ରାୟଗଡ ଜିଲ୍ଳାପାଳଙ୍କ ରାୟଗଡ ଓ କାଶିପୁର ବ୍ଳକ ଗସ୍ତ

ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କଲେ ସମୀକ୍ଷା

ରାୟଗଡ,୧୦/୭: ରାୟଗଡ ଜିଲ୍ଳାର ସଦର ବ୍ଳକ ରାୟଗଡ ଓ କାଶିପୁରରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟଗୁଡିକ କିପରି ଭାବେ ଅଗ୍ରଗତି କରୁଛି ତାହାର ତଦାରଖ କରିବା ପାଇଁ ଗୁରୁବାର ଦିନ ଅଚାନକ ଗସ୍ତ କରି ଲୋକଙ୍କ ସହ ଆଲୋଚନା କରି ସମୀକ୍ଷା କରିଛନ୍ତି ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା । ପ୍ରଥମେ ରାୟଗଡ ବ୍ଳକର ପାହାଡିଆ ଦୁର୍ଗମ ଅଂଚଳରେ ଥିବା କାରୁବାଇ ଗ୍ରାମ ପଂଚାୟତ ଗସ୍ତ ସମୟରେ ଜନତା ଗ୍ରାମ ଠାରେ ଥିବା ଅଙ୍ଗନବାଡି କେନ୍ଦ୍ରକୁ ଯାଇ ସେଠାରେ ଚାଲିଥିବା ଟିକାଦାନ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଅଙ୍ଗନୱାଡି କର୍ମୀ ଓ ସ୍ୱାସ୍ଥ୍ୟକର୍ମୀମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ବିଶେଷ କରି କରୋନା ମୁକାବିଲା ସମ୍ବନ୍ଧରେ ଜନ ସଚେତନତାକୁ ବ୍ୟାପକ କରିବା ପାଇଁ ପରାମର୍ଶ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହାପରେ ଜିଲ୍ଳାପାଳ ଡାଙ୍ଗଲୋଡି ଓ ପିପଲଗୁଡା ଗ୍ରାମ ପଂଚାୟତ ଗସ୍ତ କରିଥିଲେ ଏବଂ ବିଭିନ୍ନ କାର୍ଯ୍ୟକ୍ରମଗୁଡିକର ଅନୁଧ୍ୟାନ କରି ସେଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ବନ୍ଧରେ ପଂଚାୟତ ନିର୍ବାହୀ ଅଧିକାରୀଙ୍କ ଆଲୋଚନା କରିଥିଲେ । କରୋନା ପାଇଁ ସାମାଜିକ ଦୂରତା ବଜାୟ ରଖିବା, ମାସ୍କ ବ୍ୟବହାର କରିବା, ଆବଶ୍ୟକ ନ ହେଲେ ଗାଁ ବାହାରକୁ ନ ଯିବା ନିମନ୍ତେ ଜନ ସାଧାରଣଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଥିଲେ । ପରେ ସେଠାରେ କରୋନା ପରିଚାଳନା ସମ୍ବନ୍ଧରେ ଆଶା ଓ ଅଙ୍ଗନୱାଡି କର୍ମୀମାନଙ୍କ ତାଲିମ କାର୍ଯ୍ୟକ୍ରମକୁ ଯାଇ କରୋନା ମୁକାବିଲାରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ ।

