କରୋନା ବୁଲେଟିନ୍ : ରାୟଗଡ ଜିଲ୍ଳାରେ ୪୦୦ ପାର ହେଲା ପଜିଟିଭ୍ ସଂଖ୍ୟା

୪୮ଘଂଟାରେ ଆମ୍ବଗୁଡାରେ ୮୪ପଜିଟିଭ୍ ଚିହ୍ନଟ, ୧୭ଜଣ କରୋନା ଯୋଦ୍ଧା ଆକ୍ରାନ୍ତ

ରାୟଗଡ,୨୩/୭: ରାୟଗଡ ଜିଲ୍ଳାରେ ଧୀରେ ଧୀରେ ବୃଦ୍ଧି ପାଉଥିବା ମହାମାରୀ କରୋନା ସଂକ୍ରମଣ ଚେନ୍ କୁ ଖଣ୍ଡନ କରିବା ପାଇଁ ଜିଲ୍ଳା ପ୍ରଶାସନର ଉଦ୍ୟମ ଜାରି ରହିଛି । ପଜିଟିଭ୍ ଚିହ୍ନଟ ହେବା ନେଇ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଓ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ପ୍ରକାଶିତ ହେବା ପରେ ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରା, ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଅନେକ ସମୟରେ ଜିଲ୍ଳାବାସୀଙ୍କୁ ପଜିଟିଭଙ୍କ ସଂଖ୍ୟା ଓ ସେମାନଙ୍କ ଚିକିତ୍ସା ସେବା ଉପରେ ସମ୍ୟକ ସୂଚନା ପ୍ରଦାନ କରିବା ସହ କରୋନା ଠାରୁ ଦୂରେଇ ରହିବା ପାଇଁ କୋଭିଡ-୧୯ ଗାଇଡଲାଇନକୁ କଡାକଡି ଭାବେ ମାନି ଚଳିବାକୁ ନିବେଦନ କରିଆସୁଛନ୍ତି । ତେବେ ଏହି ନିୟମକୁ ଅମାନ୍ୟ କରାଯାଉଥିବାରୁ ଜିଲ୍ଳାରେ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ରାୟଗଡ ଜିଲ୍ଳାରେ ଗୁରୁବାର ଦିନ ୮୪ଜଣଙ୍କ ସ୍ୱାବ ନମୂନା ପଜିଟିଭ୍ ବାହାରିଛି । ଏମାନଙ୍କ ମଧ୍ୟରୁ ରାୟଗଡ ପୈାରାଂଚଳର ଆମ୍ବଗୁଡାରେ ୪୯ଜଣ ଓ ସହରର ବିଭିନ୍ନ ସ୍ଥାନରୁ ୫ଜଣ ଚିହ୍ନଟ ହୋଇଥିବା ବେଳେ ମୁନିଗୁଡା ବ୍ଳକରୁ ୧୧ଜଣ, ପଦ୍ମପୁରରୁ ୧୫ଜଣ, କୋଲନରାରୁ ଜଣେ ଓ ରାମନାଗୁଡା ବ୍ଳକରୁ ୩ଜଣ ଚିହ୍ନଟ ହୋଇଥିବା ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

୮୪ଜଣଙ୍କ ମଧ୍ୟରେ ୫୫ଜଣ ପୁରୁଷ ରହିଥିବା ବେଳେ ୨୯ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସେହିପରି ୭୭ଜଣ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଥିବା ବେଳେ ୭ଜଣ ଟିଏମସି କେନ୍ଦ୍ରରୁ ଚିହ୍ନଟ ହୋଇଥିବା ଶ୍ରୀ ନାୟକ ପ୍ରକାଶ କରିଛନ୍ତି । ରାୟଗଡ ପୈାରାଂଚଳର ଆମ୍ବଗୁଡା କନଟେଂଟମେଂଟ ଜୋନରୁ ଗତକାଲି ୩୪ ଓ ଆଜି ଦିନରେ ୪୯ଜଣ ସମୁଦାୟ ୪୮ଘଂଟା ମଧ୍ୟରେ ୮୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବତର୍ମାନ ଜିଲ୍ଳାରେ ମୋଟ ୪୨୩ଜଣ ଆକ୍ରାନ୍ତ ହୋଇଥିବା ବେଳେ ୧୧୨ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୨୬୭ଜଣ ଆକ୍ରାନ୍ତ ଜିଲ୍ଳାର ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ର, ଗୁଣପୁର ଓ ବିଷମକଟକ କୋଭିଡ୍ କେୟାର କେନ୍ଦ୍ରରେ ଚିକିତ୍ସିତ ହେଉଥିବା ବେଳେ ଏମାନଙ୍କ ମଧ୍ୟରୁ ଆଉ କିଛି ଭୁବନେଶ୍ୱର ସ୍ଥିତ ଏମ୍ସ ଓ ଅଶ୍ୱିନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ୮୪ଜଣ ଚିହ୍ନଟଙ୍କ ମଧ୍ୟରେ ୧୭ଜଣ କରୋନା ଯୋଦ୍ଧା ରହିଥିବା ନେଇ ଶ୍ରୀ ନାୟକ ସୂଚନା ଦେଇଛନ୍ତି । ତେବେ ଜିଲ୍ଳା ପ୍ରଶାସନ ତରଫରୁ କଂଟାକ୍ଟ ଟ୍ରେସିଂକୁ ଜୋରଦାର କରାଯାଇଥିବା ବେଳେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟର କୋଭିଡ ଟେଷ୍ଟି ଲ୍ୟାବରେ ସ୍ୱାବ ନମୂନା ପରୀକ୍ଷା କରାଯାଉଥିବା ବେଳେ ଆଂଟିଜେନ କିଟ୍‌ଗୁଡିକ ଜିଲ୍ଳାର ସମସ୍ତ ବ୍ଳକକୁ ପଠାଯାଇଥିବା ଶ୍ରୀ ନାୟକ କହିଛନ୍ତି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.