ଜୁନାଗଡ଼,୨/୬: କଳାହାଣ୍ଡି ଦକ୍ଷିଣ ଓ ଉତ୍ତର ବନଖଣ୍ଡ ଅନ୍ତର୍ଗତ ଵିଭିନ୍ନ ରେଞ୍ଜରେ କମ୍ପା, ଏଫଡ଼ିଏ, ମନରେଗା, ବୋମ୍ଵୋ ମିଶନ, ମହାନଦୀ ମିସନ ଆଦି ଯୋଜନାରେ ଜଙ୍ଗଲ ସୁରକ୍ଷା ଓ ବନିକରଣ କାର୍ଯ୍ୟ ଚାଲୁଛି । ଏଥିପାଇଁ କୋଟି କୋଟି ଟଙ୍କା ବ୍ୟୟ ଅଟକଳ ହୋଇ ଖର୍ଚ୍ଚ ହୋଇ ଚାଲିଛି । ତେବେ ଏହାର ସଫଳତା ଉପରେ ଏବେ ଉଠିଛି ପ୍ରଶ୍ନବାଚୀ ।
ଜୁନାଗଡ଼ ରେଞ୍ଜ ର ସଂରକ୍ଷିତ ବଲଗାନ, ଗର୍ଜନ, ଘନା, ଝରବନ୍ଧ, କାନ୍ଦୁଲ, ପାଣିଗାଁ, ପରିଆଗଡ଼ ସମେତ ପ୍ରସ୍ତାବିତ ସଂରକ୍ଷିତ ଖାଲିଆ, ହାତିମୁଣ୍ଡା, ଲମଟି ଡଙ୍ଗର, ଆଡ଼କି, କାର୍ଲି ତଥା ଗ୍ରାମ୍ୟ ଜଙ୍ଗଲ ମଧ୍ୟରେ ଚଳିତବର୍ଷ ବନ୍ଦୋଗୁଡ଼ା, ଡୁମେର ବାହାଲ, କୋକସରା ଆଦି ଅଞ୍ଚଳରେ ବନୀକରଣ କରାଯିବା ପାଇଁ ସ୍ଥିର କରାଯାଇଛି ।
କୋଟିକୋଟି ଟଙ୍କା ବ୍ୟୟ ଅଟକଳରେ ବ୍ୟାପକ ବନୀକରଣ କରାଯିବା ଦର୍ଶାଯାଉଥିଲେହେଁ ସଂରକ୍ଷିତ ଓ ପ୍ରସ୍ତାବିତ ଜଙ୍ଗଲର ଘନତା ଆଶାନୁରୂପ ବୃଦ୍ଧି ପାଉନଥିବା ଯୋଗୁଁ ପରିବେଶବିତ ଉଦବେଗ ପ୍ରକାଶ କରିଛନ୍ତି । କାର୍ଯ୍ୟରେ ନିୟୋଜିତ ଶ୍ରମିକମାନେ ମଧ୍ୟ ନିଜ ପ୍ରାପ୍ୟକୁ ନେଇ ଦ୍ଵନ୍ଦରେ ଅଛନ୍ତି ।ବର୍ଷତମାମ କାଠ ମାଫିଆ ମାନେ ଜଙ୍ଗଲ ସମ୍ପଦ ଲୁଟ କରି ଚାଲିଛନ୍ତି । ଅଭିଯୋଗ ଆସୁଛି ଜଙ୍ଗଲ ବିଭାଗର ବେପରୁଆ ମନୋଭାବ ଯୋଗୁଁ ଜୁନାଗଡ଼ ତଥା ଜିଲ୍ଳାର ଜଙ୍ଗଲ ସମ୍ପଦ ବିପର୍ଯୟ ହେବାରେ ଲାଗିଛି । ତେଣୁ ଜୁନାଗଡ଼ ତଥା କଳାହାଣ୍ଡି ଉତ୍ତର ଓ ଦକ୍ଷିଣ ବନଖଣ୍ଡରେ ଚାଲିଥିବା କାର୍ଯ୍ୟର ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ଜଙ୍ଗଲ ସୁରକ୍ଷା ଦିଗରେ ରାଜ୍ୟସରକାର ବିହିତ ପଦକ୍ଷେପ ନେବାକୁ ସାଧାରଣରେ ଦାବୀ ହେଉଛି ।
ଜୁନାଗଡ଼ରୁ ରାକେଶ ବେମାଲଙ୍କ ରିପୋର୍ଟ OdiaBarta.in