Udyog Nursery
Udyogi Nursery

ଏହାପରେ କାଶିପୁର ବ୍ଳକର ହାଡିଗୁଡା ଗ୍ରାମ ପଂଚାୟତ ଅନ୍ତର୍ଗତ ଘୁଟଗୁଟ ଗ୍ରାମରେ ମନରେଗା ଯୋଜନାରେ ଚାଲିଥିବା ସୁରକ୍ଷା କାନ୍ଥ ପରିଦର୍ଶନ କରିଥିଲେ ଏବଂ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କୁ କେତେ ମଜୁରୀ ଦିଆଯାଉଛି,କେଉଁ ଆକାରରେ ଓ କେତେ ଦିନରେ ପ୍ରଦାନ କରାଯାଉଛି ବୋଲି ଶ୍ରମିକମାନଙ୍କ ସହ ଆଲୋଚନା ବେଳେ ପଚାରି ବୁଝିଥିଲେ । ସେହିପରି ରାଜ୍ୟ ଓ ଜାତୀୟ ଖାଦ୍ୟ ନିରାପତା ଯୋଜନାରେ ହିତାଧିକାରୀମାନେ ଠିକ ଭାବରେ ପିଡିଏସ ସାମଗ୍ରୀ ପାଉଛନ୍ତି କି ନାହିଁ ପଚାରି ବୁଝିବା ସହ ନିର୍ମାଣଧୀନ ଆଡିବନ୍ଧ କାର୍ଯ୍ୟର ପରିଦର୍ଶନ କରିଥିଲେ । ସେଠାରେ ଶ୍ରମିକମାନଙ୍କୁ ମଜୁରୀ ପାଇବା ବିଷୟରେ ପଚାରି ବୁଝିବା ସହ ଏହି ଆଡିବନ୍ଧ ହେଲେ ଏହାର ଉପଯୋଗିତା ସଂପର୍କରେ ମଧ୍ୟ ପଚାରି ବୁଝିଥିଲେ । ୯୦ଏକର ଚାଷଜମିକୁ ଏଡି ଆଡିବନ୍ଧ ନିର୍ମାଣ ଦ୍ୱାରା ଜଳସେଚିତ ହୋଇପାରିବ ଏବଂ ଉଭୟ ଫସଲ ଋତୁରେ ଚାଷୀମାନେ ଉପକୃତ ହେବେ ବୋଲି ସ୍ଥାନୀୟ ଲୋକେ ପ୍ରକାଶ କରିଥିଲେ । ସେହିପରି ହାଡିଗୁଡା ଠାରେ ମଧ୍ୟ ଚାଲିଥିବା ୧୫୦ମିଟର କେନାଲ କାର୍ଯ୍ୟ ପରିଦର୍ଶନ କରିଥିଲେ ।

ଜିଲ୍ଳାପାଳ ଶ୍ରୀ ବେହେରା ଗସ୍ତ ବେଳେ ରାସ୍ତାରେ କୁନି କୁନି ପିଲାଙ୍କୁ ନେଇ କିଛି ମହିଳା ଯାଉଥିବା ଦେଖି ଏଭଳି ମହାମାରୀ ସମୟରେ ଆବଶ୍ୟକ ନ ଥିଲେ ପିଲାମାନଙ୍କୁ ନେଇ ବାହାରକୁ ଯାଅନ୍ତୁ ନାହିଁ ବୋଲି ପରାମର୍ଶ ଦେବା ସହ ମମତା ଯୋଜନାରେ ସୁବିଧା ପାଉଛନ୍ତି କି ନାହିଁ ପଚାରି ବୁଝିଥିଲେ । ଦୁଇଟି କିସ୍ତିରେ ଟଙ୍କା ପାଇଥିବା ବେଳେ ସ୍ୱାସ୍ଥ୍ୟ ସମ୍ବନ୍ଧ ସୂଚନାଗୁଡିକ ଆଶାଦିଦି ସମୟ ସମୟରେ ସୂଚନା ଦେଉଥିବା ମହିଳାମାନେ କହିଥିଲେ । ଜିଲ୍ଳାପାଳ ନିଜେ ମହିଳାମାନଙ୍କ ବ୍ୟାଙ୍କ ଖାତାକୁ ତନଖି କରି ଦେଖିଥିଲେ । ଏହାପରେ ଜିଲ୍ଳାପାଳ ଶ୍ରୀ ବେହେରା ଦୁଦୁକାବାହାଳି ଗ୍ରାମ ପଂଚାୟତ ଅନ୍ତର୍ଗତ କାଳିଆପଡା ଗ୍ରାମରେ ମନରେଗା ଯୋଜନାରେ ନିର୍ମାଣଧୀନ ପୋଖରୀ ପରିଦର୍ଶନ କରିବା ସହ ଦାୟିତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀଙ୍କୁ ବିଭିନ୍ନ ଦିଗ ଉପରେ ପଚାରି ବୁଝିଥିଲେ । ପରେ ଶଙ୍କରଡା ଗ୍ରାମ ପଂଚାୟତ ଗସ୍ତରେ ଯାଇ ସେଠାରେ ନବ ନିର୍ମିତ ପଂଚାୟତ ଓ ବଜାର ଗୃହକୁ ପରିଦର୍ଶନ କରି ଫେରିଥିଲେ । ଜିଲ୍ଳାପାଳଙ୍କ ଗସ୍ତ ବେଳେ ରାୟଗଡ ଓ କାଶିପୁର ବ୍ଳକ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.