ଯେଉଁଠି ଖୋଜା ଚାଲେ
ନିତି ପେଟ ପାଇଁ ଦୁଇ ମୁଠା ଅନ୍ନ
ଯେଉଁଠି ବଞ୍ଚିବା ପାଇଁ
ଦେଖିବାକୁ ପଡେ
ଅସୁମାରି ସ୍ବପ୍ନ
ଯେଉଁଠି ପାଦେ ଜାଗା
ଅକ୍ତିଆର କରିବା ପାଇଁ
ହୁଏତ ଦେବାକୁ ପଡିପାରେ
ନିଜର ଅମୂଲ୍ଯ ଜୀବନ
ଯେଉଁଠି ନିଜର ହକ୍ ପାଇଁ
ହଜାଇ ବାକୁ ପଡେ
ନିଜର ମାନ ସମ୍ମାନ
ଯେଉଁଠି ନିଜର ପ୍ରେମିକାକୁ ପାଇବାକୁ
ଭୁଲିବାକୁ ହୁଏ ଆତ୍ମୀୟସ୍ବଜନ
ଯେଉଁଠି ବଞ୍ଚିବା ପାଇଁ
ମରିବାକୁ ହୁଏ
ପ୍ରତି ରାତି ଦିନ
ଯେଉଁଠି ମରିବାକୁ
ପୁଣି ଖୋଜା ହୁଏ
ଏକ ନିର୍ଜନ ସ୍ଥାନ ।
ଯେଉଁଠି ଖୋଜା ଚାଲେ
ଅଣ୍ଟା ପାଇଁ ଚାଖଣ୍ଡେ ବସ୍ତ୍ର
ଆଉ ଜୀବନ ସାରା ହେବାକୁ ପଡେ
ଅସ୍ତ ବ୍ୟସ୍ତ ।
ତଥାପି ତ ଜୀଇଁବାର ଅଛି ।
ଥାଉ ପଛେ ହଜାରେ ସପନ
ସତ୍ଯ ନ ହୋଇ
ଯାଉ ପଛେ ଦିନ ଗୁଡିକ
ପଶ୍ଚିମ ଦିଗରେ
ନିତି ଅସ୍ତ ହୋଇ
ପୁଣି ତ ପୂର୍ବ ଦିଗରେ
ଉଦୟ ହେବ ସୂର୍ଯ୍ୟ
ଏକ ରକ୍ତିମ ଆଭା ନେଇ ।
ଏମିତି ତ ସମୟ ଗଡି ଚାଲିଛି
ଅବିରାମ ଗତିରେ
ଅବିଶ୍ରାନ୍ତ ଭାବରେ
ବେଶ୍ ରାତି ଦିନ
ବୋଧେ ଏଇତ ଜୀବନ ।
ବୋଧେ ଏଇତ ଜୀବନ ।