠା ଉତ୍ତରପ୍ରଦେଶରେ ସମସ୍ତଙ୍କ ତୁଣ୍ଡରେ ଏକ ସୁପରିଚିତ ଶବ୍ଦରେ ପରିଣତ ହେଲା । ୧୯୫୧ ମସିହାରେ ସେ ନୂଆଦିଲ୍ଲୀକୁ ସ୍ଥାନାନ୍ତରିତ ହୋଇ କେନ୍ଦ୍ର କ୍ୟାବିନେଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ବହନ କଲେ । ସେଥି ମଧ୍ୟରେ ରେଳବାଇ ମନ୍ତ୍ରୀ, ପରିବହନ ଓ ଯୋଗାଯୋଗ ମନ୍ତ୍ରୀ, ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀ ଏବଂ ପଣ୍ଡିତ ନେହରୁଙ୍କ ଅସୁସ୍ଥତା ସମୟରେ ବିଭାଗବିହୀନ ମନ୍ତ୍ରୀ ଭାବେ କାର୍ଯ୍ୟ କରିବା ଅନ୍ୟତମ । ଲାଲବାହାଦୂରଙ୍କ ବ୍ୟକ୍ତିତ୍ୱ ଏବଂ କାର୍ଯ୍ୟଦକ୍ଷତା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଥାଏ । ଦେଶରେ ସେତେବେଳେ ଘଟିଥିବା ଏକ ରେଳ ଦୁର୍ଘଟଣାରେ ଅନେକ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିଲା ଏବଂ ଏଥିପାଇଁ ସେ ନୈତିକ ଦାୟିତ୍ୱ ନିଜ ମୁଣ୍ଡକୁ ନେଇ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ଶାସ୍ତ୍ରୀଜୀଙ୍କ ଏଭଳି ଅଭୂତପୂର୍ବ ସିଦ୍ଧାନ୍ତକୁ ଆଜି ସୁଦ୍ଧା ସଂସଦ ଏବଂ ସାରା ଦେଶରେ ପ୍ରଶଂସା କରାଯାଇଆସୁଛି । ତତ୍କାଳୀନ ପ୍ରଧାନମନ୍ତ୍ରୀ ପଣ୍ଡିତ ନେହରୁ ଏହି ଘଟଣା ସମ୍ପର୍କରେ ସଂସଦରେ ବକ୍ତବ୍ୟ ରଖି ଲାଲବାହାଦୂର ଶାସ୍ତ୍ରୀଙ୍କ ନିଷ୍ଠା ଏବଂ ଉଚ୍ଚ ଆଦର୍ଶବାଦକୁ ଭୂୟସୀ ପ୍ରଶଂସା କରିଥିଲେ । ସେ କହିଥିଲେ ଯେ ଏଇଥି ଲପାଇଁ ସେ ତାଙ୍କର ଇସ୍ତଫା ପତ୍ର ଗ୍ରହଣ କରିଛନ୍ତି, ଯଦ୍ୱାରା ଏହା ସାମ୍ବିଧାନିକ ବ୍ୟବସ୍ଥା ଦୃଷ୍ଟିରୁ ଏକ ଉଚ୍ଚ ପରମ୍ପରା ଉଦାହରଣ ସୃଷ୍ଟି କରିବ । ଲାଲବାହାଦୂର ଶାସ୍ତ୍ରୀ ଯେ କୌଣସି ମତେ ଏହି ରେଳ ଦୁର୍ଘଟଣା ପାଇଁ ଦାୟୀ ନୁହଁନ୍ତି ତାହା ସମସ୍ତେ ଉପଲବ୍ଧି କରୁଛନ୍ତି । ଏହି ରେଳ ଦୁର୍ଘଟଣା ସଂପର୍କରେ ସଂସଦରେ ଚାଲିଥିବା ବିସ୍ତୃତ ବିତର୍କର ଉତ୍ତର ଦେଇ ଲାଲବାହାଦୂର ଶାସ୍ତ୍ରୀ କହିଥିଲେ “ସମ୍ଭବତଃ ଶରୀର ଗଠନରେ ମୁଁ କ୍ଷୁଦ୍ର ଏବଂ ମୋର କଥାବାର୍ତ୍ତା ନରମ ହୋଇଥିବାରୁ ମୁଁ କୌଣସି ଦୃଢ଼ ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁ ବୋଲି ଲୋକମାନେ ବିଶ୍ୱାସ କରିବା ସ୍ୱଭାବିକ । ଯଦିଚ ମୁଁ ଶାରିରୀକ ଭାବେ ଦୃଢ଼ ନୁହେଁ, ମୁଁ ଭାବୁଛି ମାନସିକ ସ୍ତରରେ ମୁଁ ସେତେଟା ଦୁର୍ବଳ ହୋଇ ନପାରେ ।”

