କଳାହାଣ୍ଡି,୯/୭: ସରକାରଙ୍କ ଆବାସ ଯୋଜନା ପ୍ରକୃତ ହିତାଧିକାରୀଙ୍କ ପାଖରେ ପହଞ୍ଚି ପାରୁ ନଥିବା ଅଭିଯୋଗ ହେଉଛି । ଝାଟିମାଟି କୁଡିଆରେ ଦିନ ବିତାଉଥିବା ଜଣେ ଅସହାୟ ମହିଳା ଆବାସ ଯୋଜନାରେ ଘର ଖଣ୍ଡିଏ ପାଇବା ପାଇଁ ଆକୁଳ ନିବେଦନ କରିଛନ୍ତି । ଏହି ମହିଳା ଜଣକ ହେଉଛନ୍ତି କର୍ଲାମୁଣ୍ଡା ବ୍ଲକ ସାପଲହରା ଗାଁର କୁନ୍ତି ରଣା(୫୦) ।
ଅଭିଯୋଗ ଅନୁସାରେ ତାଙ୍କ ସ୍ବାମୀ ଜଣେ ମାନସିକ ରୋଗୀ । ଗୋଟିଏ ପୁଅ ଦାଦନ ଖଟି ପରିବାର ଚଳାଉ ଥିବାବେଳେ ଆଉ ଜଣେ ପୁଅ ଘରେ ରହୁଛି । ସେମାନେ ଦାରିଦ୍ର୍ୟର କଷାଘାତ ମଧ୍ୟରେ ଜୀବନ ନିର୍ବାହ କରୁଥିବାବେଳେ ଭଙ୍ଗା କୁଡିଆ ମରାମତି କରିବାକୁ ମଧ୍ୟ ସମ୍ବଳ ନାହିଁ । ବର୍ଷା ଦିନରେ ଘରର ଅବସ୍ଥା କଥା ନ କହିଲେ ଭଲ । ଅସରାଏ ବର୍ଷା ହେଲେ ରୋଷେଇ ବାସ କରିବା ମଧ୍ୟ ସମ୍ଭବ ହୁଏ ନାହିଁ । ସେମାନେ ରହୁଥିବା ଝାଟି ମାଟି କୁଡିଆ ଯେ କୌଣସି ମୁହୁର୍ତ୍ତରେ ମଧ୍ୟ ଭାଙ୍ଗି ଯିବାର ସମ୍ଭାବନା ରହିଛି । ଘର ଖଣ୍ଡିଏ ପାଇଁ କୁନ୍ତି ସମସ୍ତଙ୍କୁ ଅଭିଯୋଗ କରିଥିଲେ ମଧ୍ୟ କେହିବି ତାଙ୍କ କଥା ଶୁଣୁନାହାଁନ୍ତି ବୋଲି ପ୍ରକାଶ କରିଛନ୍ତି । ତେଣୁ ତୁରନ୍ତ ତାଙ୍କୁ ଆବାସ ଗୃହ ଯୋଗାଇ ଦେବାକୁ ସରକାର ଓ ପ୍ରଶାସନକୁ ଆକୁଳ ନିବେଦନ କରିଛନ୍ତି କୁନ୍ତି ରଣା ।
ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in