ଲାଞ୍ଜିଗଡ଼ରେ ପାନୀୟ ଜଳ ଯୋଗାଣ ବନ୍ଦକୁ ୧୬ ଦିନ ପୁରିଲା
ଲାଞ୍ଜିଗଡ଼,୨୯/୬: ଲାଞ୍ଜିଗଡ଼ ବ୍ଳକର ଲାଞ୍ଜିଗଡ଼ ଠାରେ ପୁଣି ଜଳ ସଙ୍କଟ ଦେଖାଦେଇଛି। ଆଜିକୁ ୧୬ ଦିନ ହେଲା ଜଳ ଯୋଗାଣ ବନ୍ଦ ହୋଇ ଥିବାରୁ ଲାଞ୍ଜିଗଡର ବିଭିନ୍ନ ପଡ଼ାରେ ପାନୀୟ ଜଳ ପାଇଁ ଲୋକେ ନାଇଁ ନଥିବା ଅସୁବିଧା ଭୋଗୁଛନ୍ତି। ସେହିପରି ସବୁଠାରୁ ପାନୀୟ ଜଳର ମୁଖ୍ୟ ସମସ୍ୟା ଦେଖା ଦେଇଛି ଲାଞ୍ଜିଗଡ଼ ବଡ଼ ପଡ଼ାରେ । ଏହି ପଡ଼ାରେ ୮ ଶହରୁ ଅଧିକ ଲୋକ ବସବାସ କରୁଥିବା ବେଳେ ୧୫ ଦିନ ହେଲା ଜଳଯୋଗାଣ ବନ୍ଦ ରହିଛି।ଫଳରେ ପଡାବାସୀ ବଂଶୀଧାର ନଦୀରୁ ଦୂଷିତ ପାଣି ସଂଗ୍ରହ କରୁଛନ୍ତି। ୨୦୧୦ ମସିହାରେ ଲାଞ୍ଜିଗଡ ନିକଟରେ ଥିବା ବଂଶୀଧାର ନଦୀରୁ ପାଣି ଯୋଗାଣ ପାଇଁ ଲାଞ୍ଜିଗଡ ସହରକୁ ପାଇପ ବିଛା ଯାଇଛି। ହେଲେ ନିମ୍ନ ମାନର ପାଇପ ଓ କାମ ଯୋଗୁଁ ସେସବୁ ବାରମ୍ବାର ଫାଟି ଯାଉଥିବା ଫଳରେ ବିଭିନ୍ନ ସମୟରେ ଜଳଯୋଗାଣ ବାଧାପ୍ରାପ୍ତ ହେଉଛି।
ବର୍ତ୍ତମାନ ବଡ଼ପଡା ଲୋକେ ପାନୀୟ ଜଳ ପାଇଁ ଲାଞ୍ଜିଗଡ ବଂଶୀଧାର ନଦୀରୁ ପାଇପ ଯୋଗେ ଆସୁଥିବା ପାଣି ଉପରେ ନିର୍ଭର କରିଥାନ୍ତି। ପଡ଼ାରେ ନଳକୂପ ୨ଟି ଥିଲେ ମଧ୍ୟ ସେଥିରୁ ଗୋଟିଏ ଅଚଳ ରହିଥିବା ବେଳେ ଆଉ ଗୋଟିକରେ ପଡ଼ାବାସୀ ପାଇଁ ପାଣି ସମ୍ଭବ ହେଉନାହିଁ। ଗତ ମେ ୩୦ ରୁ ପାନୀୟ ଜଳ ଯୋଗାଣ ବନ୍ଧ ହୋଇଥିବା ବେଳେ ଜୁନ ୧୦ ରେ ୧୧ ଦିନପରେ ପାନୀୟ ଜଳ ଯୋଗାଣ ସମ୍ଭବ ହୋଇଥିଲା।ପୁଣି ୪ ଦିନପରେ ଜୁନ ୧୪ ତାରିଖ ଦିନଠାରୁ ଲୋକେ ପାନୀୟ ଜଳରୁ ବଞ୍ଚିତ ଅଛନ୍ତି। ଜଳଯୋଗାଣକୁ ନେଇ ପଞ୍ଚାୟତ ଓ ବ୍ଲକ କର୍ତ୍ତୃପକ୍ଷକୁ ଅଭିଯୋଗ କରିବା ନିତି ଦିନିଆ ହୋଇଛି ବୋଲି ଗଣମାଧ୍ୟମ ପ୍ରତିନିଧି ଆଗରେ ବଡପଡ଼ାବାସୀ ଅଭିଯୋଗ କରିଛନ୍ତି।
ଏସମ୍ପର୍କରେ ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ରଙ୍କୁ ପଚାରିବାରୁ ଗତକାଲି ବ୍ଲକ ଜଳଯୋଗାଣ ଦାଇତ୍ୱରେ ଥିବା ଯନ୍ତ୍ରୀ ଦଶମନ୍ତ ମାଝୀ ଲାଞ୍ଜିଗଡ ଯାଇଥିଲେ। କେଉଁ କାରଣରୁ ଜଳ ଯୋଗାଣ ବିଳମ୍ବ ହେଉଛି ମୁଁ ଯନ୍ତ୍ରୀଙ୍କ ସହିତ ଆଲୋଚନା କରି କିପରି ଶୀଘ୍ର ଲୋକେ ପାନୀୟ ଜଳ ପାଇପାରିବେ ଚେଷ୍ଟା କରିବି ବୋଲି ପ୍ରକାଶ କରିଥିଲେ।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in