ଲାଲବାହାଦୂର ତାଙ୍କର ବିଭିନ୍ନ ମନ୍ତ୍ରୀପଦ ଭାର ସମ୍ପାଦନ ମଧ୍ୟରେ କଂଗ୍ରେସ ଦଳର ସାଂଗଠନିକ ବ୍ୟାପାରରେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିଥିଲେ । ୧୯୫୨, ୧୯୫୭, ଏବଂ ୧୯୬୨ ମସିହା ସାଧାରଣ ନିର୍ବାଚନରେ ତାଙ୍କର ସାଂଗଠନିକ ଦକ୍ଷତା ହିଁ ଦଳକୁ ବିଜୟୀ କରିବାରେ ଯଥେଷ୍ଟ ମାତ୍ରାରେ ସହାୟକ ହୋଇଥିଲା ଏବଂ ଏ କଥା ସଭିଏଁ ସ୍ୱୀକାର କରିଥିଲେ ।

ସେତେବେଳେକୁ ଲାଲବାହାଦୂର ଶାସ୍ତ୍ରୀ ଦୀର୍ଘ ୩୦ ବର୍ଷରୁ ଅଧିକ କାଳ ଧରି ଉତ୍ସର୍ଗୀକୃତ ଭାବେ ଦେଶ ପାଇଁ କରିଥିବା ସେବା ଠୁଳ ହୋଇସାରିଥାଏ । ଏହି ସମୟରେ ସେ ଜଣେ ସଚ୍ଚୋଟ ଏବଂ ସକ୍ଷମ ରାଜନେତା ଭାବେ ସମସ୍ତଙ୍କ ନିକଟରେ ସୁପରିଚିତ ହୋଇସାରିଥିଲେ । ଅମାୟିକ, ସହନଶୀଳ, ଦୃଢ଼ ମନୋବଳ ଓ କୃତସଂକଳ୍ପ ବ୍ୟକ୍ତିତ୍ୱ ଭାବେ ସେ ସାଧାରଣ ଲୋକଙ୍କ ମନର ଭାଷାକୁ ଭଲ ଭାବେ ବୁଝିପାରୁଥିଲେ । ଏଥିସହ ସେ ଥିଲେ ଜଣେ ଦୂରଦ୍ରଷ୍ଟା ଯେ ଦେଶକୁ ପ୍ରଗତି ପଥରେ ଆଗେଇ ନେବା ଲାଗି ନିଜର ନେତୃତ୍ୱ ପ୍ରଦାନ କରିଥିଲେ । ମହାତ୍ମା ଗାନ୍ଧୀଙ୍କ ରାଜନୈତିକ ଆଦର୍ଶରେ ଲାଲ ବାହାଦୂର ଶାସ୍ତ୍ରୀ ସାରା ଜୀବନ ଗଭୀର ଭାବେ ଅନୁପ୍ରାଣୀତ ହୋଇଥିଲେ । ଗାନ୍ଧୀ ଏକଦା କହିଥିଲେ କଠିନ ଶ୍ରମ ହିଁ ପ୍ରାର୍ଥନା ସଙ୍ଗେ ସମାନ । ରାଜନୈତିକ ଗୁରୁଙ୍କର ଏହି କେଇଟି ଶବ୍ଦ ଶାସ୍ତ୍ରୀଜୀଙ୍କ କାନରେ ଯେପରି ସାରା ଜୀବନ ଗୁଞ୍ଜରିତ ହୋଇଚାଲିଥିଲା । ମହାତ୍ମା ଗାନ୍ଧୀଙ୍କ ପରମ୍ପରାରେ ପ୍ରଭାବିତ ଲାଲ ବାହାଦୂର ଶାସ୍ତ୍ରୀ ଭାରତୀୟ ସଂସ୍କୃତିର ଶ୍ରେଷ୍ଠ ପ୍ରତିନିଧି କହିଲେ ଅତ୍ୟୁକ୍ତି ହେବ ନାହିଁ ।

Click on bell button, subscribe to notifications, and never miss any news or views alerts

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.