ରାୟଗଡ,୧୭/୫: ଆସନ୍ତା ମେ’୨୦ତାରିଖରୁ ଦଶମ ଶ୍ରେଣୀ ପରୀକ୍ଷାର ଖାତା ମୂଲ୍ୟାୟନ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ସମୀର ରଂଜନ ଦାଶ ଗତ କିଛି ଦିନ ତଳେ ସୂଚନା ଦେଇଥିଲେ । ଯାହାକୁ ନେଇ ମେ’୧୯ତାରିଖ ସୁଦ୍ଧା ରାଜ୍ୟର ୬୦ଟି ମୂଲ୍ୟାୟନ କେନ୍ଦ୍ରରେ ପରୀକ୍ଷା ନିରୀକ୍ଷକମାନେ ପଂହଚିବା ପରେ ୨୦ତାରିଖରୁ ଖାତା ଦେଖା ଆରମ୍ଭ ହେବ ବୋଲି ନିର୍ଦ୍ଦେଶ ଦେଇଥିଲେ । ତେବେ ରାୟଗଡ ଜିଲ୍ଳାରେ ରାୟଗଡ ଠାରେ ଥିବା ମୂଲ୍ୟାୟନ କେନ୍ଦ୍ର ସହ ଶିକ୍ଷକମାନଙ୍କ ସୁବିଧାସୁଯୋଗକୁ ଦୃଷ୍ଟିରେ ରଖି ଗୁଣପୁର ଠାରେ ମଧ୍ୟ ଏକ ମୂଲ୍ୟାୟନ କେନ୍ଦ୍ର ଖୋଲାଯିବା ପାଇଁ ଶିକ୍ଷକ ମହଲରେ ଚର୍ଚ୍ଚା ଜୋର ଧରିଛି ।
ରାୟଗଡ ଜିଲ୍ଳା ଶିକ୍ଷା ଓ କଲ୍ୟାଣ ବିଭାଗର ଶିକ୍ଷକମାନେ ପୂର୍ବରୁ ରାୟଗଡ ସହରରେ ଥିବା ଗୋବିନ୍ଦ ଚନ୍ଦ୍ର ଦେବ (ଜି ସି ଡି) ଜିଲ୍ଳା ଉଚ୍ଚ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହେଉଥିବା ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖୁଥିଲେ । ତେବେ ଚଳିତ ବର୍ଷ ଜିସିଡି ସହ ବାଳିକା ଉଚ୍ଚ ବିଦ୍ୟାଳୟ ପରିବର୍ତେ ଗୋପବନ୍ଧୁ ମ୍ୟିୁନିସିପାଲଟି ହାଇସ୍କୁଲକୁ ଏକ କେନ୍ଦ୍ର ଭାବେ ଚୟନ କରାଯାଇଥିବା ଶୁଣିବାକୁ ମିଳୁଛି । ବର୍ତମାନ ରାୟଗଡର ଜିସିଡି ହାଇସ୍କୁଲରେ ପ୍ରବାସୀମାନଙ୍କୁ ଆଶ୍ରୟ ଦିଆଯାଉଥିବା ବେଳେ ନିକଟସ୍ଥ ଠକ୍କର ବାପା ଆଶ୍ରମ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ରାୟଗଡ ବାହାରରୁ ଆସୁଥିବା ଜିଲ୍ଳାର ଅନ୍ୟାନ୍ୟ ବ୍ଳକର ଶିକ୍ଷକମାନେ ରହି ଯାଉଥିଲେ । ତେବେ ବର୍ତମାନ କୋଭିଡ-୧୯ ଡ୍ୟିୁଟି ଯୋଗୁଁ ଠକ୍କର ବାପା ଆଶ୍ରମ ବିଦ୍ୟାଳୟକୁ କରୋନା ଅସ୍ଥାୟୀ କେନ୍ଦ୍ର ଭାବେ କାର୍ଯ୍ୟ କରାଯାଉଛି ।
