ସକାଳୁ ବାଇକ ପେଟ୍ରୋଲିଂ ହେବ କଡାକଡି, ବର୍ତ୍ତି ପାରିବେନି ଲୁଟେରା
ରାୟଗଡ,୧୨/୧୨ : ଭୋର ସକାଳ ହେଲେ ରାୟଗଡ ସହରରେ ମାତିଛନ୍ତି ସୁନାଚେନ ଲୁଟେରା । ହେଲମେଟ ପିନ୍ଧି ବାଇକରେ ବୁଲୁଛନ୍ତି ଦୁଇଜଣ ଲେଖାଁଏ ଯୁବକ । ଦାଣ୍ଡରେ ଠିଆ ହୋଇଥିବା ତଥା ଝୋଟି ପକାଉଥିବା ଏକାକି ଥିବା ମହିଳାମାନଙ୍କୁ ଠିକଣା ପଚାରିବା ବାହାନାରେ ବେକରୁ ସୁନା ଚେନ ଝାମ୍ପି କରି ନେଇ ଯାଉଛନ୍ତି । ଯାହାକୁ ନେଇ ଭୟରେ
ସହରବାସୀ । ତେବେ ବଢୁଥିବା ଏହି ଘଟଣାକୁ ରୋକ ଲଗାଇବା ପାଇଁ ଦୁର୍ବୁତମାନଙ୍କୁ ଏଥର ସାବାଡ କରିବ ରାୟଗଡ ପୋଲିସ । ରାୟଗଡ ଜିଲ୍ଳା ଆରକ୍ଷୀ ଅଧୀକ୍ଷକ ଡ.ସର୍ବଣା ବିବେକ ଏମ.ଙ୍କ ନିର୍ଦ୍ଦେଶ କ୍ରମେ ଭୋର ସକାଳ ୫ଟାରୁ ୯ଟା ମଧ୍ୟରେ ବାଇକ ପେଟ୍ରୋଲିଂ ଆରମ୍ଭ କରାଯାଇ ଲୁଟେରାମାନଙ୍କ ଉପରେ ତୀକ୍ଷଣ୍ ନଜର ରଖାଯିବ । ପୋଲିସ ସାଧା ପୋଷାକରେ ସହରର ବିଭିନ୍ନ ଅଂଚଳରେ ବୁଲି ବୁଲି ପେଟ୍ରୋଲିଂ କରିବେ ବୋଲି ଏସଡିପିଓ ତପନ ନାରାୟଣ ରଥ ସୂଚନା ଦେଇଥିବା ବେଳେ ଗତ ଏକ ସପ୍ତାହ ମଧ୍ୟରେ ଘଟିଥିବା ସୁନାଚେନ ଝାମ୍ପି ନେବା ଘଟଣାର ତଦନ୍ତ ଚାଲୁଥିବା ବେଳେ ଏଥିରେ ମଧ୍ୟ ଯଥାଶୀଘ୍ର ଲୁଟେରାମାନଙ୍କୁ ଗିରଫ କରାଯିବାକୁ ଥିବା ବେଳେ ଗତ ଏକମାସ ତଳେ ହୋଇଥିବା ଚୋରି ଘଟଣାରେ ସଫଳତା ମିଳିଥିବା ସେ ସୂଚନା ଦେଇଛନ୍ତି ଏବଂ ଯଥାଶୀଘ୍ର ଏହି ଘଟଣାର ଫର୍ଦ୍ଦାଫାଶ କରାଯିବ ବୋଲି ସେ କହିଛନ୍ତି । ଗତ ଏକ ସପ୍ତାହ ମଧ୍ୟରେ ରାୟଗଡ ସହରର ନ୍ୟିୁ କଲୋନୀ, ଇନ୍ଦିରା ନଗର, ନେହୁରୁ ନଗର, ସାଇପ୍ରିୟା ନଗର ଆଦି ଅଂଚଳଗୁଡିକରେ ପାଖାପାଖି ୫ରୁ ଉର୍ଦ୍ଧ ସୁନାଚେନ୍ ଝାମ୍ପି ନେବା ଘଟଣା ଘଟିଥିବା ବେଳେ ଥାନାରେ ପୀଡିତାମାନଙ୍କ ପକ୍ଷରୁ ୩ ଟି ଅଭିଯୋଗ ଦାଖଲ ହୋଇଥିବା ଜଣାପଡିଛି । ତେବେ ବାଇକରେ ଆସି ସୁନାଚେନ ଝାମ୍ପି ନେଇ ଫେରାର ହେଇଯାଉଥିବା ଲୁଟେରାଙ୍କୁ ଗିରଫ କରିବା ପାଇଁ ଅଂଟା ଭିଡିଛି ରାୟଗଡ ପୋଲିସ । ସହରରେ ପେଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିଲେ ମଧ୍ୟ ଭୋର ସକାଳୁ ପୋଲିସ ପେଟ୍ରୋଲିଂ କରାଯାଉ ନ ଥିବାରୁ ଏହାର ଫାଇଦା ଉଠାଇ ସୁନାଚେନ ଲୁଟେରା ମାନେ ଝୁଟି ପକାଉଥିବା, ଫୁଲ ତୋଳୁଥିବା ମହିଳାମାନଙ୍କୁ ଟାର୍ଗେଟ କରି ହିନ୍ଦି, ତେଲୁଗୁ ଭାଷାରେ ଯେ କୈାଣସି ସ୍ଥାନ ତଥା ବ୍ୟକ୍ତିଙ୍କ ପରିଚୟ ପଚାରିବା ବାହାନାରେ ସେମାନଙ୍କ ବେକରେ ଥିବା ସୁନାଚେନ, ମଙ୍ଗଳସୂତ୍ର ଆଦିକୁ ଝାମ୍ପି ନେଇ ବାଇକରେ ଫେରାର ହୋଇ ଯାଉଛନ୍ତି । ପ୍ରକାଶ ଥାଉ କି,ଗତ ଡିସେମ୍ବର ୬ତାରିଖ ଶୁକ୍ରବାର ଗୋଟିଏ ଦିନରେ ଇନ୍ଦିରା ନଗର, ନ୍ୟିୁ କଲୋନୀ ଓ ନେହୁରୁ ନଗର ୩ଟି ସ୍ଥାନରେ ଭୋର ସକାଳୁ ସୁନାଚେନ ଲୁଟେରାମାନେ ୩ଜଣ ମହିଳାଙ୍କ ବେକରୁ ସୁନାଚେନ ଝାମ୍ପି ନେବାରେ ଉଦ୍ୟମ କରି ଦୁଇଟିରେ ସଫଳ ହୋଇଥିବା ବେଳେ ଆଉ ଗୋଟିଏ ଉଦ୍ୟମ ବିଫଳ ହୋଇଥିଲେ । ଇନ୍ଦିରା ନଗର ସ୍ଥିତ ପଂଚମ ଲାଇନର ବୁଲୁବାଲା ବେହେରା (୫୮)ଙ୍କ ୩ତୁଳାର ସୁନାଚେନ, ନ୍ୟିୁ କଲୋନୀ ତୃତୀୟ ଲାଇନର ସୁଶୀଳା ମହାପାତ୍ରଙ୍କ ମଧ୍ୟ ୩ତୁଳା ସୁନାଚେନ ଓ ୟେଦୁ ସାହିର ଇପିଲି ରାବଣାମାଙ୍କ ୨.୭୫ତୁଳା ମଙ୍ଗଳସୂତ୍ର ଝାମ୍ପି ନେଇ ଆଖି ପିଛୁଳାକେ ଫେରାର ହୋଇଯାଇଥିଲେ ବାଇକରେ ଆସୁଥିବା ଲୁଟେରାମାନେ । ଗତ ବୁଧବାର ଦିନ ଇଦୁ ସାହିର ଇପିଲି ରାବଣାମା ନିଜ ଘର ଦାଣ୍ଡରେ ଠିଆ ହୋଇଥିବା ବେଳେ ଦୁଇଜଣ ବାଇକରେ ଆସି ଠିକଣା ପଚାରିବା ବାହନାରେ ୨.୭୫ଗ୍ରାମର ମଙ୍ଗଳ ସୂତ୍ର ଝାମ୍ପି ନେଇଥିଲେ । ରାୟଗଡ ଥାନା ପୋଲିସ ପକ୍ଷରୁ ସୁନାଚେନ ଲୁଟ ଘଟଣା ସ୍ଥଳଗୁଡିକରେ
ତଦନ୍ତ କରିବା ସହ ଉକ୍ତ ଅଂଚଳ ଗୁଡିକରେ ଥିବା ସିିସିଟିଭି ଫୁଟେଜକୁ ଯାଂଚ କରାଯାଉଛି ଏବଂ ଯଥାଶୀଘ୍ର ଦୁର୍ବୁତମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯିବ ବୋଲି ରାୟଗଡ ଏସଡିପିଓ ତପନ ନାରାୟଣ ରଥ ପ୍ରକାଶ କରିଛନ୍ତି । ତେବେ ଏପରି ସୁନାଚେନ ଲୁଟ ଘଟଣା ଅନେକ ଘଟୁଥିବା ନେଇ ସହରରେ ଚର୍ଚ୍ଚା ହେଉଥିବା ବେଳେ ପୋଲିସ ପାଖରେ ପୀଡିତାମାନେ ଅଭିଯୋଗ କରୁ ନ ଥିବା ଜଣାପଡୁଛି ।
ରାୟଗଡରୁ ଶିବ ନାରାୟଣ ଗୌଡ଼ଙ୍କ ରିପୋର୍ଟ୍ odiabarta.in
__________________________________________