ବର୍ତମାନ ଜିଲ୍ଳା ଶିକ୍ଷା ବିଭାଗ ପାଇଁ ରାୟଗଡ ଉପଖଣ୍ଡକୁ ଛାଡି ଗୁଣପୁର ଉପଖଣ୍ଡରୁ ଆସିବାକୁ ଥିବା ପ୍ରାୟ ୨୦୦ଜଣ ଶିକ୍ଷକଙ୍କୁ ରଖିବା ପାଇଁ ସ୍ଥାନ ଦେବା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଗୁଣପୁର ଉପଖଣ୍ଡରୁ ଗୁଡାରୀ, ଚନ୍ଦ୍ରପୁର, ଅମ୍ବାଦଳା, ବିଷମକଟକ, ମୁନିଗୁଡା, ରାମନାଗୁଡା, ପଦ୍ମପୁର ଓ ଗୁଣପୁରରୁ ୨୦୦ରୁ ଅଧିକ ଶିକ୍ଷକମାନେ ରାୟଗଡ ଜିଲ୍ଳା ସଦର ମହକୁମାରେ ହେଉଥିବା ମାଟ୍ରିକ ପରୀକ୍ଷା ଖାତା ଦେଖା କେନ୍ଦ୍ରକୁ ଆସିବେ । ତେଣୁ ଗୁଣପୁର ଉପଖଣ୍ଡ ଅଂଚଳର ବହୁ ଶିକ୍ଷକମାନେ ଗୁଣପୁର ଠାରେ ଥିବା ସରକାରୀ ବାଳକ ନଚେତ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ମୂଲ୍ୟାୟନ କେନ୍ଦ୍ର କରାଗଲେ ଯିବା ଆସିବା ସୁବିଧା ହେବା ସହ ସେମାନଙ୍କୁ କରୋନାର ଭୟ ଏବଂ ଅଂଶୁଘାତରୁ ଯାତାୟାତ କରିବା ପାଇଁ ସମସ୍ୟା ଉପୁଜିବ ନାହିଁ ବୋଲି ଆଲୋଚନା କରୁଥିବା ଶୁଣିବାକୁ ମିଳୁଛି ।
ବର୍ତମାନ ଗୁଣପୁର ଠାରେ ଥିବା ଜିଆଇଇଟି କଲେଜ ୪ମାସ ହେଲା କରୋନା ପାଇଁ ଛୁଟି କରାଯାଇଥିବା ବେଳେ ସେଠାରେ ସମସ୍ତ ପ୍ରକାର ସୁବିଧା ରହିଥିବାରୁ ସେଠାରେ ମଧ୍ୟ ମୂଲ୍ୟାୟନ କେନ୍ଦ୍ର କରାଗଲେ ଭଲ ହୁଅନ୍ତା ବୋଲି କିଛି ଶିକ୍ଷକ ମତ ପ୍ରକାଶ କରୁଛନ୍ତି ଏବଂ ଜିଲ୍ଳା ଶିକ୍ଷାଧିକାରୀ ଏ ଦିଗରେ ବୋର୍ଡ କର୍ତୁପକ୍ଷଙ୍କ ସହ ଯଥାଶୀଘ୍ର ଆଲୋଚନା କରନ୍ତୁ ବୋଲି ମଧ୍ୟ କହୁଛନ୍ତି । ଅପରପକ୍ଷେ ଗୁଣପୁରରେ ମୂଲ୍ୟାୟନ କେନ୍ଦ୍ର ହୋଇପାରିଲେ ଆଖାପାଖ ବ୍ଳକର ବହୁ ଶିକ୍ଷକମାନେ ସୁବିଧାରେ ମୂଲ୍ୟାୟନ କେନ୍ଦ୍ରକୁ ପଂହଚି ପାରିବାକୁ ଥିବା ବେଳେ କରୋନା ଯୋଗୁଁ ରାୟଗଡ ଜିଲ୍ଳା ସଦର ମହକୁମାକୁ ପ୍ରବାସୀମାନଙ୍କ ପ୍ରତିଦିନ ସୂଅ ଛୁଟୁଥିବାରୁ ନିଜକୁ ସୁରକ୍ଷିତ ମଣୁନାହାନ୍ତି ଶିକ୍ଷକମାନେ । ତେଣୁ ଏ ଦିଗରେ ଶିକ୍ଷକମାନଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏବଂ ବୋର୍ଡ କର୍ତୁପକ୍ଷ କିଛି ଉଚିତ ବିଚାର କରିବେ ବୋଲି ଆଶା ରଖିଛନ୍ତି । ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହାଙ୍କୁ ଏ ନେଇ ପଚାରିବାରୁ ବିଭାଗୀୟ ପତ୍ର ଆସିଲେ ହିଁ କିଛି ବିଚାର କରାଯାଇ ସରକାରଙ୍କୁ ପ୍ରସ୍ତାବ ଦିଆଯାଇପାରିବ ବୋଲି ସେ କହିଛନ୍ତି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in